OCA-2025-Agriculture Photograph: (OTV)
ତାଙ୍କ ହାତରେ ମାଟି ପାଲଟେ ସୁନା । ପାଦ ଯେଉଁଠି ପକାନ୍ତି ସେଇଠି ସଫଳତା ମିଳେ । ଯୁବ ବୟସରେ ଚାଷ ସମ୍ପର୍କରେ ସୌରଭଙ୍କ ସଫଳତା କଥା ଜାଣିଲେ ଆପଣ ନିଶ୍ଚୟ ବାଃ ବାଃ କହିବେ । ଚଳିତ ବର୍ଷ ଓଟିଭିର ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫ର କୃଷି କ୍ଷେତ୍ରରେ ସୌରଭ ପଟ୍ଟନାୟକ ବିଜେତା ଘୋଷଣା ହୋଇଛନ୍ତି । ଜଣେ ଯୁବକ ହୋଇ ଚାଷ ପ୍ରତି ତାଙ୍କର ଆଗ୍ରହ ଓ ସଫଳତାକୁ ଯେତେ ପ୍ରଶଂସାର କଲେ ବି କମ୍ ହେବ ।
ଜଗତସିଂହପୁର ଜିଲ୍ଲାର ଜଣେ ସଫଳ ଯୁବ ଚାଷୀ ସୌରଭ ପଟ୍ଟନାୟକ ।୨୦୦୮ରୁ ମାଛ ଚାଷ, ମାଛ ଜାଆଁଳ ଉତ୍ପାଦନ ଓ ଧାନ ତଥା ପନିପରିବା ଚାଷ କରି ସେ ବେଶ ସଫଳତା ସାଉଟିଁଛନ୍ତି । ନିଜ ଉଦ୍ୟମରେ ଆଇଏଫଏସ୍ ୟୁନିଟ ପ୍ରତିଷ୍ଠା କରିବା ସହ ବିଶେଷ କରି ମାଛ ଜାଆଁଳ ଉତ୍ପାଦନକୁ ଗୁରୁତ୍ବ ଦେଇଛନ୍ତି । ଫିଙ୍ଗରଲିଂ ପ୍ରଡକ୍ସନ୍, ୟରଲିଂ ପ୍ରଡକ୍ସନ୍, ଟେବୁଲ ସାଇଜ ଫିସ୍ ପ୍ରଡକ୍ସନ ଆଦିରୁ ବେଶ ଲାଭବାନ ହୋଇପାରିଛନ୍ତି ।
ସେହିପରି ଧାନ ଓ ପରିବା ଚାଷ ସହ ରୋଗପୋକ ନିୟନ୍ତ୍ରଣ ଉପରେ କାର୍ଯ୍ୟ ଜାରି ରଖିଛନ୍ତି ସୌରଭ । ଏବେ ତାଙ୍କ ପାଖରେ ୪ ଜଣ ବ୍ୟକ୍ତି ନିୟୋଜିତ ଅଛନ୍ତି । ସୌରଭଙ୍କ ବାର୍ଷିକ ଟର୍ଣ୍ଣଓଭର ୨୦୨୨-୨୩ରେ ୧୨.୫ ଲକ୍ଷ ଥିବା ବେଳେ ୨୦୨୩-୨୪ରେ ୧୩ ଲକ୍ଷ ଓ ୨୦୨୪-୨୫ରେ ୨୪ ଲକ୍ଷ ଟଙ୍କାରେ ପହଞ୍ଚିଛି । ଚାଷ କ୍ଷେତ୍ରରେ ସୌରଭଙ୍କ ଉଦ୍ୟମ ପାଇଁ ତାଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ରେ ବେଷ୍ଟ ଫାର୍ମର ଆୱାଡ ମିଳିଛି । ସେହିପରି ଷ୍ଟେଟ୍ ଫିସରୀ ଡିପାର୍ଟମେଣ୍ଟ ପକ୍ଷରୁ ବର୍ଷ ୨୦୨୨-୨୩ ପାଇଁ ତାଙ୍କୁ ବେଷ୍ଟ ଫାର୍ମର ଆୱାର୍ଡରେ ସମ୍ମାନିତ କରାଯାଇଛି । କୃଷି ଓଡ଼ିଶା-୨୦୧୯ରେ ତାଙ୍କୁ ବିଗ୍ ଫାର୍ମର ଆୱାର୍ଡ ମଧ୍ୟ ମିଳିସାରିଛି । ଆଗକୁ ବତକ ସହ କୁକୁଡା ଫାର୍ମିଂ ଓ ଗୋପାଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସୌରଭ ।
୯ଟି ବର୍ଗରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଓଟିଭି ପକ୍ଷରୁ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫ ପ୍ରଦାନ କରାଯାଇଛି । ସ୍ୱତନ୍ତ୍ର ଚୟନକର୍ତ୍ତାଙ୍କ ଦ୍ୱାରା ପ୍ରତି ବିଭାଗରୁ ୩ ଜଣ ଲେଖାଏଁ ଶ୍ରେଷ୍ଠ ବ୍ୟକ୍ତି ଫାଇନାଲ୍ ନୋମିନେସନରେ ସ୍ଥାନ ପାଇଥିବା ପରେ ଅନଲାଇନ୍ ଭୋଟିଂ ଜରିଆରେ ପ୍ରତି ବିଭାଗରେ ଶ୍ରେଷ୍ଠଙ୍କୁ ବଛା ଯାଇ ପୁରସ୍କୃତ କରାଯାଇଥିଲା । ଆଉ କୃଷି କ୍ଷେତ୍ରରେ ସୌରଭ ପଟ୍ଟନାୟକ ଓସିଏ ଆୱାର୍ଡ ହାତେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/01/oca-2025-agriculture-2025-12-01-21-56-21.jpg)