airstrip
ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁରର ପ୍ରସ୍ତାବିତ ଏୟାରଷ୍ଟ୍ରିପ୍। ରନୱେ ପ୍ରସ୍ତୁତ, ଏଟିସି ତୟାର, ଯାତ୍ରୀଙ୍କୁ ସ୍ୱାଗତ ପାଇଁ ଟର୍ମିନାଲ୍ ବିଲ୍ଡିଂ ବି ଅପେକ୍ଷାରେ। ହେଲେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଏହି ଏୟାରଷ୍ଟ୍ରିପ୍ରେ ନା ଲ୍ୟାଣ୍ଡିଂ କରୁଛି କୌଣସି ଯାତ୍ରୀବାହୀ ବିମାନ, ନା ଟେକ୍ଅପ୍ କରୁଛି। ଦୀର୍ଘ ଦିନ ବିତିଯାଇଥିଲେ ବି କାର୍ଯ୍ୟକ୍ଷମ ହୋଇପାରୁନି।
ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-ଡିଜିସିଏରେ ଆବେଦନ କରିଛି ଜିଲ୍ଲା ପ୍ରଶାସନ। ଅଥଚ ଏଯାଏଁ ମିଳିନି ଗ୍ରୀନ୍ ସିଗ୍ନାଲ୍। କାରଣ ଏମଜିଆଇ-୨୮ ସିଟ୍ରୁ ଏଟିଆର୍-୭୨ ସିଟ୍ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଥିଲେ ବି ନିର୍ମାଣ ପାଇଁ ଠିକା ସଂସ୍ଥା ସହ ଚୁକ୍ତିରେ ବିଳମ୍ବ ଘଟୁଛିା
କେବେ ହେବ ନିର୍ମାଣ କାମ ଆଉ କେବେ ଉଡ଼ିବ ଯାତ୍ରୀବାହୀ ବିମାନ ତାକୁ ନେଇ ଲାଗିରହିଛି ଅନିଶ୍ଚିତତା। କେବଳ ଜୟପୁର କାହିଁକି, ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍-ସେଲ୍ ଅଧିନରେ ଥିବା ରାଉରକେଲା ଏୟାରଷ୍ଟ୍ରିପ୍ର ମଧ୍ୟ ସମାନ ଅବସ୍ଥା। ଆଜି ଯାଏଁ ସାଧାରଣ ଯାତ୍ରୀଙ୍କୁ ନେଇ ଏହି ଏୟାରଷ୍ଟ୍ରିପ୍ ଉଡ଼ିନି କୌଣସି ବିମାନ।
ଭୁବନେଶ୍ୱର ଏୟାରପୋର୍ଟକୁ ଛାଡ଼ିଦେଲେ ରାଜ୍ୟରେ ରହିଛି ୨୦ଟି ଏୟାରଷ୍ଟ୍ରିପ୍। ବଡ଼ବିଲ୍, ବିରାଶାଳ, ହୀରାକୁଦ, ରାଇସୁଆଁ, ତୁଷରା, ଉତ୍କେଲା, ଗୁଡ଼ାରୀ, ସତିଭଟ୍ଟା, ଗୋଟମା, ରାଇରଙ୍ଗପୁର, ରଙ୍ଗେଇଲୁଣ୍ଡା ଓ ଜୟପୁରରେ ଥିବା ଏୟାରଷ୍ଟ୍ରିପ୍ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଛି। ବଳକା ୮ଟି ଏୟାରଷ୍ଟ୍ରିପ୍ ରହିଛି ଅନ୍ୟ ଘରୋଇ ସଂସ୍ଥା ଏବଂ ବ୍ୟକ୍ତି ବିଶେଷଙ୍କ ହାତରେ।
ସରକାରଙ୍କ ଅଧିନରେ ଥିବା ସର୍ବାଧିକ ୧୨ଟି ଏୟାରଷ୍ଟ୍ରିପ୍ ବିମାନ ଉଡ଼ାଣ ପାଇଁ ଯୋଗ୍ୟ। ଦେଖାରଖା ସହ ରକ୍ଷଣାବେକ୍ଷଣ ପାଇଁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି ହେଉଛି ରାଜକୋଷରୁ। କିନ୍ତୁ ବିଡ଼ମ୍ବନା, ଏସବୁ ଏୟାରଷ୍ଟ୍ରିପ୍ କେବଳ ବାବୁ ଭାୟାଙ୍କୁ ଛାଡ଼ିଦେଲେ ସାଧାରଣ ଯାତ୍ରୀଙ୍କୁ ଏଯାଏଁ ବିମାନସେବା ଯୋଗାଇ ପାରିନି।
ବିଶେଷଜ୍ଞଙ୍କ କହିବା କଥା, ଏସବୁର ଯଦି ସଦ୍ ବିନିଯୋଗ ହୁଅନ୍ତା ତାହେଲେ ରାଜ୍ୟବାସୀଙ୍କ ପାଇଁ ପରିବହନ ସହ ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ହୁଅନ୍ତା।
ରାଜ୍ୟର ୫ଟି ସ୍ଥାନରେ ଯାତ୍ରୀଙ୍କୁ ବିମାନସେବା ଦେବାର ଲକ୍ଷ୍ୟ ରଖି କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନାରେ ଭୁବନେଶ୍ୱର ସହ ରାଉରକେଲା, ଜୟପୁର, ଝାରସୁଗୁଡ଼ା ଓ ଉତ୍କେଲା ଏୟାରଷ୍ଟ୍ରିପ୍ରେ ଭିତ୍ତିଭୂମି ନିର୍ମାଣ କରାଯାଇଥିଲା। କିନ୍ତୁ କିଛି ସ୍ଥାନରେ ଜମି ଅଧିଗ୍ରହଣ ସମସ୍ୟା ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁ ଯୋଜନା ଏବେ ଅଧା ବାଟରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/airstrip_1625113878.jpg)