Kotia Photograph: (OTV)
କୋରାପୁଟ ଜିଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ପଞ୍ଚାୟତ ଆନ୍ଧ୍ର ସୀମାରେ ରହିଛି। ସୀମାନ୍ତରେ ଥିବା ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଚାଲିଛି। ଏ ବିବାଦ ଆଜିର ନୁହେଁ। ଦଶନ୍ଧି ଦଶନ୍ଧି ଧରି ଏ ବିବାଦ ଚାଲିଆସିଛି। ଏହା ଭିତରେ ସ୍ବାଧୀନତାର ସାତ ଦଶନ୍ଧିରୁ ଊର୍ଦ୍ଧ୍ବ ବିତିଗଲାଣି। ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ହୁଏ। କୋଟିଆ ଗ୍ରାମପୁଞ୍ଜରୁ ଭୋଟ ହାତେଇବା ପାଇଁ ନେତାଙ୍କ ଭିଡ଼ ଜମେ। କୋଟିଆକୁ ହାତେଇବା ପାଇଁ ଉଭୟ ଆନ୍ଧ୍ର ଓ ଓଡ଼ିଶାର ନେତା ପ୍ରତିଯୋଗିତା କରନ୍ତି। ପ୍ରକୃତରେ କୋଟିଆ କାହାର ? ଓଡ଼ିଶାର ନା ଆନ୍ଧ୍ରର।
ସବୁବେଳେ ଚର୍ଚ୍ଚାର ପରିସର ମଧ୍ୟରେ ରହିଆସିଛି କୋଟିଆ ପଞ୍ଚାୟତ। ଅଙ୍କାବଙ୍କା ରାସ୍ତା, ଅସ୍ତବ୍ୟସ୍ତ ଜୀବନ। ଏବେ ବି କୋଟିଆରେ ଅଧିକାଂଶ ଗ୍ରାମକୁ ଯିବା ପାଇଁ ସବୁଦିନିଆ ରାସ୍ତା ନାହିଁ। ବର୍ଷା ହେଲେ ଘରେ ବନ୍ଦୀ ଜୀବନ କାଟିବାକୁ ପଡ଼େ। ବିଜୁଳି ସାତ ସପନ। ପିଇବା ପାଇଁ ଝରଣା ପାଣି ହିଁ ଏକମାତ୍ର ସାହାଭରସା। ଏମାନେ ନିଜେ ନିଜର ଭାଗ୍ୟରେଖା ତିଆରି କରନ୍ତି। ଏଠାରେ ଜୀବନକୁ କିଛି ଭରସା ନାହିଁ। ଦୁର୍ଦ୍ଦଶା ଭିତରେ ଜୀବନ ଖୋଜନ୍ତି କୋଟିଆବାସୀ।
ଦୁର୍ଭାଗ୍ୟକୁ ସେମାନେ ସୌଭାଗ୍ୟ ବୋଲି ମାନିନିଅନ୍ତି। ସରକାରୀ ଅଫିସର ଓ ଲୋକ ପ୍ରତିନିଧି ଆସନ୍ତି ମେଞ୍ଚାଏ ପ୍ରତିଶ୍ରୁତି ଦିଅନ୍ତି ପୁଣି ନିଜ ବାଟରେ ଚାଲିଯାଆନ୍ତି। ପୂର୍ବ ସରକାର କୋଟିଆର ସ୍ୱତନ୍ତ୍ର ବିକାଶ ପାଇଁ ଘୋଷଣା କରିଥିଲେ ୧୫୦ କୋଟିର ଯୋଜନା। ତଥାପି କୋଟିଆବାସୀ ପ୍ରକୃତ ବିକାଶ ଏ ପର୍ଯ୍ୟନ୍ତ ଦେଖିପାରିନାହାନ୍ତି। ଏମାନଙ୍କ ଜୀବନଧାରଣର ମାନ ବଦଳିପାରିନାହିଁ। ତଥାପି ଏମାନଙ୍କ ମନରେ କ୍ଷୋଭ ନାହିଁ କି ଅଭିଯୋଗ ବି ନାହିଁ।
କୋଟିଆ ପଞ୍ଚାୟତର ୪୦ଟି ଗ୍ରାମର ଉନ୍ନୟନମୂଳକ କାମ ତଦାରଖ ପାଇଁ ଏକ ବ୍ଲକ୍ସ୍ତରୀୟ କମିଟି ଗଠନ କରାଯାଇଥିଲା। ଏହି କମିଟି ଏଠିକା ଲୋକଙ୍କ ଭଲମନ୍ଦ ବୁଝିବା ସହିତ ସମସ୍ୟାର ସମାଧାନ କରିବ। କିନ୍ତୁ ତାହା ଖାଲି କମିଟିରେ ରହିଯାଇଛି। ଏହା କାର୍ଯ୍ୟକାରୀ କେତେ ହୋଇଛି, ସେ ନେଇ କୌଣସି ସରକାର କେବେ ତତ୍ପରତା ଦେଖାଉନାହାନ୍ତି।
କୋଟିଆ ଗ୍ରାମପୁଞ୍ଜକୁ ଆନ୍ଧ୍ର ଆଖି ପକାଇଛି। ଏକଥା ଆମେ ଆଜି ନୁହେଁ, ଅନେକ ବର୍ଷ ହେଲା ଶୁଣି ଆସିଛୁ। ଏ ନେଇ ବିବାଦ ୧୯୬୮ ମସିହାରୁ । ଏ ବିବାଦ ସୁପ୍ରିମକୋର୍ଟରେ ଅଛି । ଏହି ସମୟ ମଧ୍ୟରେ ଅନେକ ଥର ସରକାର ବି ବଦଳିଛନ୍ତି। କିନ୍ତୁ କାହିଁକି କୋଟିଆକୁ ଓଡ଼ିଶା ତାର କବ୍ଜାରେ ରଖିପାରିନି। ଆନ୍ଧ୍ର ଏଠାରେ ରାଜୁତି କରିବା ପରେ ଓଡ଼ିଶା ତତ୍ପରତା ଦେଖାଏ। ସେଇ କେଇଦିନ ଖୁବ୍ ଯତ୍ନଶୀଳ ହୋଇପଡ଼େ ଓଡ଼ିଶା। କୋଟିଆବାସୀଙ୍କ ମନ ଜିତିବାକୁ ସରକାର ସେ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଇତ୍ୟାଦିର ସାମଗ୍ରିକ ବିକାଶ ଓ ଓଡ଼ିଆ ଭାଷାର ପ୍ରସାର କରିବା ପାଇଁ ଗତ ସରକାର ପଦକ୍ଷେପ ନେଇନାହାନ୍ତି କାହିଁକି ?
କୋଟିଆରେ ଆଜି କିଛିମାତ୍ରାରେ ବିକାଶ ହୋଇଛି ସତ କିନ୍ତୁ ତାହା ଆଖିଦୃଶିଆ ନୁହେଁ। ବାରମ୍ବାର ଆନ୍ଧ୍ର କୋଟିଆକୁ ପଶି ଆସି କୋଟିଆବାସୀଙ୍କ ମନ ଜିଣିବାକୁ ପ୍ରୟାସ କରିଛି। ଏହାକୁ ଓଡ଼ିଶା ସରକାର ତୀବ୍ର ବିରୋଧ କରିବା ସହିତ ସମାଧାନର ପନ୍ଥା ମଧ୍ୟ ଆପଣେଇବା ଦରକାର। ଏ ଅଞ୍ଚଳ ପାଇଁ ସରକାର ପର୍ଯ୍ୟାପ୍ତ ପରିମାଣର ବ୍ୟୟ ଅଟକଳ କରି ଏମାନଙ୍କ ଜୀବନ ଧାରଣର ମାନକୁ ସ୍ବାଭାବିକ୍ କରିବାର ପ୍ରୟାସ କ୍ରମାଗତ ଭାବେ ଜାରି ରଖିବାର ସମୟ ଉପନୀତ। କୋଟିଆବାସୀ ଯେହେତୁ ଦୁଇଟି ରାଜ୍ୟର ସରକାରୀ ସୁବିଧା ପାଉଛନ୍ତି। ତେଣୁ ସେମାନେ ମଧ୍ୟ ମୁହଁ ଖୋଲୁନାହାନ୍ତି। କୋଟିଆବାସୀଙ୍କ ସମସ୍ତ ସୁବିଧା ପୂରଣ କରିବାକୁ ନିର୍ଭର ପ୍ରତିଶ୍ରୁତିଟିଏ ସେମାନେ ହୁଏତ ଏ ପର୍ଯ୍ୟନ୍ତ ପାଇପାରିନାହାନ୍ତି। ସେଥିପାଇଁ ଦୁଇ ରାଜ୍ୟର ଯୋଜନାକୁ ଉପଭୋଗ କରୁଛନ୍ତି। ଜୀବନ ବିକଳରେ ବେଳେବେଳେ ସ୍ବାଭିମାନକୁ ବି ଜଳାଞ୍ଜଳି ଦେବାକୁ ପଡ଼େ, ଏକଥା ଭଲଭାବେ ବୁଝିସାରିଛନ୍ତି କୋଟିଆବାସୀ।
ଭାଷଣ ନୁହେଁ କାମ ଦରକାର
ସବୁ କାଳେ କୋଟିଆ ଓଡ଼ିଶାର ଥିଲା, ରହିବ ଏକଥା ଖାଲି ଭାଷଣରେ କହିଲେ ହେବ ନାହିଁ। କୋଟିଆ ପାଇଁ ହୃଦୟରୁ ଲଢ଼ିବା ଦରକାର। ଲଢ଼ିବା ପାଇଁ ସମସ୍ତ ଓଡ଼ିଆଙ୍କର ପ୍ରକୃତ ଆନ୍ତରିକତା ଲୋଡ଼ା। କୋଟିଆବାସୀଙ୍କୁ ଓଡ଼ିଶା ସରକାର ସମସ୍ତ ସୁବିଧା ଯୋଗାଇ ଦିଅନ୍ତୁ। ସେମାନଙ୍କୁ ଅନୁପ୍ରବେଶକାରୀଙ୍କ କବଳରୁ ମୁକ୍ତ କରନ୍ତୁ।
ଅତୀତରେ ଆମ ସରକାରଙ୍କ ଅକ୍ଷମତା ଯୋଗୁ ଷଢେଇକଳା, ଖରସୁଆଁ, ପଶ୍ଚିମ ସିଂହଭୂମି, ମେଦିନାପୁର ଇତ୍ୟାଦି ଓଡ଼ିଶାରୁ ବିଖଣ୍ଡିତ ହେଲା। ଉକ୍ତ ଅଞ୍ଚଳରେ ୧ କୋଟିରୁ ଊର୍ଦ୍ଧ୍ବ ଓଡ଼ିଆ, ଏପରିକି କେତେକ ଅଞ୍ଚଳରେ ଶତକଡ଼ା ୯୦%ରୁ ଅଧିକ ଓଡ଼ିଆ ବସତି ଥାଇ ମଧ୍ୟ ସେସବୁ ଅଞ୍ଚଳ ବିହାର, ବେଙ୍ଗଲ, ମଧ୍ୟପ୍ରଦେଶ କବ୍ଜାକୁ ଚାଲିଗଲା। ଆମ ଓଡ଼ିଶା ଏଥିପ୍ରତି ଆନ୍ତରିକତା ଦେଖାଇନାହିଁ। ଫଳରେ ସେମାନେ ଆମ ସୀମାକୁ ଅକ୍ତିଆର କରୁଛନ୍ତି। ଏବେ ଆଉ ସହିବାର ସମୟ ନାହିଁ। ଏବେ ଲଢ଼ିବାର ସମୟ ଉପନୀତ।
୧୯୫୨ ମସିହାରୁ କୋଟିଆର ତିନିଟି ଗାଁରେ ନିର୍ବାଚନ କରାଉଛି ଆନ୍ଧ୍ରପ୍ରଦେଶ। ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ସଦାଶିବ ତ୍ରିପାଠୀଙ୍କ ପରି ମୁଖ୍ୟମନ୍ତ୍ରୀ ସେତେବେଳେ କାହିଁକି ଏ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଲେ ନାହିଁ ବା ତତ୍ପରତା ଦେଖାଇଲେ ନାହିଁ। ତାହା ମଧ୍ୟ ଏକ ପ୍ରଶ୍ନବାଚୀ ? ଆନ୍ଧ୍ର ଏଠାରେ ନିର୍ବାଚନ କଲା, ଅଥଚ ଓଡ଼ିଶା ସରକାର ନିରବ ରହିଲା। ଏ ନେଇ ସୁପ୍ରିମକୋର୍ଟରେ ମାମଲା ମଧ୍ୟ ହୋଇଛି। ଆନ୍ଧ୍ର ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ, ୧୯୫୨ ମସିହାରୁ କୋଟିଆର ଗଞ୍ଜେଇବାଦରା, ପାଟୁଚିନ୍ନାଉରୁ, ପଗୁଲୁଚିନ୍ନାଉରୁ ଗାଁରେ ଆନ୍ଧ୍ର ନିର୍ବାଚନ କରାଉଛି। ଏହି ସବୁ ଗାଁ ଆର୍କୁ ସଂସଦୀୟ କ୍ଷେତ୍ରରେ ଯାଉଛି। ଏଠି ୨୦୦୬ ଓ ୨୦୧୩ ପଞ୍ଚାୟତ ନିର୍ବାଚନ କରାଇଥିବାବେଳେ ପ୍ରାର୍ଥୀ ମଧ୍ୟ ଦେଇଛି। ୨୦୧୪ ଓ ୨୦୧୯ ମସିହାର ଭୋଟ୍ର ତାଲିକା, ଭୋଟର ସଂଖ୍ୟା ଭଳି ବିଭିନ୍ନ ତଥ୍ୟକୁ କୋର୍ଟରେ ଦାଖଲ କରାଯାଇଛି ବୋଲି ଆନ୍ଧ୍ର ଜବାବ ରଖିଛି।
ବିଗତ ବର୍ଷଗୁଡ଼ିକରେ ପୂର୍ବତନ ସରକାରଙ୍କ ତାଗିଦା ସତ୍ତ୍ବେ ବି ଆନ୍ଧ୍ରର କିଛି ଅଧିକାରୀ କୋଟିଆ ଗ୍ରାମପୁଞ୍ଜରେ ପହଞ୍ଚି ମାଗଣା ଚାରା ବଣ୍ଟନ ସହ ଗାଁକୁ ଗାଁ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରିଥିଲେ। ପାର୍ବତୀପୂରମ ଆଇଟିଡିଏ, ପିଓ ଆର୍.କେ. ଉର୍ମନାଥ, ଫାଟୁସେନେରି, ଫଗୁଣସେନେରି, ମାଡକର, ତଳସେମ୍ବି, ଉପରସେମ୍ବି, ଗଞ୍ଜେଇପଦର ଗାଁକୁ ଯାଇ ଚାରାବଣ୍ଟନ କରିଥିଲେ। ପଶୁଡାକ୍ତର ଟିମ ଛେଳି, ମେଣ୍ଢା, ଗାଈ, ବଳଦଙ୍କୁ ଚିକିତ୍ସା କରିଥିଲେ। ଏଠାରେ ପ୍ରଶ୍ନ ଉଠେ ସେମାନେ ଏହା କାହିଁକି କରୁଛନ୍ତି। କୋଟିଆ ଓଡ଼ିଶାର ବୋଲି ଜାଣିବା ପରେ ବି ଏ ସାହସ କାହିଁକି ଜୁଟାଇ ପାରୁଛନ୍ତି ଆନ୍ଧ୍ର ସରକାର। ଅବଶ୍ୟ ସେ ସମୟର ସରକାର ଏହାକୁ ତୀବ୍ର ବିରୋଧ କରିଥିଲେ, ଆନ୍ଧ୍ର ଏପରି କରିବାକୁ ସାହସ କରିପାରି ନ ଥାନ୍ତେ। ଅନ୍ୟପକ୍ଷରେ ଆନ୍ଧ୍ର ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ କୋରାପୁଟ ବିକାଶ ପରିଷଦ ଓ ଆମ କୋଟିଆ ସଂଗଠନ ବିରୋଧ କରିଛି। ହେଲେ ସରକାର ଏଥିପ୍ରତି ଉଦାରତା ଦେଖାଇନାହାନ୍ତି। ଫଳରେ କୋଟିଆକୁ ଆନ୍ଧ୍ର ନେବାକୁ ବସିଛି।
ଭାଷାଭିତ୍ତିରେ ମଧ୍ୟ କୋଟିଆ ଗ୍ରାମପୁଞ୍ଜକୁ ଦଖଲ କରିବାକୁ ଗୁପ୍ତ ଯୋଜନା ଚଳାଇଛି ଆନ୍ଧ୍ର। ଏପରି କି ବିଗତ ବର୍ଷଗୁଡ଼ିକରେ କୋଟିଆ ଗ୍ରାମପୁଞ୍ଜରେ ତେଲୁଗୁ ସାଇନବୋର୍ଡ ବି ମାରିଥିଲା। ଅବଶ୍ୟ କୋରାପୁଟ ପ୍ରଶାସନ ଓଡିଶା ସରକାରଙ୍କ ପକ୍ଷରୁ ଗାଁଗୁଡ଼ିକର ନାଁ ଓଡ଼ିଆରେ ଲେଖି ଆନ୍ଧ୍ରକୁ ମାତ୍ ଦେଇଥିଲା। ବିଗତ ସରକାରଙ୍କ ଅପାରଗପଣିଆ ଯୋଗୁଁ ଆନ୍ଧ୍ର କୋଟିଆରେ କାୟାବିସ୍ତାର କରିଛି।
ଓଡ଼ିଶା ସୀମାରେ ଥିବା କୋରାପୁଟ ଜିଲାର କୋଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରପ୍ରଦେଶ ସରକାର ନିଜର ମାଲିକାନା ଜାହିର କରି ବିଭିନ୍ନ ଗତିବିଧି ଜାରି ରଖିଥିବାବେଳେ ଓଡ଼ିଶା ସରକାର ‘କୋଟିଆ ଗ୍ରାମପୁଞ୍ଜ’କୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୦ଟି ନୂଆ ଇକୋ ରିଟ୍ରିଟ୍ ସ୍ଥଳୀରେ କୋଟିଆକୁ ସାମିଲ କରାଯାଇଛି। ଏହାସହିତ ଅନ୍ୟ ୩ଟି ସ୍ଥାନକୁ ନେଚର କ୍ୟାମ୍ପ ଭାବେ ମଧ୍ୟ ବିକଶିତ ପାଇଁ ନିଷ୍ପତ୍ତି ନିଆଯାଇଛି ।
ଓଡ଼ିଶାର ନେତା ଏବଂ ସରକାର ଭଲଭାବେ ଜାଣିଛନ୍ତି ଆନ୍ଧ୍ର କଳେବଳେ କୌଶଳେ କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଚାହୁଁଛି। ତେଣୁ ଏହାକୁ ପ୍ରତିହତ ଦେବାକୁ ପୂରାଦମ୍ରେ ଲାଗିବା ଦରକାର। ଯାହାସବୁ ଘୋଷଣା କରୁଛନ୍ତି, ତାହାର ରୂପାୟନ ତୁରନ୍ତ କରାଇବାର ସମୟ ଆସିଛି। ନ ହେଲେ ନେଡ଼ି ଗୁଡ଼ କହୁଣୀକୁ ବୋହି ଯାଇଥିବ....ଭାବିଲା ବେଳକୁ ଆଉ କିଛି ନ ଥିବ। କୋଟିଆର ସମନ୍ବିତ ବିକାଶ ସରକାରଙ୍କ ଲକ୍ଷ୍ୟ, ଖାଲି ଭାଷଣରେ କହିଦେଲେ ହେବନି, ଏହାକୁ କାର୍ଯ୍ୟରେ ପରଣିତ କରିବାକୁ ପଡ଼ିବ।
ପରିବହନ ବିଭାଗ ପକ୍ଷରୁ କୋଟିଆରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ବସ ସେବା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ଘୋଷଣାକୁ ମାସ ପରେ ମାସ ବିତିବାରେ ଲାଗିଛି। ମାତ୍ର ଏହାକୁ ତୁରନ୍ତ ନ କରିଲେ ସୁଯୋଗ ହାତଛଡ଼ା କରିପାରେ ଓଡ଼ିଶା । ଖଣି ଖାଦାନରେ ଭରପୂର କୋଟିଆ। ସେଠାରେ ଏକ ପାହାଡ଼କୁ ସୁନା ପାହାଡ଼ ବୋଲି କୁହାଯାଉଛି। ତାକୁ ଚିହ୍ନଟ କରାଯାଇ ତାର ସଦୁପଯୋଗ କରିବା ପାଇଁ ଖଣି ବିଭାଗ ବି ପଦକ୍ଷେପ ନେଉଛି ବୋଲି ସରକାର ମଧ୍ୟ ସୂଚନା ଦେଇଛନ୍ତି। ଏହା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଶୁଭଙ୍କର ।
କିନ୍ତୁ ଏ ନେଇ ଓଡ଼ିଶା ସରକାର, ସ୍ଥାନୀୟ ପ୍ରଶାସନ ବିଶେଷ ଭାବେ ତତ୍ପରତା ଦେଖାଇବା କଥା। ଓଡ଼ିଶା ନ କଲେ ସେଇ ସୁବିଧା କୋଟିଆବାସୀଙ୍କୁ ଆନ୍ଧ୍ର ଦେଇପାରେ। ମନ କିଣିବାକୁ ଆନ୍ଧ୍ରକୁ ବିଭିନ୍ନ ତରିକା ଜଣା। ତେଣୁ ସବୁ ଦଳର ନେତା, ଜନତା ଆଉ ସରକାର ମିଶି କୋଟିଆକୁ ଓଡ଼ିଶା ହାତରେ ରଖିବା ହିଁ ସବୁଠାରୁ ବୁଦ୍ଧିମତ୍ତାର କାର୍ଯ୍ୟ ହେବ।
ସୀମା ବିବାଦ ଭିତରେ ଓଡ଼ିଶା ଘାଣ୍ଟି ହେଉଛି। ଓଡ଼ିଶା ସରକାରଙ୍କ ଉଦାସୀନତାର ଫାଇଦା ନେଇ ଆନ୍ଧ୍ର ସରକାର ସକ୍ରିୟ ହେବା ସହିତ କୋଟିଆକୁ ତା ଅକ୍ତିଆରକୁ ନେବାକୁ ଚାହୁଁଛି। କୋଟିଆରେ ପ୍ରତିଦିନ ନାନା ସମସ୍ୟା ଘଟୁଥିଲେ ମଧ୍ୟ ଆମ ସରକାର ସେଥିପ୍ରତି ବିଶେଷ ଭାବେ ଆନ୍ତରିକତା ଦେଖାଉନାହାନ୍ତି। ଫଳରେ କୋଟିଆ ଅନେକ ପଛରେ ରହିଯାଇଛି। ଏହାର ଫାଇଦା ନେଉଛି ଆନ୍ଧ୍ର। ଏହା ଭିତରେ ସରକାର ଓଡ଼ିଶାରେ ବଦଳିଛି। ବିଜେପି ସରକାର କୋଟିଆକୁ ନେଇ କି ପ୍ରକାର ପଦକ୍ଷେପ ନେବେ, ତାହା ତ ଭିନ୍ନକଥା। ଆମ କୋଟିଆ ଆମ ଗୌରବ ନ୍ୟାୟରେ କୋରାପୁଟବାସୀଙ୍କୁ ବିଜେପି ସରକାର ନ୍ୟାୟ ଦେବ ବୋଲି ଚାହିଁ ରହିଛନ୍ତି କୋରାପୁଟବାସୀ।
ଓଡ଼ିଶା ସରକାର ଖାଲି ଲୋକଦେଖାଣିଆ ଦିନେ ଆସି ଯୋଜନାମାନ ଘୋଷଣା କରିଦେଲେ ଲାଭ କଣ ? କୋଟିଆରେ ଜିଲ୍ଲାପାଳଙ୍କ ଦ୍ବାରା ପ୍ରତିଦିନ ସ୍ଥିତି ପରଖା ଯିବା କଥା। କିନ୍ତୁ ସେପରି କରୁନାହାନ୍ତି। ଆନ୍ଧ୍ରର ଅଧିକାରୀ ଆସିସାରିବା ପରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗେ। ଏବେ କୋଟିଆ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଓ ସବୁଦଳର ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ । ତେଣୁ ସବୁ ରାଜନୈତିକ ଦଳ ମିଶି କୋଟିଆକୁ ଆନ୍ଧ୍ର କବଳରୁ ମୁକୁଳାଇବା ହିଁ ପ୍ରଥମ ଲକ୍ଷ୍ୟ ରଖିବା ଉଚିତ୍। ଯେତେଦିନ ପର୍ଯ୍ୟନ୍ତ ସରକାର ନ ଚେତିବେ, ସେତେଦିନ ପର୍ଯ୍ୟନ୍ତ କୋଟିଆରେ ଅନ୍ଧାର ହିଁ ଅନ୍ଧାର ଥିବ।
ବି.ଦ୍ର. - ଏହା ଲେଖିକାଙ୍କ ନିଜସ୍ୱ ମତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/22/kotia-2025-11-22-19-00-15.jpg)