photo
ନୋଏଡା: ଛାତିରେ ଜାକି ଧରିଥିଲେ ରୋଗାକ୍ରାନ୍ତ ନବଜାତ ଶିଶୁକୁ। ରାତିର ଘନ ଅନ୍ଧାରରେ ଘୁରି ବୁଲୁଥିଲେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା । କେଉଁ ଡାକ୍ତରଖାନାରେ ଭେଣ୍ଟିଲେଟର ନ ଥିଏଲା ତ କେଉଁଠି ଡାକ୍ତରଙ୍କ ଦାବି ମୁତାବକ ବାପାଙ୍କ ପର୍ସରେ ନ ଥିଲା ଟଙ୍କା । କେଉଁଠି ଡାକ୍ତର ନ ଥିଲେ, ପୁଣି କେଉଁଠି ଡାକ୍ତର ଥିଲେ ବି ଶୋଇ ପଡ଼ିଥିଲେ। ଏମିତି ଅସହାୟ ଅବସ୍ଥାରେ ବାପା ସାରା ରାତି ଘୁରି ବୁଲିବା ପରେ ଶେଷରେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ବାପାର କୋଳରେ ଆଖି ବୁଜି ଦେଇଥିଲା ଶିଶୁଟି। ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗ୍ରେଟର ନଏଡ଼ାରେ।
ଆଖି ସାମ୍ନାରେ ଶିଶୁର ମୃତ୍ୟୁ ଦେଖିବି ଅସହାୟ ବାପା କିଛି କରିପାରିନଥିଲେ। ଏବେ ଭାଙ୍ଗି ପଡିଥିବା ବାପା ସୋସିଆଲ ମିଡିଆରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି। ଏହି ଘଟଣା ବିଷୟରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଜାଣିବା ପରେ ଘଟଣାର ତଦନ୍ତ ପାଇଁ ଦୁଇ ଜଣିଆ କମିଟି ଗଠନ କରାଯାଇଛି।
ଗ୍ରେଟର ନୋଏଡାର ସେକ୍ଟର-୩୬ର ବାସିନ୍ଦା ଏହି ଅସହାୟ ବାପା। ନାଁ ତାଙ୍କର ରାଜକୁମାର। ହେଲେ ରାଜକୁମାରଙ୍କ ଯନ୍ତ୍ରଣା ଅସରନ୍ତି। ରାଜକୁମାର ଏକ ଘରୋଇ କାରଖାନାରେ କାମ କରନ୍ତି। ସେ କହିଛନ୍ତି, ମୋ ପତ୍ନୀ ରେଖା କୃଷ୍ଣା ଲାଇଫ୍ ଲାଇନ୍ ହସ୍ପଟାଲରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ସେହିଦିନ ରାତି ୧୦ଟା ବେଳେ ଶିଶୁର ଅବସ୍ଥା ବିଗିଡି ଯାଇଥିଲା। ଶିଶୁଟି ପାଇଁ ତୁରନ୍ତ ଭେଣ୍ଟିଲେଟରର ଆବଶ୍ୟକ ପଡ଼ିଥିଲା। ହେଲେ ଉକ୍ତ ଡାକ୍ତରଖାନାରେ ଭେଣ୍ଟିଲେଟର ଉପଲବ୍ଧ ନ ଥିବା ଦର୍ଶାଇ ମେଡିକାଲ କତ୍ତୃପକ୍ଷ ଶିଶୁଟିକୁ ଡିସଚାର୍ଜ କରି ଦେଇଥିଲେ।
ନବଜାତ ଶିଶୁକୁ ଗ୍ରୀନ୍ ସିଟି ହସ୍ପିଟାଲକୁ ରେଫର କରାଯାଇଥିଲା। ଯେତେବେଳେ ବାପା ନବଜାତ ଶିଶୁକୁ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ , ସେଠାରେ ତାଙ୍କୁ ଖର୍ଚ୍ଚର ଏକ ଲମ୍ବା ତାଲିକା ଦେଇଥିଲେ। ଯାହା ଦେବା ରାଜକୁମାର ପକ୍ଷେ ସମ୍ଭବ ନ ଥିଲା। ଏହା ଶୁଣି ରାଜକୁମାର ନବଜାତ ଶିଶୁକୁ ଧରି ସରକାରୀ ହସ୍ପିଟାଲ ନେବାକୁ ସ୍ଥିର କରିଥିଲେ। ରାତି ୧୧ଟା ବେଳକୁ ଆମ୍ୱୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ୱୁଲାନ୍ସଟି ଅଢ଼େଇ ଘଣ୍ଟା ଲେଟ୍ରେ ଆସିଥିଲା। ପରେ ନବଜାତକୁ ଧରି ଆମ୍ୱୁଲାନ୍ସଟି ଦାଦରି ସରକାରୀ ହସ୍ପିଟାଲରେ ପହଁଞ୍ଚିଲାବେଳକୁ ସେଠାରେ ଶିଶୁ ଡାକ୍ତର କେହି ନଥିଲେ। ପରେ ବାଦଲପୁର ହସ୍ପିଟାଲକୁ ଶିଶୁକୁ ନେଇଥିଲେ। ସେଠାରେ ଡାକ୍ତର ଥିଲେ କିନ୍ତୁ ସେ ଶୋଇଥିଲେ।
ଅସହାୟ ପିତା ନବଜାତ ଶିଶୁର ଜୀବନ ବଞ୍ଚାଇବା ପାଇଁ ତାକୁ କୋଳରେ ଧରି ସାରା ରାତି ଏହିପରି ବୁଲୁଥିଲେ। ଭୋର ୫ଟା ବେଳକୁ ଆମ୍ୱୁଲାନ୍ସଟି ନବଜାତକୁ ଧରି ନୋଏଡା ସରକାରୀ ହସ୍ପିଟାଲରେ ପହଞ୍ଚିଲାବେଳକୁ ଶିଶୁଟିର ମୃତ୍ୟୁ ହୋଇସାରିଥିଲା। ଏହି ଘଟଣାରେ ଯେତେବେଳେ କୃଷ୍ଣା ଲାଇଫ୍ ଲାଇନ୍ ହସ୍ପଟାଲ ଓ ଗ୍ରୀନ୍ ସିଟି ହସ୍ପିଟାଲକୁ ସେମାନଙ୍କ ପକ୍ଷ ଜାଣିବା ପାଇଁ ଫୋନରେ ଯୋଗାଯୋଗ କରାଯାଇଥିଲା ସେତେବେଳେ ଉଭୟ ଡାକ୍ତରଖାନା କୌଣସି ଉତ୍ତର ରଖି ନଥିଲେ। ଶିଶୁର ମୃତ୍ୟୁ ପରେ ବି ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିନଥିଲା। ପରେ ଅସହାୟ ବାପାଟି ମୃତ୍ୟୁ ଶିଶୁକୁ ମୋଟରସାଇକେଲରେ ବସାଇ ନୋଏଡାରୁ ଗ୍ରେଟର ନୋଏଡା ପର୍ଯ୍ୟନ୍ତ ଆଣିଥିଲେ।
ନବଜାତ ଶିଶୁର ମୃତ୍ୟୁରେ ଭାଙ୍ଗି ପଡିଥିବା ଅସହାୟ ବାପା ନ୍ୟାୟ ପାଇଁ ସୋସଆଲ ମିଡିଆ ମାଧ୍ୟମରେ ଗୁହାରି କରିଛନ୍ତି। ଏହି ଘଟଣାର ଖବର ପାଇ ଗୌତମ ବୁଦ୍ଧ ନଗରର ସିଏମଓ ଡକ୍ଟର ଦୀପକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଦୁଇଟି ଟିମ୍ ଗଠନ କରିଥିବା ଜଣାପଡିଛି। ପୋଲିସ ଟିମ୍ ରାଜକୁମାରଙ୍କ ଘରେ ପହଞ୍ଚି ତାଙ୍କର ବୟାନକୁ ରେକର୍ଡ କରିଛି। କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ରାଜକୁମାର କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/photo_1626695850.jpg)