ମଣିଷ-ବାଘ ଲଢେଇ; ହାରିଲା ବାଘ, ଜିତିଲା ମଣିଷ Photograph: (OTV)
ବାଘ-ମଣିଷ ଲଢେଇରେ ବାଘ ମଲା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କଟକ ଜିଲ୍ଲା ନରସିଂହପୁରରେ ନିଜ ଜୀବନ ବଞ୍ଚାଇବାକୁ ଯାଇ କଲରାପତରିଆକୁ ମାରିଛି ମଣିଷ। ଗୁରୁତର ଯୁବକ ଶୁଭ୍ରାଂଶୁ ଭୋଳ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ରାତିରେ ଏକ ଫାର୍ମ ହାଉସରେ ବାଘ-ମଣିଷ ଯୁଦ୍ଧକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ତେବେ କେମିତି ବାଘ ସହିତ ଲଢି ଜିତିଲେ ଶୁଭ୍ରାଂଶୁ, ଆସନ୍ତୁ ଜାଣିବା।
ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି ଏକ ଫାର୍ମ ହାଉସ୍। ଯେଉଁଠି ବାଘ-ମଣିଷ ଯୁଦ୍ଧରେ ବାଘ ମରିଛି। ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ସେତିକି ରହସ୍ୟମୟ ବି। ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧିନ ଅନନ୍ତପ୍ରସାଦ ଗାଁର ଏ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଆଉ ଭୟକୁ ସମାଧି ଦେଇ ବାଘ ବଧ କରିଥିବା ଇଏ ସେହି ସାହାସୀ ଯୁବକ ଶୁଭ୍ରାଂଶୁ ଭୋଳ। ଅଧରାତିରେ ଏକାକୀ କଲରାପତରିଆ ସହ ଲଢି, ନିଜ ଜୀବନ ବଞ୍ଚାଇବା ସହିତ ବାଘର ଜୀବନ ନେଇଛନ୍ତି ଶୁଭ୍ରାଂଶୁ। କଲରାପତରିଆ ଆକ୍ରମଣରେ ଲହୁଲୁହାଣ ବି ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ତେବେ କେମିତି ବାଘ ହାବୁଡ଼ରେ ପଡ଼ିଗଲେ ଶୁଭ୍ରାଂଶୁ ? କିଭଳି ଲଢିଲେ, କେମିତି ମାରିଲେ ? ଇଏ ସେହି ଭୟାନକ ସମୟର କାଳ୍ପନିକ ଚିତ୍ର। ସମୟ ପ୍ରାୟ ରାତି ୧୨ଟା... ଫାର୍ମହାଉସ୍ ଭିତରେ ଥାଆନ୍ତି ଶୁଭ୍ରାଂଶୁ। ଏତିକିବେଳେ ଜଙ୍ଗଲରୁ କଲରାପତରିଆ ଆସି ପ୍ରଥମେ କୁକୁରଙ୍କୁ ଆକ୍ରମଣ କରିଥିଲା। ହଠାତ୍ କୁକୁର ଭୁକିବା ଶୁଣି ବାହାରକୁ ଧାଇଁଆସିଥିଲେ ଶୁଭ୍ରାଂଶୁ । ଆଉ ନିଜେ ପଡ଼ିଯାଇଥିଲେ ବାଘ ଆଖିରେ। ଦେଖୁଦେଖୁ ଶୁଭ୍ରାଂଶୁଙ୍କୁ ଝାମ୍ପ ମାରିଥିଲା କଲରାପତରିଆ। ଭୟରେ ସେ ଯେତିକି ଯେତିକି ପଛକୁ ଯାଉଥିଲେ, ଗର୍ଜନ କରି ସେତିକି ସେତିକି ପିଛା କରୁଥିଲା ବାଘ।
ଶେଷରେ ଗୋଟିଏ ଘର ଭିତରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଜୋରଦାର ଲଢେଇ। ବାଘ ଆକ୍ରମଣରେ ଲହୁଲୁହାଣ ଶୁଭ୍ରାଂଶୁ କିନ୍ତୁ ହାର୍ ମାନିବା ମୁଡ୍ ରେ ନଥିଲେ। ଜୀବନ ବିକଳରେ ଏକ ଛୁରୀରେ କଲରାପତରିଆକୁ ଆକ୍ରମଣ କରି ନିଜକୁ ରକ୍ଷା କରିଥିଲେ। ବାଘଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବନ ବିଭାଗ ତଦନ୍ତ କରୁଛି।
ସାଧାରଣତଃ ବାଘକୁ ଦେଖିଲେ ମଣିଷର ବୁଦ୍ଧି ହଜିଯାଏ। ହେଲେ ଶୁଭ୍ରାଂଶୁଙ୍କ ସାହାସ ହିଁ ତାଙ୍କୁ ନୂଆ ଜୀବନ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/24/tiger-human-clash-shocks-odisha-2026-01-24-19-38-02.jpg)