Advertisment

Jagannath Temple Darshan Is Becoming Difficult: ଶ୍ରୀମନ୍ଦିରରେ ଥମୁନି ଅସମ୍ଭାଳ ଭିଡ଼, ଜିଗଜାଗ୍ ବ୍ୟାରିକେଡ୍ ଫୁଲ୍

ନୂଆବର୍ଷ ଯାଇ ଜାନୁଆରୀ ଅଧା ହେଲାଣି। ଶ୍ରୀମନ୍ଦିରରେ ଥମୁନି ଅସମ୍ଭାଳ ଭିଡ଼। ରବିବାର ବି ଜିଗଜାଗ୍ ବ୍ୟାରିକେଡ୍ ଫୁଲ୍। ଦ୍ୱାରଫିଟାଠୁ ପହୁଡ଼ ଯାଏଁ ନୀତି ବିଳମ୍ବ। କଲବଲ ହେଉଛନ୍ତି ଭକ୍ତ, ବିଭ୍ରାଟକାରୀଙ୍କ ବିରୋଧରେ ଆକ୍ସନ ଦାବି।

Jagannath Temple Darshan Is Becoming Difficult

ଶ୍ରୀମନ୍ଦିରରେ ଥମୁନି ଅସମ୍ଭାଳ ଭିଡ଼ Photograph: (OTV)

Advertisment

ନୂଆବର୍ଷ ଯାଇ ଜାନୁଆରୀ ଅଧା ପାର୍ କଲାଣି। ତଥାପି ଶ୍ରୀମନ୍ଦିରରେ ଥମୁନି ଅସମ୍ଭାଳ ଭିଡ଼। ଶନିବାର ପରେ ରବିବାରରେ ବି ବ୍ୟାରିକେଡ୍ ଉଛୁଳିଛି। ମରଚିକୋଟ୍ ଛକ ଯାଏଁ ଲାଗିଥିଲା ଧାଡ଼ି। କାହିଁକି ଦିନକୁ ଦିନ ଯନ୍ତ୍ରଣା ଦାୟକ ହେଉଛି ଜଗନ୍ନାଥ ଦର୍ଶନ। କାରଣ ଖୋଜା ଭିତରେ- ଅହେତୁକ ଭକ୍ତଙ୍କ ଆଗମନ ସାଙ୍ଗକୁ ନୀତି ବିଭ୍ରାଟ ଓ ବିଳମ୍ବକୁ ମୁଖ୍ୟତଃ ଦାୟୀ କରାଯାଉଛି। 

Advertisment

ସେବାୟତ ବି ମାନିଲେଣି-ଦ୍ୱାର ଫିଟା ଡେରି ହେଲେ, ଦିନ ସାରା ନୀତି ଡେରି ହେବା ନିଶ୍ଚିତ। ଏଥିପାଇଁ ପ୍ରଶାସନ ତତ୍ପର ହେଉ, ବିଭ୍ରାଟକାରୀଙ୍କୁ ଠାବ କରି ଆକ୍ସନ ନେଉ। ତେଣେ ଶ୍ରୀମନ୍ଦିର ପ୍ରଶାସନ ବି ଏଥିପ୍ରତି ଅଧିକ ଯତ୍ନବାନ ଥିବା କହିଥିଲେ ମୁଖ୍ୟ ପ୍ରଶାସକ।

ଶନିବାରର ଠାରୁ ରବିବାରରେ ଥିଲା ଢେର ଗୁଣା ଅଧିକ ଭିଡ଼। ସକାଳେ ପ୍ରଥମେ ଲାଇନ୍ ଶ୍ରୀନଅର ସାମ୍ନା ତ ତାପରେ ମରିଚିକୋଟ୍ ଛକ ଯାଏଁ ଲମ୍ବିଗଲା
ଜିଗ୍ ଜାଗ୍ ବ୍ୟାରିକେଡ୍ ଫୁଲ୍, ଘଣ୍ଟା ଘଣ୍ଟା ଧରି ଭକ୍ତ କଲବଲ। ନୂଆବର୍ଷ ଯାଇ ଜାନୁଆରୀ ଅଧା ପାର କଲାଣି ତଥାପି ଶ୍ରୀକ୍ଷେତ୍ରକୁ ଥମୁନି ଶ୍ରଦ୍ଧାଳୁଙ୍କ ଆଗମନ କି ଶ୍ରୀମନ୍ଦିର ଭିତର ଅସମ୍ଭାଳ ଗହଳିରେ ବି ଲାଗୁନି ବ୍ରେକ୍। କଣ ଏହାର କାରଣ ? ହଠାତ୍ ଏ ବେଳରେ କାହିଁକି ଏତେ ଭକ୍ତ ପୁରୀ ମୁହାଁ ? 

Advertisment

ସୂଚନା ଅନୁସାରେ ଏବେ ପଶ୍ଚିମବଙ୍ଗରେ ଗଙ୍ଗାସାଗର ମେଳା ଚାଲିଛି। ତେଣୁ ସେଠି ବୁଡ଼ ପକାଇ ଶ୍ରଦ୍ଧାଳୁ ସିଧା ପୁରୀ ଆସୁଛନ୍ତି। ତାସଙ୍ଗକୁ ଟ୍ରେନ୍ ଓ ବସ୍ ର ସୁବିଧା ଯୋଗୁଁ ଦେଶର କୋଣ ଅନୁକୋଣରୁ ବି ଭକ୍ତ ଜଗନ୍ନାଥ ଦର୍ଶନ ପାଇଁ ଛୁଟୁଛନ୍ତି। ସେଥିପାଇଁ ଆଉ ଭିଡ଼ କମିବାର ନା ନେଉନି। ଗୋଟିଏ ପଟେ ଅଣନିଶ୍ବାସୀ ଦର୍ଶନ ବ୍ୟବସ୍ଥା ତ ଅନ୍ୟପଟେ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ବ୍ୟାରିକେଡ୍ ରେ ଘଣ୍ଟା ଘଣ୍ଟା ଯନ୍ତ୍ରଣାକୁ ନେଇ ଭକ୍ତଙ୍କ କ୍ଷୋଭ ବଢି ବଢ଼ି ଚାଲିଛି।

ଏଠି ପ୍ରଶ୍ନ କାହିଁକି ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଫସି ରହୁଛନ୍ତି ଭକ୍ତ ? ସୂଚନା ଅନୁସାରେ ଏଥିପାଇଁ ଦୁଇଟି କାରଣ ମୁଖ୍ୟତଃ ଦାୟୀ- ପ୍ରଥମ ମାତ୍ରାଧିକ ଭକ୍ତଙ୍କ ଆଗମନ ଓ ଅନ୍ୟଟି ଅହେତୁକ ନୀତି ବିଳମ୍ବ। ଯେହେତୁ ଜଗନ୍ନାଥ ମନ୍ଦିର ଏକ ନୀତିକାନ୍ତି ବହୁଳ ମନ୍ଦିର, ତେଣୁ ଏଠି ଦ୍ବାର ଫିଟା ଡେରି ହୋଇଗଲେ ଦିନ ଯାକର ଠାକୁରଙ୍କ ନୀତି ବିଳମ୍ବ ହୋଇ ଚାଲେ। 

Advertisment

ଏଥିସହ ଠାକୁରଙ୍କୁ ଭୋଗ ଲାଗିବା ସମୟ ଯେମିତିକି- ସକାଳ ଧୂପ, ମଧ୍ୟାହ୍ନ ଧୂପ ଚାଲିଥିବାବେଳେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇ ନଥାଏ। ତେଣୁ ଥରେ ଭୋଗ ଲାଗି ହେଲେ ଘଣ୍ଟାଏ ପାଖାପାଖି ଦର୍ଶନ ଠପ୍ ହୁଏ, ଏଣେ ବ୍ୟାରିକେଡ୍ ଭର୍ତ୍ତି ହୋଇଯାଏ। ଆଉ ମଝିରେ ଯଦି କୌଣସି କାରଣରୁ ମହା ସ୍ନାନ ହୁଏ ସେଥିପାଇଁ ମଧ୍ୟ ଆହୁରି ଘଣ୍ଟାଏ ଦର୍ଶନରେ ବ୍ରେକ୍ ଲାଗେ। 

ଏମିତିକି ଦେଖା ଯାଇଛି- କାଉ ରାବିବା ଆଗରୁ ଠାକୁରଙ୍କୁ ପହିଲି ଭୋଗ ଲାଗିବାର ନିୟମ ଥିଲେ ବି ଅନେକ ସମୟରେ ଏ ନୀତି ସୂର୍ଯ୍ୟ ଉଦୟ ପରେ ସଂପାଦିତ ହୋଇଛି। ଅନେକ ସମୟରେ ରାତ୍ର ପହୁଡ଼ ବି ଅହେତୁକ ବିଳମ୍ବ ହେଉଥିବାରୁ ପରବର୍ତ୍ତୀ ଦିନ ଦ୍ବାର ଫିଟା ନୀତି ଡେରି ହେଉଛି। 

ତେଣୁ ଏଥିପ୍ରତି ବିଭିନ୍ନ ସେବାୟତ ନିଯୋଗ, ମୁଖ୍ୟ ପ୍ରଶାସକ ଓ ନୀତି ପ୍ରଶାସକ ଉତ୍ତର ଦାୟିତ୍ବ ନେଇ ନୀତି ବିଭ୍ରାଟ କରୁଥିବା ପାଳିଆ ସେବକଙ୍କ ପ୍ରତି କଠୋର ହେବାକୁ ଉଠିଛି ଦାବି। ସେପଟେ ଶନିବାର ପରିଚାଳନା କମିଟି ବୈଠକରେ ଶୃଙ୍ଖଳିତ ନୀତିକାନ୍ତି ସହ ଦର୍ଶନକୁ ପ୍ରାଧାନ୍ୟ ଦିଆଯାଇଥିବା କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Jagannath Temple Puri Jagannath Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ