ram temple
ଦୀର୍ଘ ଶତାବ୍ଦୀର ପ୍ରତୀକ୍ଷା ପରେ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଛି। ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆସନ୍ତା କାଲି ହେବ ଭୂମି ପୂଜନ। ଏହି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିଲାଗି ଚଳଚଞ୍ଚଳ ସାରା ଅଯୋଧ୍ୟା।
ଅଯୋଧ୍ୟାରେ ଥିବା ମନ୍ଦିରର ଭୂମି ପୂଜନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଯାଇଛି। ଏଥି ସହିତ ଅତିଥିମାନେ ମଧ୍ୟ ଆଗମନ କଲେଣି। ଏହି ସମୟରେ ମନ୍ଦିର ନିର୍ମାଣ ପାଇଁ ସ୍ଥାପିତ ଟ୍ରଷ୍ଟ ମଧ୍ୟ ଭବ୍ୟ ରାମ ମନ୍ଦିରର ପ୍ରସ୍ତାବିତ ମଡେଲର ଫଟୋକୁ ପ୍ରକାଶ କରିଛି। ମନ୍ଦିରର ଏହି ଡିଜାଇନ୍କୁ ଆର୍କିଟେକ୍ଟ ନିଖିଲ ସୋମପୁରା ପ୍ରସ୍ତୁତ କରିଛନ୍ତି।
ଏହାପୂର୍ବରୁ ରାମଲାଲା ମନ୍ଦିର ପାଇଁ VHPର ପୁରୁଣା ମଡେଲ୍ ଆମେ ଦେଖିବାକୁ ପାଇଥିଲୁ। ଏହାକୁ ନିଖିଲଙ୍କ ପିତା ଚନ୍ଦ୍ରକାନ୍ତ ସୋମପୁରା ପ୍ରସ୍ତୁତ କରିଥିଲେ। ଏବେ ସେହି ପୁରୁଣା ଡିଜାଇନ୍ରେ କିଛି ପରିବର୍ତ୍ତନ କରାଯାଇଛି। ମନ୍ଦିରର ନୂଆ ମଡେଲର ଉଚ୍ଚତା, ଆକାର, କ୍ଷେତ୍ରଫଳ ଓ ମୌଳିକ ଗଠନରେ ଯଥେଷ୍ଟ ପରିବର୍ତ୍ତନ କରାଯାଇଛି।
ସ୍ଥାପତ୍ୟ ପ୍ରକଳ୍ପ ଅନୁଯାୟୀ, ମନ୍ଦିର ପ୍ରସ୍ତୁତ ହେବାକୁ ସାଢ଼େ ତିନି ବର୍ଷ ସମୟ ଲାଗିବ। ଏହି ମନ୍ଦିରଟି ତିନି ମହଲା ବିଶିଷ୍ଟ ହେବ ଏବଂ ବାସ୍ତୁଶାସ୍ତ୍ର ଅନୁଯାୟୀ ନିର୍ମାଣ ହେବ।
ଉତ୍ତର ଭାରତ ନଗାଡ଼ା ଶୈଳୀରେ ନିର୍ମିତ ହେବ ମନ୍ଦିର। ମନ୍ଦିରରେ କୌଣସି ପ୍ରକାର ଲୁହା ବ୍ୟବହାର ହେବ ନାହିଁ । ମନ୍ଦିରର ଶିଖର ଉଚ୍ଚତା ୧୪୧ ଫୁଟ୍ରୁ ୧୬୧ ଫୁଟ୍କୁ ବୃଦ୍ଧି କରାଯାଇଛି। ଏହା ସହିତ ମନ୍ଦିରର ଗମ୍ବୁଜ ସଂଖ୍ୟା ତିନିରୁ ପାଞ୍ଚକୁ ବୃଦ୍ଧି କରାଯାଇଛି। ମନ୍ଦିରର ଭୂମିର ଆକାର ମଧ୍ୟ ବୃଦ୍ଧି କରାଯାଇଛି।
ରାମ ମନ୍ଦିରର ଉଚ୍ଚତା ୩୩ଫୁଟକୁ ବୃଦ୍ଧି କରାଯାଇଛି। ଏହି କାରଣରୁ ଅନ୍ୟ ଏକ ମହଲାକୁ ବୃଦ୍ଧି କରିବାକୁ ପଡିଛି। ମନ୍ଦିରର ପୁରୁଣା ମଡେଲ ଅନୁଯାୟୀ ମନ୍ଦିରର ଲମ୍ବ ୨୬୮ଫୁଟ ୫ ଇଞ୍ଚ ଥିଲା। ଏବେ ଏହାକୁ ୨୮୦-୩୦୦ ଫୁଟକୁ ବୃଦ୍ଧି କରାଯାଇପାରିବ ବୋଲି ଜଣାପଡ଼ିଛି।
ଯେଉଁଠାରେ ରାମଙ୍କର ଗର୍ଭଗୃହ ନିର୍ମାଣ କରାଯିବ, କେବଳ ତା’ରି ଉପର ଅଂଶକୁ ଶିଖର ଭାବେ ନିର୍ମାଣ କରାଯିବ। ଏହି ମନ୍ଦିରରେ ପାଞ୍ଚଟି ଗମ୍ବୁଜ ରହିବ। ଏହା ସହିତ ମନ୍ଦିରର ଗମ୍ବୁଜ ସଂଖ୍ୟା ତିନିରୁ ପାଞ୍ଚକୁ ବୃଦ୍ଧି କରାଯାଇଛି।
୩ ମହଲା ବିଶିଷ୍ଟ ଏଇ ମନ୍ଦିରରେ ମୋଟ୍ ୩୧୮ଟି ସ୍ତମ୍ଭ ରହିବ। ପ୍ରତି ସ୍ତମ୍ଭରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଖୋଦିତ ହେବ।
ତଳ ମହଲାରେ ଭଗବାନ ରାମଙ୍କ ଆସ୍ଥାନ ରହିବ । ପ୍ରଥମ ମହଲାରେ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ରହିବ। ଲକ୍ଷ୍ମଣ, ଦେବୀ ସୀତା ଓ ହନୁମାନଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିବ
ରାମ ମନ୍ଦିରର ପାଞ୍ଚଟି ଗମ୍ବୁଜର ତଳ ଭାଗରେ ହଁ ଅନ୍ୟ ଚାରୋଟି ଭାଗ ରହିବ। ଏଥିରେ ସିଂହଦ୍ୱାର, ନୃତ୍ୟ ମଣ୍ଡପ ଓ ରଙ୍ଗ ମଣ୍ଡପ ତିଆରି କରାଯିବ। ଭକ୍ତମାନଙ୍କ ବସା ଉଠା କରିବା ପାଇଁ ସ୍ଥାନ ରହିବ। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମଧ୍ୟ ସ୍ଥାନ ରହିବ।
ମନ୍ଦିରର ଶୋଭା ବୃଦ୍ଧି ପାଇଁ ଏହାର ଭୂମି କ୍ଷେତ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି। ମନ୍ଦିରର କର୍ମଶାଳାରେ ରଖାଯାଇଥିବା ପଥରକୁ ହିଁ ମନ୍ଦିର କାର୍ଯ୍ୟରେ ଲଗାଯିବ। ଏହି ପଥର ଗୁଡ଼ିକୁ ସଫା କରି ଚକ୍ମକ୍ କରିବା କାମ ଦିଲ୍ଲୀ କମ୍ପାନୀ କରୁଛି।
ମୃତ୍ତିକା ପରୀକ୍ଷା ରିପୋର୍ଟକୁ ଆଧାର କରି ମନ୍ଦିରର ଭିତ୍ତିପ୍ରସ୍ତର ଖନନ କରାଯିବ। ଏହା ୨୦-୨୫ ଫୁଟ୍ ଗଭୀର ହୋଇପାରେ। ପ୍ଲାଟଫର୍ମ କେତେ ଉଚ୍ଚ ହେବ ସେନେଇ ରାମ ମନ୍ଦିର ଟ୍ରଷ୍ଟ ନିଷ୍ପତ୍ତି ନେବ। ଏବେ ୧୨ ଫୁଟରୁ ୧୪ ଫୁଟ୍ ପର୍ଯ୍ୟନ୍ତ ଉଚ୍ଚତା ବିଷୟରେ ଆଲୋଚନା ହେଉଛି।
ମନ୍ଦିରର ଆର୍କିଟେକ୍ଟ ଚନ୍ଦ୍ରକାନ୍ତ ସୋମପୁରାଙ୍କ କହିବା ଅନୁଯାୟୀ, ଏହି ମନ୍ଦିରର ନିର୍ମାଣ ପାଇଁ ଅତି କମ୍ରେ ୧୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରିଛନ୍ତି। ଏହି ଖର୍ଚ୍ଚ ଆଗକୁ ବଢ଼ିପାରେ ବୋଲି ସେ କହିଛନ୍ତି।
ରାମ ମନ୍ଦିରର ଡିଜାଇନ୍ ନାଗର ଶୈଳୀରେ ପ୍ରସ୍ତୁତ କରାଯାଉଛି।
ଆସନ୍ତାକାଲି ମନ୍ଦିରର ଭିତ୍ତିପ୍ରସ୍ତରର ହେବା ପରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସୂଚନା ଅନୁଯାୟୀ, ମନ୍ଦିର କାର୍ଯ୍ୟ ସାଢ଼େ ତିନି ବର୍ଷ ମଧ୍ୟରେ ଶେଷ କରାଯିବ। ଭକ୍ତମାନେ ଚାହୁଁଛନ୍ତି ଯେ ଯଥାଶୀଘ୍ର ମନ୍ଦିରର କାର୍ଯ୍ୟ ସମାପ୍ତ କରାଯାଉ। ପୁଣି ଥରେ ଭଗବାନ ରାମଙ୍କ ଦର୍ଶନ ଜନ୍ମଭୂମିରେ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ram-temple_1625474387.jpg)