MOKIM-BLAST Photograph: (OTV)
ଦଳୀୟ ନେତୃତ୍ବକୁ ନେଇ ମହମ୍ମଦ ମୋକିମଙ୍କ ଚିଠି ଓ ବୟାନ ପରେ କଂଗ୍ରେସରେ ଝଡ଼। ପିସିସି ମୁଖିଆଙ୍କୁ ସିଧା ନିଶାନା ପରେ ଦଳରେ ବଢିଛି ଅସନ୍ତୋଷ । ଅନ୍ୟପକ୍ଷରେ ମୋକିମଙ୍କ ସମର୍ଥନରେ ଦଳର ଯୁବ ପିଢି ବାହାରିଥିବା ବେଳେ ମାପିଚୁପି ପ୍ରତିକ୍ରିୟା ଦେଉଛନ୍ତି ପୁରୁଖା। ତେବେ ମୋକିମଙ୍କ ଏଭଳି ଶାଣିତ ଆକ୍ରମଣ ପଛରେ ଅସଲ କାରଣ କଣ ? କାହିଁକି ଏତେଦିନ ପରେ ପିସିସି ମୁଖ୍ୟଙ୍କ ବିରୁଦ୍ଧରେ ଖୋଲା ବିଦ୍ରୋହ କଲେ ? ପିସିସି ସଭାପତି ରେସରେ ଥିଲେ କି ମୋକିମ୍ ? ଦଳରେ ଗୁରୁତ୍ବପୂର୍ଣ୍ଣ ପଦ ନ ମିଳିବା କିମ୍ବା କ୍ରମାଗତ ଅଣଦେଖା ପରେ ମୁହଁ ଖୋଲି ଏମିତି ଆକ୍ରମଣ କରିଛନ୍ତି କି ? ଏଭଳି ଅନେକ ପ୍ରଶ୍ନ ଏବେ ଉଠୁଥିବା ବେଳେ କିଛି ବରିଷ୍ଠ ନେତା କହିଛନ୍ତି, ମୋକିମ ଦଳୀୟ ଫୋରମରେ ପ୍ରଶ୍ନ ନ ଉଠାଇ ଗଣମାଧ୍ୟମ ଆଗରେ କହିବା ଠିକ୍ ହେଲା ନାହିଁ । ସେପଟେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ମୋକିମ ପିସିସି ରେସରେ ଥିଲେ। ହାଇକମାଣ୍ଡ ତାଙ୍କୁ ସେହି ପଦ ନଦେବାରୁ ସେ ବିଦ୍ରୋହ କରିଛନ୍ତି। ତେବେ ସୁରଙ୍କ ମନ୍ତବ୍ୟକୁ ନେଇ ମୋକିମଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଗତକାଲି ମୋକିମ ନୂଆପଡା ଉପନିର୍ବାଚନ କଥା ଉଠାଇ ଭକ୍ତ ପିସିସି ସଭାପତି ହେବା ପରେ ଦଳରେ ସଂଗଠନକୁ ମଜଭୁତ କରିବାରେ କିଭଳି ବିଫଳ ହୋଇଛନ୍ତି, ଆଉ ଦଳରେ ତୃଣମୂଳ କର୍ମୀ କିଭଳି ଅସନ୍ତୁଷ୍ଟ ଅଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ମୋକିମଙ୍କ ଟାର୍ଗେଟକୁ ନେଇ ପିସିସି ସଭାପତି କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ତେଣେ ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଯିବାକୁ ନେଇ କିଛି ଦିନ ତଳେ ଅସନ୍ତୋଷ ପ୍ରକାଶ କରିଥିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରାଜନୈତିକ ସମୀକ୍ଷକ ମଧ୍ୟ କଂଗ୍ରେସର ପୁରୁଣା ରୋଗ ପୁଣି ବାହାରିଥିବା କହିଛନ୍ତି ।
ମୋକିମ ଗତକାଲି କେନ୍ଦ୍ରୀୟ ନେତୃତ୍ବ ପରିବର୍ତ୍ତନ କଥା ଉଠାଇ ପ୍ରିୟଙ୍କା ଗାନ୍ଧୀଙ୍କୁ ଆହୁରି ସକ୍ରିୟ ଭୂମିକା ଦେବା ଉପରେ ଗୁରୁତ୍ବ ଦେଇଥିଲେ । ସେ ସୋନିଆଙ୍କୁ ଲେଖିଥିଲେ, ପ୍ରିୟଙ୍କା କେନ୍ଦ୍ରୀୟ ସ୍ତରରେ ସକ୍ରିୟ, ଦକ୍ଷ ଏବଂ ଦୂରଦର୍ଶୀ ନେତୃତ୍ବ ନିଅନ୍ତୁ ବୋଲି ସାରା ଦେଶ, ବିଶେଷ କରି ଯୁବ ପିଢି ଆଶା ରଖିଛନ୍ତି । ସେହିପରି ଯୁବ ଭାରତୀୟଙ୍କୁ ଏକାଠି କରିବା ଏବଂ ପ୍ରେରଣା ଦେବା ଲାଗି ସଚିନ ପାଇଲଟ, ଡିକେ ଶିବକୁମାର, ରେଭନ୍ତ ରେଡ୍ଡୀ, ଶଶୀ ଥରୁରଙ୍କ ଭଳି ନେତାମାନେ ଆଗକୁ ଆସିବା ଦରକାର ବୋଲି ଉଲ୍ଲେଖ କରିଛନ୍ତି ମୋକିମ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/11/mokim-blast-2025-12-11-19-54-11.jpg)