Naveen Photograph: (OTV)
ପ୍ରାୟ ୧୭ ମାସର ନିରବତା ପରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏବେ ପୁଣି ଥରେ ରାଜନୈତିକ ଭାବେ ସକ୍ରିୟତା ଦେଖାଇବା ଆରମ୍ଭ କରିଛନ୍ତି । ଏହି ରାଜନୈତିକ ସକ୍ରିୟତା ଗତ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପରେ ଦେଖିବାକୁ ମିଳିଛି । ସେଠାରେ ସେ ଦୁଇ ଦୁଇଟି ରୋଡ଼ ସୋ’ କଲାବେଳେ ସେ ଯେଉଁଭଳି ଭାବରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଭାରତୀୟ ଜନତା ପାର୍ଟିକୁ ‘ବେଇମାନ’ ବୋଲି କହିଥିଲେ, ସେଇ ଠାରୁ ଆରମ୍ଭ ହୋଇଥିଲା ତାଙ୍କର ବର୍ତ୍ତମାନ ପର୍ଯ୍ୟାୟର ରାଜନୈତିକ ସକ୍ରିୟତା ।
ବିଜେଡି ନୂଆପଡ଼ା ଉପନିର୍ବାଚନ ହାରିଲା ପରେ ନବୀନ କିଛି ଦିନ ନିରବ ରହିଥିଲେ । ଲାଗୁଥିଲା ସେ ଆଉ ଅଧିକ ସକ୍ରିୟତା ଦେଖାଇବେ ନାହିଁ । କିନ୍ତୁ ଗତ ନଭେମ୍ବର ୨୭ ତାରିଖ ଦିନ ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବା ପୂର୍ବରୁ ସେ ବିଧାନସଭାରେ ନିଜର ଯେଉଁ ସ୍ୱାଗତ ସମ୍ଭାଷଣ ରଖିଲେ, ସେଥିରେ ରାଜନୀତିର ଗାଢ଼ା ପ୍ରଲେପ ଦେଖିବାକୁ ମଳିଥିଲା । ତାଙ୍କ ସରକାର ସମୟରେ ମହିଳା ସଶକ୍ତିକରଣରେ ସର୍ବାଗ୍ରେ ଥିଲା ।
ରାଜ୍ୟ କୃଷି, ଶିଳ୍ପ ଭିତ୍ତିଭୂମି ନିର୍ମାଣରେ ଉତ୍କର୍ଷତା ଲାଭ କରିଥିଲା ବୋଲି ସେ ଦୃଢ଼ ଭାବରେ କହିଥିଲେ । ଯେଉଁ କଥା ଉପରେ ସେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଥିଲେ, ତାହା ହେଲା ବିପର୍ଯ୍ୟୟ ପରିଚାଳନା । ତାଙ୍କ ସମୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନାରେ ଉତ୍କର୍ଷତା ଲାଭ କରିଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାୟତଃ ଶୂନ୍ୟମୃତ୍ୟୁ (ଜିରୋ କାଜୁଆଲିଟି) ରହୁଥିଲା ଏବଂ ଏଥିପାଇଁ ରାଜ୍ୟ ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଥିଲା ବୋଲି ସେ ଦୁଇଦୁଇ ଥର କହିବା ଶୁଣିବାକୁ ମିଳିଥିଲା । ସେଦିନ ତାଙ୍କର ସ୍ୱର ସ୍ୱାଭାବିକ ଠାରୁ ଅଧିକ ଉଚ୍ଚ ଥିଲା ।
ନଭେମ୍ବର ୨୮ ତାରିଖ ଦିନ ନବୀନ ତାଙ୍କ ଟୁଇଟର ହ୍ୟାଣ୍ଡେଲ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ଉପସ୍ଥାପିତ ୧୭ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍କୁ ଖୁବ୍ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ବିଜେପି ସରକାର ବିଧାନସଭାରେ ଆଗତ କରିଥିବା ଅତିରିକ୍ତ ବଜେଟ୍ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି।
ନୂତନ ବିଜେପି ସରକାରର ପ୍ରଥମ ପୂର୍ଣ୍ଣ ବର୍ଷରୁ ଆଶା କରାଯାଉଥିବା କୌଣସି ବଡ଼ ଭିତ୍ତିଭୂମି ଯୋଜନା କିମ୍ବା ନୂତନ ଦୂରଦୃଷ୍ଟି ଏଥିରେ ଦେଖିବାକୁ ମିଳିନାହିଁ। ଏହା ଆମକୁ ରାଜକୋଷୀୟ ନିଅଣ୍ଟିଆ ଆଡ଼କୁ ଆଗକୁ ବଢ଼ାଉଛି। ପ୍ରଶାସନିକ ବ୍ୟୟ ସଙ୍କୁଚିତ ହେଉଛି। ଓଡ଼ିଶାର ସୁଧ ବୋଝ ବଢ଼ୁଛି।
କେବଳ ସେତିକି ନୁହେଁ ନବୀନ କହିଛନ୍ତି ଯେ ବଜେଟରେ ପୂର୍ତ୍ତ ବିଭାଗର ୯୦୦ କୋଟି ଏବଂ କିଛି ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ଛାଡ଼ିଦେଲେ ଆଉ କିଛି ବି ନାହିଁ। ମନେ ହେଉଛି, ହ୍ରାସ ପାଉଥିବା କେନ୍ଦ୍ର ଅନୁଦାନ ଓ ନିଜସ୍ୱ ଅପାରଗତା ଲୁଚାଇବା ପାଇଁ ହୋଇଛି ଅତିରିକ୍ତ ବଜେଟ୍। ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ନୁହଁ, ଏହା ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅତିରିକ୍ତ ପ୍ରୟାସ।
ଭିନ୍ନ ମୁଦ୍ରାରେ ନବୀନ
ନବୀନଙ୍କ ଟୁଇଟର ଶବ୍ଦରାଜିକୁ ବିଶ୍ଳେଷଣ କଲେ ଲାଗୁଛି ଯେ ସେ ଏଥର ବିଧାନସଭାରେ ଏକ ଭିନ୍ନ ମୁଦ୍ରାରେ ଅବତୀର୍ଣ୍ଣ ହେବେ । ଅତୀତରେ ବହୁଦିନ ଧରି ବିଧାନସଭାରେ ସେ ଅନୁପସ୍ଥିତ ରହୁଥିଲେ । ତାଙ୍କର ସ୍ୱାସ୍ଥ୍ୟ ନେଇ ଅନେକ ଆଲୋଚନା ଓ ଟୁପରୁଟାପୁରୁ ଶୁଣିବାକୁ ମିଳୁଥିଲା । ଦଳର ନେତାମାନଙ୍କୁ ଏଥିପାଇଁ ଅନେକ କ୍ଷେତ୍ରରୁ ଭିନ୍ନଭିନ୍ନ ପ୍ରକାରର ନକାରାତ୍ମକ ମତ ଓ ମନ୍ତବ୍ୟର ସାମ୍ନା କରିବାକୁ ପଡ଼ୁଥିଲା । ନବୀନଙ୍କ ବର୍ତ୍ତମାନ ସକ୍ରିୟତା ଯଦି ଜାରି ରୁହେ, ତେବେ ତାହା ତାଙ୍କ ବିଜୁ ଜନତା ଦଳର ସଦସ୍ୟମାନଙ୍କୁ ନୂଆ ବଳ ଯୋଗାଇବ ଏବଂ ସେମାନେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ ।
ବିଜୁ ଜନତା ଦଳ ଏବେ ବି ଜିଲ୍ଲାସ୍ତରରେ ସବୁଠାରୁ ବଡ଼ ସାଙ୍ଗଠନିକ ଶକ୍ତି ଭାବରେ ଦଣ୍ଡାୟମାନ । ସମସ୍ତ ୩୦ଟି ଜିଲ୍ଲା ପରିଷଦ ବିଜେଡି ଅଧିନରେ ରହିଛି । ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ପାଖାପାଖି ୨୬୦ଟିରେ ବିଜେଡିର ଅଧ୍ୟକ୍ଷ ରହିଛନ୍ତି । ଏବେ ଯାହା ଦେଖାଯାଉଛି, ବିଭିନ୍ନ ବ୍ଲକରେ ଦଳର ସଂଗଠନ ଭୁଶୁଡ଼ିବାରେ ଲାଗିଛି । କାରଣ ସ୍ଥାନୀୟ ନେତା ନବୀନଙ୍କ ସ୍ୱାସ୍ଥ୍ୟ ଓ ନିରବତା ନେଇ ଟିକିଏ ଚିନ୍ତିତ ହୋଇ ନିଜର ଆଗାମୀ ରାଜନୈତିକ ଭବିଷ୍ୟତ ପାଇଁ ଦଳ ଛାଡ଼ୁଥିଲେ ।
ପଞ୍ଚାୟତ ନିର୍ବାଚନ ଉପରେ ଆଖି
ନବୀନ ଯଦି ବର୍ତ୍ତମାନ ଏହି ନବସକ୍ରିୟତାକୁ ଜାରି ରଖନ୍ତି, ତେବେ ଏହି ନେତାମାନେ ଆଉ ଦଳ ନଛାଡ଼ିପାରିନ୍ତି । ଏହାଦ୍ୱାରା ଦଳ ପଞ୍ଚାୟତ ଓ ପୈାରାଞ୍ଚଳରେ ପୂର୍ବବତ୍ ସୁଦୃଢ ରହିବା ସହିତ ଆଗାମୀ ପଞ୍ଚାୟତ ଓ ପୈାର ନିର୍ବାଚନରେ ଭଲ କରିବା ସମ୍ଭାବନା ଉଜ୍ଜ୍ୱଳ ହେବ ।
ବର୍ତ୍ତମାନ ପରିସ୍ଥିତିରେ ଭାରତୀୟ ଜନତା ପାର୍ଟିର ନେତାମାନଙ୍କୁ ନବୀନଙ୍କ ନୂଆ ରଣନୀତି ଟିକିଏ ଅସୁବିଧାରେ ପକାଇପାରେ । ଦଳର କିଛି ନେତା ଯେଉଁଭଳି ଭାବରେ ଆଶା କରୁଥିଲେ ଯେ ନବୀନ ଆଉ ସକ୍ରିୟ ହେବେନି ଏବଂ ଆଗାମୀ ଦିନରେ ଦଳକୁ ପଞ୍ଚାୟତ ଓ ପୌର ନିର୍ବାଚନ ଜିତିବାରେ ସେମିତି ବେିଶି କିଛି ଅସୁବିଧା ହେବନି, ତାହା ହୁଏତ ଆଉ ସେତେଟା ସହଜ ହୋଇନପାରେ ।
ରାଜନୀତି ଅଦିନିଆ ବର୍ଷା ପରି । କେତେବେଳେ ଯେ ଏହା କେଉଁଠି ବର୍ଷିବ, କେତେ ପରିମାଣରେ ବର୍ଷିବ ଏବଂ କାହାକୁ କେତେ ଭିଜାଇବ ବା ଭସାଇନେବ, ତାହା ଆକଳନ କରିବା କଷ୍ଟ । ଏବେ ଦେଖିବାର କଥା ନବୀନ ବିଧାନସଭାରେ କେତେ ସମୟ ଉପସ୍ଥିତ ରହୁଛନ୍ତି ଏବଂ ସରକାରଙ୍କୁ କେତେ ଅସୁବିଧାରେ ପକାଉଛନ୍ତି । ନବୀନ ସମ୍ମୁଖରୁ ସେନାପତି ହୋଇ ଲଢିଲେ, ତାଙ୍କର ୫୦ ସଦସ୍ୟ ସରକାରଙ୍କୁ ଘେରିବା ଲାଗି କିଛି ସେମିତି ସମସ୍ୟା ହେବ ନାହିଁ ।
ଅନ୍ୟପକ୍ଷରେ ବିଜେପିରେ ବର୍ତ୍ତମାନ ବହୁ ଉଦୀୟମାନ ଯୁବ ବିଧାୟକ ଅଛନ୍ତି । ସେମାନେ ସମସ୍ତ ପ୍ରସ୍ତୁତି ସହିତ ବିଧାନସଭା ଆସୁଛନ୍ତି । ନବୀନଙ୍କୁ ସେମାନେ ପ୍ରତ୍ୟୁତ୍ତର ଦେବା ପାଇଁ ବେଶ୍ ସମର୍ଥ । ଏହି ଦୃଷ୍ଟିରୁ ବିଚାର କଲେ ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନ ବେଶ୍ ଉପଭୋଗ୍ୟ ହେବ ।
ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/30/naveen-2025-11-30-15-14-20.jpg)