ରାଜଧାନୀବାସୀଙ୍କୁ କନ୍ଦେଇଲାଣି ଟ୍ରାଫିକ୍ ଯନ୍ତ୍ରଣା Photograph: (OTV)
ଯନ୍ତ୍ରଣା ଦେଉଛି ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା। ସକାଳେ ଅଫିସ ଓ ସ୍କୁଲ କଲେଜ ଯିବା ସମୟରେ ଭିଡ଼। ସନ୍ଧ୍ୟାରେ ନାକେଦମ୍ କରୁଛି ଟ୍ରାଫିକ୍ ଜାମ୍। ବିଭିନ୍ନ ପ୍ରମୁଖ ଛକରେ ଏମିତି କଲବଲ ହେଉଛନ୍ତି ରାଜଧାନୀବାସିନ୍ଦା। ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ଏଠି ଆମ୍ବୁଲାନ୍ସ ପାଇଁ ମଧ୍ୟ ରାସ୍ତା ନାହିଁ। ଭୁବନେଶ୍ୱର କାୟା ମେଲାଉଥିବା ବେଳେ ସମୟ ଆଗରୁ ବ୍ୟବସ୍ଥା ନକଲେ ଆଗକୁ ସ୍ଥିତି ଆହୁରି ଜଟିଳ ହୋଇପାରେ।
ରାଜଧାନୀ ରାସ୍ତାକୁ ଜୁହାର। ସନ୍ଧ୍ୟା ହେଲେ ଡର ଲାଗୁଛି। ଗାଡ଼ି ଧରି ବାହାରିବାକୁ ଇଚ୍ଛା ହେଉନି। ନାକେଦମ୍ କରୁଛି ଟ୍ରାଫିକ୍ ଜାମ। ଅସମ୍ଭାଳ ଭିଡ଼ରେ ଜହଗଞ୍ଜ ହେଉଛି ଜନଜୀବନ। ଘରୁ ବାହାରିଲେ କେତେବେଳେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ, ଆଉ କାମ ସାରି ଘରେ ପହଞ୍ଚିବାକୁ କେତେ ସମୟ ଲାଗିବ, ଏକଥା କାହାକୁ ଜଣା ନାହିଁ। କାରଣ ଟ୍ରାଫିକ୍ ଭିଡ଼ରେ ଫସିଲା କଥା ସରିଲା।
ଜୟଦେବ ବିହାର-ପଟିଆ ମୁଖ୍ୟ ରାସ୍ତାର ଟ୍ରଫିକ ସମସ୍ୟା ଭୟଙ୍କର ହୋଇଯାଉଛି। ପଛକୁ ପଛ ଗାଡ଼ିର ଲମ୍ବା ଲାଇନ୍। କେତେ ଦୂର ଯାଏଁ ଏଭଳି ଲମ୍ବିଛି ଟ୍ରାଫିକ ଆଖି ପାଉନି। ସମୟ ବଢ଼ିବା ସହ ଭିଡ଼ ବଢୁଛି ଆଉ ପଥଚାରୀ କଲବଲ ହେଉଛନ୍ତି। ଇଏ ଆଜି କି କାଲିର ଦୃଶ୍ୟ ନୁହେଁ, ନିଇତି ଏମିତି ଘାଣ୍ଟି ସନ୍ତୁଳି ହେଉଛନ୍ତି ରାଜଧାନୀ ବାସିନ୍ଦା।
ପଳାଶୁଣି ଛକ ହେଉ କି ଜୟଦେବ ବିହାର, ଅବା ନୟାପଲ୍ଲୀ। ପୁଣି ଇନଫୋସିଟି ରୋଡ୍, ମାଷ୍ଟର କ୍ୟାଣ୍ଟିନ, କଟକ ରୋଡ, ଜନପଥ, ବାଣୀବିହାର ଛକ, ସଚିବାଳୟ ମାର୍ଗ, CRP ସ୍କୋୟାରରେ ଏଭଳି ଦୟନୀୟ ଟ୍ରାଫିକ୍ ସମସ୍ୟା ଭୋଗୁଛନ୍ତି ଲୋକ। କେତେବେଳେ ଅଧାଘଣ୍ଟା ତ କେବେ ଘଣ୍ଟାଘଣ୍ଟା ଅଟକି ରୁହନ୍ତି ବସ୍, ଛୋଟ ଗାଡ଼ି ଓ ବାଇକ ଆରୋହୀ। ଆଉ ଏସବୁ ରାସ୍ତାରେ କିଛି ଦୁର୍ଘଟଣା ଘଟିଲେ କଥା ସରିଲା। ଏମିତି କି ଆମ୍ବୁଲାନ୍ସ ଯିବାକୁ ବି ବାଟ ରହୁନି। ଆମ୍ବୁଲାନ୍ସ ପାଇଁ ସ୍ୱତନ୍ତ୍ର ରାସ୍ତା କରିବାକୁ କେବେଠାରୁ ସରକାର ଘୋଷାଣ କରିଛନ୍ତି। କିନ୍ତୁ ଏଯାଏଁ କାର୍ଯ୍ୟକାରି ହୋଇପାରିଲା ନାହିଁ।
ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ମତରେ, ରାସ୍ତା ପ୍ରଶସ୍ତୀକରଣ ବେଳେ ବସ୍ ବେ, ଆମ୍ବୁଲାନ୍ସ ପାଇଁ ସ୍ବତନ୍ତ୍ର ଯୋଜନା କରାଯାଉନି। ଲେନ୍ ଡ୍ରାଇଭିଂ ନେଇ କୌଣସି କଟକଣା ବି ନାହିଁ। ସେହିପରି ରାସ୍ତା ଉପରେ ପାର୍କିଂ ଯୋଗୁଁ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି।
ଭୁବନେଶ୍ୱରର କଳେବର ବଢୁଛି। ଜନସଂଖ୍ୟା ଉଛୁଳିଲାଣି। ଗାଡ଼ିମୋଟର ସଂଖ୍ୟା ଅହେତୁକ ଭାବରେ ବଢି ଚାଲିଛି। ସେହି ଅନୁସାରେ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇନି। ବିଶେଷ କରି କୌଣସି ମେଳା, ମହୋତ୍ସବ କିମ୍ବା ଲଗାତାର ଛୁଟି ଦିନ ପଡ଼ିଲେ ଅସମ୍ଭାଳ ହେଉଛି ଟ୍ରାଫିକ୍ ନିୟନ୍ତ୍ରଣ। ସାଧାରଣ ଲୋକ ଘାଣ୍ଟି ହେଉଥିବା ବେଳେ ସରକାର, ପ୍ରଶାସନ ଓ ଟ୍ରାଫିକ ପୋଲିସ ତୁରନ୍ତ ଏହାର ସମାଧାନ କାଢ଼ିବାକୁ ଦାବି ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/23/traffic-chaos-grips-bhubaneswar-2026-01-23-20-14-15.jpg)