ଥାନା ପାଖରେ ଛକି ରହିଥିଲା ଯମ Photograph: (OTV)
ଝାରସୁଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୫ ପୋଲିସ କର୍ମଚାରୀଙ୍କ ଜୀବନ। ଆଜି ସକାଳେ ଝାରସୁଗୁଡ଼ା ସଦର ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ରିଜର୍ଭ ପୋଲିସର ୮ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବଲେରୋ ଗାଡ଼ିକୁ ସାମ୍ନାପଟୁ ଧକ୍କା ଦେଇଥିଲା ଲୁହାପଥର ବୋଝେଇ ଟିପ୍ପର। ଫଳରେ ଘଟଣାସ୍ଥଳରେ ହିଁ ୫ ପୋଲିସ କର୍ମଚାରୀ ଆଖି ବୁଜିଦେଇଥିଲେ। ଅନ୍ୟ ୩ ଜଣ ଏବେ ହସ୍ପିଟାଲ ବେଡରେ ମରଣ ସହ ସଂଘର୍ଷ କରୁଛନ୍ତି। ମୃତ ପୋଲିସ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଭୟଙ୍କର, ମର୍ମନ୍ତୁଦ, ଦୁଃଖଦ। ମୁହୂର୍ତ୍ତକ ମଧ୍ୟରେ ଚୁନା ହେଲା ପାଞ୍ଚ ପାଞ୍ଚଟି ସୁନାର ସଂସାର। ସ୍ଥାନ ଝାରସଗୁଡ଼ା ସଦର ଥାନା ସମ୍ମୁଖ ୪୯ ନମ୍ବର ଜାତୀୟ ରାଜପଥ। ଆଉ ସମୟ ଭୋର ପ୍ରାୟ ସାଢେ ୪ଟା। ଝାରସୁଗୁଡ଼ା ଗାନ୍ଧି ଛକ ଆଡୁ ଦୃତ ଗତିରେ ଆସୁଥିଲା ଏକ ଲୁହା ପଥର ବୋଝେଇ ଟିପ୍ପର। ସେପଟେ ବିପରୀତ ଦିଗ ଲଖନପୁର ଆଡୁ ଆସୁଥିଲା ଝାରସୁଗୁଡ଼ା ରିଜର୍ଭ ପୋଲିସର ୮ କର୍ମଚାରୀଙ୍କୁ ନେଇ ଏକ ବଲେରୋ। କେହି କିଛି ବୁଝିବା ପୂର୍ବରୁ ହାଠତ ସାମ୍ନାସାମ୍ନି ଧକ୍କା ହୋଇଥିଲେ ଦୁଇଟି ଗାଡ଼ି।
ଏହି ଦୁର୍ଘଟଣା ଥିଲା ଖୁବ୍ ଭୟଙ୍କର। ବଲରୋକୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡ଼ିଛି ୧୬ ଚକିଆ ଟିପ୍ପର। ଆଉ ଟିପ୍ପର ସହ ପିଟି ହେବା ପରେ ଓଲଟି ପଡ଼ିଥିଲା ବଲେରୋ ଗାଡ଼ି। ଉଭୟ ଗାଡ଼ିର ଅବସ୍ଥାରୁ ହିଁ ଅନୁମାନ କରି ହେଉଛି ଦୁର୍ଘଟଣାର ଭୟବହତା। ଦୁର୍ଘଟଣାରେ ଆଖି ବୁଜଥିବା କର୍ମଚାରୀମାନେ ହେଲେ APR କାଶୀରାମ ଭୋଇ, ଦେବଦତ୍ତ ସା, ଡ୍ରିଲ ସବ ଇନ୍ସପେକ୍ଟର ନିରଞ୍ଜନ କୁଜୁର, APR ହାବିଲଦାର ଲିଙ୍ଗରାଜ ଧୁରୁଆ ଓ ହୋମଗାର୍ଡ ଭକ୍ତବନ୍ଧୁ ମିର୍ଦ୍ଧା।
ଝାରସୁଗୁଡ଼ା ପୋଲିସର ସୂଚନା ଅନୁସାରେ ରାତିରେ ଡ୍ୟୁଟି ସାରି ଝାରସୁଗୁଡ଼ା ଫେରୁଥିଲେ ରିଜର୍ଭ ପୋଲିସର ୮ କର୍ମଚାରୀ। ତେବେ ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ଏଥିରେ ଭୁଲ କାହାର ସେ ନେଇ କିଛି ଜଣାପଡ଼ିନି। ସେପଟେ ଦୁର୍ଘଟଣାରେ ଆହତ ୩ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୨ ଜଣକୁ ସ୍ଥାନୀୟ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଣେ ପୋଲିସ କର୍ମଚାରୀ ଓ ଟିପ୍ପର ଡ୍ରାଇଭରଙ୍କୁ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି।
ଏଣେ ଘଟଣା ପ୍ରଚାରିତ ହେବା ପରେ ଝାରସୁଗୁଡ଼ା ମେଡିକାଲ ପରିସରରେ ସୃଷ୍ଟି ହୋଇଥିଲା ଅତ୍ୟନ୍ତ ଶୋକାକୂଳ ପରିବେଶ। ପୋଲିସର ବରିଷ୍ଠ ଅଧିକାରୀ, ମୃତ ପୋଲିସ କର୍ମଚାରୀଙ୍କ ଆତ୍ମୀୟ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଆଉ ମୃତ କର୍ମଚାରଙ୍କ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା ସାରା ଅଂଚଳ।...
ଆଜିର ଭୟଙ୍କର ଦୁର୍ଘଟଣା ପରେ ବ୍ୟସ୍ତବହୁଳ ଝାରସୁଗୁଡ଼ାର ଏ ୪୯ ନମ୍ବର ଜାତୀୟ ରାଜପଥକୁ ୪ ଲେନ୍ କରିବାର ଦାବି ଜୋର ଧରିଛି। ଝାରସୁଗୁଡ଼ାରୁ ଛତିଶଗଡ଼ର ରାୟପୁରକୁ ସଂଯୋଗ କରୁଥିବା ରାସ୍ତାରେ ଏବେ ଅଧିକ ସଂଖ୍ୟାରେ ଗାଡ଼ି ଚଳାଚଳ ଏବଂ ବହୁ ସଂଖ୍ୟାରେ ଲୁହା ପଥର ବୋଝେଇ ଟ୍ରକ୍ ଯାତାୟତ କାରଣରୁ ଏହା କଳେବର ବୃଦ୍ଧି ନିହାତି ଜରୁରୀ ବୋଲି ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।
ଏ ଦୁଃଖଦ ଘଟଣା ପରେ ଝାରସୁଗୁଡ଼ା ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ମୃତ ପୋଲିସ କର୍ମଚାରୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ସାଥୀ ପୋଲିସ କର୍ମଚାରୀ। ସେପଟେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଏ ଘଟଣାରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/22/highway-collision-kills-5-police-officers-2026-02-22-19-32-58.jpg)