paik
ରାୟଗଡ଼ା: ବାସହୀନଙ୍କୁ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବିଜୁପକ୍କା ଘର ଯୋଜନା, ସବୁଥିରେ ଗୃହହୀନଙ୍କୁ ଘର ପ୍ରଦାନ କରାଯାଉଛି । ମାତ୍ର ଏସବୁ ଯୋଜନା ଗରିବଙ୍କ ନିକଟରେ କେତେ ଦୂର ପହଞ୍ଚୁଛି, ତାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ସାନଗୁତିଗୁଡ଼ା ଗାଁରେ। ଘର ପାଇଁ ବହୁବାର ଗୁହାରୀ କରି ନିରାଶ ହେବା ପରେ ପାଇଖାନରେ ରହୁଛନ୍ତି ଏହି ଗ୍ରାମର ଦୁଇ ଗରିବ ଅସହାୟ ପରିବାର ।
ହୀରାମଣି ମିଣିଆକା। ସାନଗୁତିଗୁଡ଼ାରେ ଅତି ଦୟନୀୟ ଅବସ୍ଥାରେ ରହୁଥିବା ଏହି ବୃଦ୍ଧାଙ୍କ ବୟସ ୬୦ ଟପିଲାଣି। ହେଲେ ଆବାସ ଯୋଜନାରେ ଘର ତ ଦୂର କଥା ବିଧବା ଭତ୍ତା ବି ମିଳିନି। ବର୍ଷା, ଖରା, ଶୀତ ଏଇ ପାଇଖାନାରେ କଟୁଛି ତାଙ୍କର। ଏଠାରେ ଖାଇବା, ଶୋଇବା ସବୁକିଛି କରୁଛନ୍ତି ହୀରାମଣି । ସରକାରୀ ସୁବିଧା କହିଲେ ମାତ୍ର ୫ କିଲୋଗ୍ରାମ ଚାଉଳ। ଯାହା ସମୁଦ୍ରକୁ ଶଙ୍ଖେ । ସାହି ପଡ଼ୋଶୀଙ୍କ ହାତ ଟେକାରେ ତ କେବେ ଅର୍ଦ୍ଧାହାର ବା ଅନାହାରରେ ରହି ଜୀବନ କାଟୁଛନ୍ତି ସେ।
ତାଙ୍କ ଭଳି ଆଉ ଜଣେ ଅସହାୟ ହେଲେ ଧନୁର୍ଜୟ ମାଣ୍ଡିକା । ତାଙ୍କର ଘର ବି ଭାଙ୍ଗିରୁଜି ଯିବାର ଅନେକ ଦିନ ବିତିଲାଣି। ହେଲେ ଟଙ୍କା ନ ଥିବାରୁ ଘର ମରାମତି କରିପାରୁ ନାହାନ୍ତି । ଏଣେ ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିନି । ତେଣୁ ମାନସିକ ରୋଗରେ ପୀଡ଼ିତ ସ୍ତ୍ରୀ ସୁନ୍ଦରମଣିଙ୍କ ସହ ସେ ପାଇଖାନା ରହୁଛନ୍ତି। ତାଙ୍କୁ ବି ଭତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି । ସେପଟେ ଘର ଯୋଗାଇ ଦେବାକୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଲେ ବି କିଛି ସୁଫଳ ମିଳୁ ନ ଥିବା କହିଛନ୍ତି ୱାର୍ଡ ସଭ୍ୟା । ଅନ୍ୟପଟେ ବିଷମକଟକ ଏବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ଯଥାଶୀଘ୍ର ଘର ଯାଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶୁଣାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/paik_1626692528.jpg)