Advertisment

ଗାଁ କୁ ମାଡ଼ି ଆସିଲା ଜୁଆର ପାଣି

ଅଣଚାଷ ପବନ ସହ ତୁହାକୁ ତୁହା ବର୍ଷା, ଆଉ ତାସାଙ୍ଗକୁ ପୁଣି ପୂର୍ଣ୍ଣିମା ତିଥି ଥିବାରୁ ସମୁଦ୍ରରେ ଉଠିଥିଲା ଉତ୍ତାଳ ଢେଉ, ଆଉ ବାତ୍ୟା ୟାସର ପ୍ରଭାବରେ ଜନବସତି ଆଡ଼କୁ ଧସେଇ ପଶିଥିଲା ଲୁଣି ପାଣିର ଜୁଆର। ଆଉ ତାର ଭୟଙ୍କର ପରିଣତି ଯିଏ ଦେଖିଛି ସିଏ ଜାଣିଛି

ଅଦ୍ୟତନ ହୋଇଛି
ଗାଁ କୁ ମାଡ଼ି ଆସିଲା ଜୁଆର ପାଣି

Waterlogging

Advertisment
  • ପୂର୍ଣ୍ଣମୀ ସାଙ୍ଗକୁ ୟାସର ପ୍ରଭାବ
  • ସମୁଦ୍ରକୂଳିଆ ବହୁ ଗାଁରେ ପଶିଛି ଲୁଣିପାଣି
  • ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
  • ବର୍ଷା ଓ ପବନ ଯୋଗୁଁ ୩ ଜଣଙ୍କ ମୃତ୍ୟୁ
  • କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
Advertisment

ଭୁବନେଶ୍ୱର: ବାତ୍ୟା ୟାସ୍ ପ୍ରଭାବରେ ଉପକୂଳିଆ ଅଞ୍ଚଳରେ ପବନ ଯେତିକି କ୍ଷତି ନକରିଛି, ତାଠାରୁ ଅଧିକ ବିପତ୍ତି ଆଣିଛି ଜନବସତି ଆଡକୁ ମାଡି ଆସିଥିବା ଜୁଆରିଆ ଲୁଣାପାଣି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାର ଅନେକ ସମୁଦ୍ରକୂଳିଆ ଗାଁରେ ଲୁଣି ପାଣି ମାଡ଼ିଯାଇ ଜଳବନ୍ଦୀ ଅବସ୍ଥା ସୃଷ୍ଟି କରିଛି। ଏପେଟେ ବାତ୍ୟା ପ୍ରଭାବରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ଫୁଲି ବନ୍ୟା ଆଶଙ୍କା ଦେଖାଦେଇଛି। ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି କହିଛନ୍ତି ଏସଆରସି।

ଅଣଚାଷ ପବନ ସହ ତୁହାକୁ ତୁହା ବର୍ଷା, ଆଉ ତାସାଙ୍ଗକୁ ପୁଣି ପୂର୍ଣ୍ଣିମା ତିଥି ଥିବାରୁ ସମୁଦ୍ରରେ ଉଠିଥିଲା ଉତ୍ତାଳ ଢେଉ, ଆଉ ବାତ୍ୟା ୟାସର ପ୍ରଭାବରେ ଜନବସତି ଆଡ଼କୁ ଧସେଇ ପଶିଥିଲା ଲୁଣି ପାଣିର ଜୁଆର। ଆଉ ତାର ଭୟଙ୍କର ପରିଣତି ଯିଏ ଦେଖିଛି ସିଏ ଜାଣିଛି। ଜଳବନ୍ଦୀ ଅବସ୍ଥାରେ ଜଳେଶ୍ୱର ଭୋଗରାଇ ବ୍ଲକର କୁମ୍ଭୀରଗଡି ଗାଁର ବାବା ଭୁଷଣ୍ଡେଶ୍ୱରଙ୍କ ମନ୍ଦିର ପାଖ ଗାଁ ଲୋକଙ୍କ କହିବା ଅନୁଯାୟୀ ରାସ୍ତା ଉପରେ ୪ରୁ ୫ ଫୁଟ୍ ଉଚ୍ଚାରେ ପାଣି ପ୍ରବାହିତ ହୋଇଥିଲା। ସୁବର୍ଣ୍ଣରେଖା କୂଳରେ ଥିବା କୁମ୍ଭୀରଗଡି ପଞ୍ଚାୟତରେ ଲୁଣା ପାଣି ମାଡି ଯାଇ ପ୍ରାୟ ୪୦୦ରୁ ୫୦୦ ଏକର ଚାଷ ଜମିକୁ ନଷ୍ଟ କରିଦେଇଛି।

Advertisment

ବାସୁଦେବପୁର ବ୍ଲକ୍ ଲୁଙ୍ଗା ପଞ୍ଚାୟତର ବଡ଼କିଆରୀ ଗାଁ ଲୁଣା ପାଣି ମାଡି ପୁରା ଗାଁ ଜଳମଗ୍ନ। ପାଣି ନିଷ୍କାସନ ହୋଇନପାରି ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଗାଁର ଦୁଇ ଶହ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବାସୁଦେବପୁର ବ୍ଲକର ବିଭିନ୍ନ ଗାଁରେ ଏଭଳି ପରିସ୍ଥିତି ସୃଷ୍ଟି କରିଛି ଜୁଆର। ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି। ଏଭଳି ଦୁର୍ଦ୍ଦଶା ଭିତରେ ଅଧିକାଂଶ ଗାଁ ଡଙ୍ଗା ହିଁ ପାଲଟିଛି ଗମନାଗମନର ମାଧ୍ୟମ।

୩ ଦିନର ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲା ଧାମରାର ସୋମପୁଟ ଏବଂ ଜାଗୁଳା ପଞ୍ଚାୟତର ଅନେକ ଗାଁ ଆଉ ହଜାର ହଜାର ଲୋକ ଏବେ ଜଳବନ୍ଦୀରେ ଅଛନ୍ତି। ଲୁଣା ପାଣି ମାଡରେ ବେହାଲ ଗ୍ରାମବାସୀ, ନଷ୍ଟ ହୋଇଯାଇଛି ଚାଷ ଜମି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବି ଲୁଣା ପାଣି ବଢାଇ ଦେଇଛି ଲୋକଙ୍କ ଦୁର୍ଦ୍ଦଶା। ରାଜନଗର ବ୍ଲକର ବାଘମାରୀ, ତାଳଚୁଆ, ଖମାର ସାହି ଓ ପଟାପାରିଆ ଆଦି ଗାଁରେ ଲୁଣା ଜଳ ମାଡି ଚାଷଜମି ସହ ଘରଦ୍ୱାରକୁ ନଷ୍ଟ କରିଛି।

Advertisment

ଏପେଟେ ବାତ୍ୟା ୟାସ୍ ପ୍ରଭାବରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ ବୈତରଣୀ ନଦୀ ଅବବାହିକାରେ ଦେଖାଦେଇଛି ବନ୍ୟା ଆଶଙ୍କା। ଆନନ୍ଦପୁର ଏବଂ ଆଖୁଆପଦାଠାରେ ବିପଦ ସଂକେତ ଉପରେ ବୋହୁଛି ବୈତରଣୀ। ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ବୈତରଣୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ନଦୀର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଲଗାତାର ଦୁଇ ଦିନର ବର୍ଷାରେ NH-49ରେ ଥିବା ତୁରୁମୁଙ୍ଗା ନିକଟରେ ପୋଲ ଉପରେ ୩ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ କେନ୍ଦୁଝର-ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଏବଂ ଯାଜପୁର ଜିଲ୍ଲାପାଳ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ବୋଲି ଏସ୍‌ଆରସି କହିଛନ୍ତି।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ