Advertisment

Naveen’s Review Under Spotlight: ନଜର ନବୀନଙ୍କ ସମୀକ୍ଷା ବୈଠକ ଉପରେ, ହେବ ନିଚ୍ଛକ ନା ଗତାନୁଗତିକ ?

ପ୍ରାୟତଃ ସମସ୍ତେ କହୁଥିଲେ ଯେ ରାଜ୍ୟ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଏହି ନିର୍ବାଚନକୁ ଅନାୟାସରେ ଜିତିଯିବ । କିନ୍ତୁ ଲୋକମାନଙ୍କର ନଜର ଥିଲା ଏହି ନିର୍ବାଚନରେ କିଏ ଦ୍ୱିତୀୟ ସ୍ଥାନରେ ରହୁଛି ଏବଂ କିଏ ତୃତୀୟ ସ୍ଥାନକୁ ଯାଉଛି ।

BJD

BJD Photograph: (OTV)

Advertisment

ନୂଆପଡ଼ା ବିଧାନସଭା ଉପନିର୍ବାଚନ ଫଳାଫଳ ବାହାରିବା ଏହା ମଧ୍ୟରେ ଏକ ସପ୍ତାହରୁ ଅଧିକ ହୋଇଗଲାଣି । ସମସ୍ତଙ୍କର ଏହି ଉପନିର୍ବାଚନ ଫଳାଫଳ ଉପରେ ଦୃଷ୍ଟି ନିବଦ୍ଧ ଥିଲା । ପ୍ରାୟତଃ ସମସ୍ତେ କହୁଥିଲେ ଯେ ରାଜ୍ୟ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଏହି ନିର୍ବାଚନକୁ ଅନାୟାସରେ ଜିତିଯିବ । କିନ୍ତୁ ଲୋକମାନଙ୍କର ନଜର ଥିଲା ଏହି ନିର୍ବାଚନରେ କିଏ ଦ୍ୱିତୀୟ ସ୍ଥାନରେ ରହୁଛି ଏବଂ କିଏ ତୃତୀୟ ସ୍ଥାନକୁ ଯାଉଛି ।

Advertisment

ନିର୍ବାଚନ ଫଳାଫଳ ବାହାରିଲା । ଅନେକ ଦିନର ପ୍ରତୀକ୍ଷାର ଅନ୍ତ ହେଲା । ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆ ସର୍ବାଧିକ ୧ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ୍ ପାଇ ଚମତ୍କାର ବିଜୟ ଲାଭ କଲେ । ସେହିପରି କଂଗ୍ରେସ୍ ପ୍ରାର୍ଥୀ ଘାସିରାମ ମାଝି ୪୦ ହଜାରରୁ ଅଧିକ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନ ହାସଲ କଲେ । ହେଲେ ଦଇବ ଦାଉ ସାଧିଲା ପରି ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ତୃତୀୟ ସ୍ଥାନକୁ ଗଲେ । ଦଳର ସଭାପତି ତଥା ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଲାଗି ଦୁଇ ଦୁଇ ଥର ନିର୍ବାଚନ ପ୍ରଚାରରେ ଯାଇଥିଲେ । ଚିରାଚରିତ ଭାବରେ ତାଙ୍କର ଟ୍ରେଡ୍ମାର୍କ ହାତ ହଲାଇଲେ । ଦଳ ତରଫରୁ କୁହାଗଲା ଏଥର ଦଳ  ପୂର୍ବବତ୍ ବିଜୟ ଲାଭ କରିବ । ହେଲେ ତାହା ବ୍ୟର୍ଥ ପ୍ରମାଣିତ ହେଲା ।

କେବଳ ନବୀନ କାହିଁକି, ବିଜୁ ଜନତା ଦଳର ତଥାକଥିତ ଉପନିର୍ବାଚନ ସ୍ପେଷାଲିଷ୍ଟ ଭାବରେ ଅତନୁ ସବ୍ୟସାଚୀ ନାୟକ, ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ  ଡେରା ପକାଇ ନୂଆପଡ଼ାରେ ରହିଥିଲେ । ହେଲେ ସେମାନେ ମଧ୍ୟ ପାରିଲେ ନାହିଁ । ସେମାନଙ୍କର ଉପନିର୍ବାଚନ ଜିତିବାରେ ଯେଉଁ ଟ୍ରାକ୍ ରେକର୍ଡ ରହିଥିଲା, ତାହା ମଧ୍ୟ ପାଣିଫୋଟକା ପରି ମିଳେଇଗଲା ।

Advertisment

ବିଜୁ ଜନତା ଦଳ ତରଫରୁ କୁହାଯାଇଛି ଯେ ନିର୍ବାଚନ ଫଳାଫଳ ନେଇ ଖୁବଶୀଘ୍ର ଦଳର ରାଜନୈତିକ ବ୍ୟାପାର କମିଟି ବା ପଲିଟିକାଲ ଆଫେୟାର୍ସ (ପିଏସି) ବସିବ । ଦଳର କାହିଁକି ଶୋଚନୀୟ ପରାଜୟ ହେଲା ସେ ନେଇ ସମୀକ୍ଷା ହେବ । ଖୁବ୍ ଭଲ କଥା । ଦଳ ତିଆରି ସମୟରେ ବିଜୁ ଜନତା ଦଳର ପିଏସି ଗଠନ ହୋଇଥିଲା । ଏହାର ଅଧ୍ୟକ୍ଷ ଥିଲେ ବିଜୟ ମହାପାତ୍ର । ନବୀନ ପଟ୍ଟନାୟକ ବିଜେଡ଼ରୁ ବିଜୟ ମହାପାତ୍ରଙ୍କୁ ବାହାର କରି ପିଏସିକୁ ଭାଙ୍ଗି ଦେଇଥିଲେ । ପୁନର୍ଗଠନ ପରେ ପିଏସିର ସମୀକ୍ଷା ବୈଠକ ଏବେକାର ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ସଭାପତିତ୍ୱ କରିବେ ନବୀନ ପଟ୍ଟନାୟକ ।

ସମୀକ୍ଷା ବୈଠକ ପୂର୍ବରୁ ବିଜେଡ଼ିର ବହୁ ତଥାକଥିତ ନେତା ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ଯନ୍ତ୍ରମତ ବୋଲି କହିସାରିଛନ୍ତି । ଏବେ ଦେଖିବାର କଥା ନବୀନ ସମୀକ୍ଷା ବୈଠକ ପରେ ନିଜ ଦଳର ନେତାମାନଙ୍କ କଥା ଦୋହରାଉଛନ୍ତି ନା ନୂଆ କିଛି କହୁଛନ୍ତି ।

Advertisment

ଗତ ୨୦୨୪ ବିଧାନସଭା ନିର୍ବାଚନରେ ଦଳ ହାରିଲା ପରେ ବିଜୁ ଜନତା ଦଳର ଅନେକ ନେତା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଦଳୀୟ ଓ ସରକାରୀ କାର୍ଯ୍ୟରେ ହସ୍ତକ୍ଷେପକୁ ଦାୟୀ କରିଥିଲେ । ହେଲେ ନବୀନଙ୍କୁ ନେତାମାନଙ୍କର ଏହି ରାୟ ଗ୍ରହଣୀୟ ନଥିଲା । ସେ କହିଥିଲେ ଯେ ପାଣ୍ଡିଆନ୍ ଜଣେ ନିଃସ୍ୱାର୍ଥପର ବ୍ୟକ୍ତି । ଦଳ ଓ ସରକାରରେ ରହି ସେ ଲୋକମାନଙ୍କର ବହୁତ ସେବା କରିଛନ୍ତି । ତାଙ୍କୁ ଦଳର ପରାଜୟ ପାଇଁ ଦାୟୀ କରିବା ଠିକ୍ ନୁହେଁ ।

କଂଗ୍ରେସ ବି କରିବ ସମୀକ୍ଷା

ବିଜୁ ଜନତା ଦଳ ପରି କଂଗ୍ରେସ ଦଳର ମଧ୍ୟ ସମୀକ୍ଷା ବୈଠକ ହେବାକୁ ଯାଉଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ପିସିସିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ପୁରୁଖା ନେତାମାନେ ମଧ୍ୟ ସାମିଲ୍ ହେବେ ।

ଉପନିର୍ବାଚନ ପ୍ରଚାର ସମୟରେ ଭକ୍ତ ତାଙ୍କର ସମସ୍ତ ଶକ୍ତି ଘାସିରାମଙ୍କୁ ଜିତାଇବା ପାଇଁ ଲଗାଇ ଦେଇଥିଲେ । ଯେହେତୁ ନୂଆପଡ଼ା ତାଙ୍କ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଛି, ତେଣୁ ସିଏ ସେଠାରେ ଭଲ କରିବେ ବୋଲି ଆଶା କରାଯାଉଥିଲା । କହିବାକୁ ଗଲେ ଦଳ ଭଲ ପ୍ରଦର୍ଶନ ଦେଇଛି ମଧ୍ୟ । ଗତ ୨୦୨୪ ନିର୍ବାଚନରେ କଂଗ୍ରେସର ଭୋଟ୍ ୧୫ହଜାର ୫୦୧ ଥିଲା । ଏଥର ଘାସିରାମ ପାଇଛନ୍ତି ୪୦ ହଜାର ୧୨୧ ଖଣ୍ଡ ଭୋଟ୍ ।

କଂଗ୍ରେସର ପ୍ରଚାର ସମୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ, ଦଳର ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ କ୍ଷେତ୍ର ସ୍ଥଳରେ ସକ୍ରିୟ ଥିବା ଦେଖାଯାଇଥିଲା । ସେମାନେ କତେ ପରିମାଣରେ ଆନ୍ତରିକତା ତଥା ନିଷ୍ଠାର ସହିତ କାମ କରିଥିଲେ ତାହା କେବଳ ଭକ୍ତ ଜାଣିଥିବେ ।

ଫଳାଫଳ ସମ୍ପର୍କରେ ଘାସିରାମ କହିଛନ୍ତି ଯେ ଅର୍ଥ ଅଭାବରୁ ଦଳ ଭଲ ପ୍ରଦର୍ଶନ ଦେବାରେ ସଫଳ ହୋଇପାରିଲା ନାହିଁ । ଏହାଛଡ଼ା କେନ୍ଦ୍ରୀୟ ନେତାମାନଙ୍କ ନିକଟରୁ ସେମିତି କିଛି ସହଯୋଗ ମିଳିଲା ନାହିଁ । ଏବେ ଦେଖିବାର କଥା କଂଗ୍ରେସ ସମୀକ୍ଷା ବୈଠକ ପରେ ଦଳ ତରଫରୁ ଆନୁଷ୍ଠାନିକ ଭାବେ ନିର୍ବାଚନ ଫଳାଫଳ ନେଇ କ’ଣ ଉତ୍ତର ରଖାଯାଉଛି ।

ବିଜେଡ଼ିର ପୂର୍ବରୁ ସେମିତି ଆନୁଷ୍ଠାନିକ ଭାବେ କୌଣସି ସମୀକ୍ଷା ବୈଠକ ହୋଇନାହିଁ । ସେହିପରି ଭାବରେ ୨୦୨୪ ନିର୍ବାଚନ ପରେ ପରାଜୟ ଲାଗି କାରଣ ପାଲଟିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦଳ କିଛି କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ । ଏଥର ଦେଖିବା କଥା ଦଳ ସେମିତି କିଛି କାର୍ଯ୍ୟାନୁଷ୍ଠାନ ନେଇପାରୁଛି କି ନାହିଁ ।

ଅନୁରୂପ ଭାବରେ ଭକ୍ତଙ୍କ ସମୀକ୍ଷା ବୈଠକ ଫଳାଫଳ ଓ ଏହାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ଜନସାଧାରଣଙ୍କର ଦୃଷ୍ଟି ରହିବ । ସମୀକ୍ଷା ବୈଠକର ରାଜନୈତିକ ବ୍ୟବସ୍ଥାରେ ଏକ ବିଶେଷ ମହତ୍ତ୍ୱ ରହିଛି । ଏହା ଭବିଷ୍ୟତ  ଲାଗି ସାମାଧାନର ବାଟ ଦେଖାଏ । ଏବେ ଦେଖିବାର କଥା ଏହା ସମସ୍ୟା ସମାଧାନର ବାଟ ଦେଖାଉଛି ନା ସମସ୍ୟାର କାରଣଗୁଡ଼ିକୁ ଘୋଡ଼ାଇ ଅଧିକ ସମସ୍ୟାର ଏକ ବୁଢ଼ିଆଣୀ ଜାଲ ସୃଷ୍ଟି କରୁଛି !

ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ । 

BJD Congress nuapada byelection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ