TATA-POWER Photograph: (OTV)
ବିଜୁଳି ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମା ବୋଝ । ଅନ୍ଧାରରେ ଗ୍ରାହକ, ମାଲେମାଲ ଟାଟା ପାୱାର । ଆପଣଙ୍କ ପାଖକୁ ବି ଆସିଛି କି ଟାଟା ପାୱାର ପକ୍ଷରୁ ଆଡିସିନାଲ ସିକ୍ୟୁରିଟି ଡିପୋଜିଟ ବା ଅତିରିକ୍ତ ସୁରକ୍ଷା ଜମା ପାଇଁ ଡିମାଣ୍ଡ ନୋଟିସ ? କାହିଁକିନା କାହାକୁ ୧୫ ଶହ ତା କାହାକୁ ୨ ହଜାର ଦାଖଲ କରିବାକୁ ହୋଇଛି ନୋଟିସ। ଯାହାକୁ ନେଇ ଗ୍ରାହକଙ୍କ ଭିତରେ ତେଜିଛି ଅସନ୍ତୋଷ। ଇଏ ହେଉଛନ୍ତି ଭୁବନେଶ୍ୱରର ଶ୍ବେତା ସାମଲ, ତାଙ୍କୁ ଆସିଛି ଅତିରିକ୍ତ ସୁରକ୍ଷା ଜମା ପାଇଁ ଡିମାଣ୍ଡ ନୋଟିସ୍। ଯାହାକୁ ଆଗାମୀ ୩୦ ଦିନ ଭିତରେ ଦାଖଲ କରିବାକୁ କୁହାଯାଇଛି। ଅନ୍ୟପଟେ ଟାଟା ପାୱାରର ଏହି ନିଷ୍ପତ୍ତିକୁ ବିରୋଧ କରିଛି ସାଲେପୁର ବିଦ୍ୟୁତ ଉପଭୋକ୍ତା ସଂଘ। ଏହାର ଜୋରଦାର ପ୍ରତିବାଦ ହେବ ବୋଲି ଚେତାବନୀ ଦେଇଛି ସଂଘ।
କଣ ଏହି ଆଡିସିନାଲ ସିକ୍ୟୁରିଟି ଡିପୋଜିଟ ବା ଅତିରିକ୍ତ ସୁରକ୍ଷା ଜମା। ଜଣେ ଉପଭୋକ୍ତା ଯେତେବେଳେ ବିଦ୍ୟୁତ ସଂଯୋଗ ନେଇଥାଏ ତାର ଡିମାଣ୍ଡ ଅନୁସାରେ ଏକ ସିକ୍ୟୁରିଟି ଡିପୋଜିଟ ଦାଖଲ କରିବାକୁ ହୁଏ। ଆକଳନ ଅନୁଯାୟୀ ଏ ବାବଦରେ ୨ ମାସର ବିଲ୍ ଡିପୋଜିଟ କରିବାକୁ ହୁଏ। ଓଇଆରସି ବା ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ନିୟମ ଅନୁସାରେ ପ୍ରତି ବର୍ଷ ଟାରିଫ ବୃଦ୍ଧି ହେବା ପରେ ଜଣେ ଉପଭୋକ୍ତା ଗତ ୧୨ ମାସ ବ୍ୟବହାର କରିଥିବା ବିଜୁଳିକୁ ହିସାବକୁ ନେଇ ପ୍ରକୃତ ଲୋଡ୍ ହିସାବ କରାଯିବ।
ପ୍ରକୃତ ଲୋଡ ହିସାବରେ ଯଦି ଆବଶ୍ୟକ ହେଉଥିବା ସିକ୍ୟୁରିଟି ଡିପୋଜିଟ ମୂଳ ସିକ୍ୟୁରିଟି ଡିପୋଜିଟ ଠାରୁ ୧୦ ପ୍ରତିଶତ ଅଧିକ ହୁଏ ତେବେ ବଳକା ଟଙ୍କା ଦାଖଲ କରିବାକୁ ଉପଭୋକ୍ତାଙ୍କୁ ନୋଟିସ ଦିଆଯିବ। ଆଉ ଯଦି ୧୦ ପ୍ରତିଶତରୁ କମ ହୁଏ, ତେବେ ଅଧିକ ଟଙ୍କାକୁ ପରବର୍ତ୍ତୀ ବିଜୁଳି ବିଲରେ ଆଡଜଷ୍ଟ କରାଯିବ । କିନ୍ତୁ ପ୍ରଶ୍ନ ଉଠୁଛି ୪ ବର୍ଷ ଧରି ବିଜୁଳି ଟାରିଫ ବୃଦ୍ଧି ହୋଇନଥିବା ବେଳେ, ଟାଟା ପାୱାର ସୁରକ୍ଷା ଜମା କାହିଁକି ସମୀକ୍ଷା କଲା ? ଆଉ ବଡ କଥା ହେଉଛି ଏ ବାବଦରେ କାହିଁକି ପୂର୍ବରୁ ଗ୍ରାହକଙ୍କୁ ସଚେତନ କରାଯାଉନି ? ବିଦ୍ୟୁତ ସଂଯୋଗ ବେଳେ କାହିଁକି କମ୍ପାନୀ ସହ ଏବାବଦରେ ଉପଭୋକ୍ତାଙ୍କ ଏଗ୍ରିମେଣ୍ଟ କରାଯାଉନି ? ଅନ୍ୟପଟେ ପୂର୍ବ ବର୍ଷ ମଧ୍ୟ ଆଡିସିନାଲ ସିକ୍ୟୁରିଟି ଡିପୋଜିଟ ଡିମାଣ୍ଡ ନୋଟିସ ଦେଇ ଉପଭୋକ୍ତାଙ୍କ ଠାରୁ ଟାଟା ପାୱାର କୋଟି କୋଟି ଟଙ୍କା ଆଦାୟ କରିଥିବାରୁ ଓଇଆରସି ନିକଟରେ ଏକ ମାମଲା ମଧ୍ୟ ବିଚାରଧୀନ ରହିଥିବା ବେଳେ ପୁଣି କାହିଁକି ଚଳିତ ବର୍ଷ ଟାଟା ପାୱାର ନୋଟିସ ଦେଇଛି ?
ତେବେ ଏନେଇ ଟାଟା ପାୱାର କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଥିବା ବେଳେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟୀକରଣ ରଖି କହିଛି, ଅତିରିକ୍ତ ସୁରକ୍ଷା ଜମା ସ୍ମାର୍ଟ ମିଟର ସହ ଜଡିତ ନୁହେଁ, ଏହା ବିଦ୍ୟୁତ ଆଇନ ୨୦୦୩ ଏବଂ ଓଇଆରସି ଅନୁଯାୟୀ ଅନୁପାଳନ କରାଯାଇଛି।.
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/15/tata-power-2025-12-15-21-48-34.jpg)