କୋଟିଏରୁ ଅଧିକ ଆକାଉଣ୍ଟକୁ ଆସିଲା ଟଙ୍କା Photograph: (OTV)
ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ପାଇଁ ପୁଣି ଖୁସି ଆଣିଲା ସୁଭଦ୍ରା ଟଙ୍କା। ଖାତାକୁ ଗଲା ଆଉ 5 ହଜାର ଟଙ୍କା। ପୁରୀ ତାଳବଣିଆରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ସୁଭଦ୍ରା ଚତୁର୍ଥ କିସ୍ତି ବାବଦ ଟଙ୍କା ବାଣ୍ଟି ମହିଳାଙ୍କ ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ୟାକୁ ନେଇ ବି ତେଜିଛି ରାଜନୀତି।
ମହିଳା ଦିବସରେ ରାଜ୍ୟର ମହିଳା ପାଇଲେ ସୁଭଦ୍ରାର ଚତୁର୍ଥ କିସ୍ତି। କୋଟିଏ( ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫)ରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଗଲା ୫ ହଜାର କୋଟି(୫ ହଜାର ୧୦୬ କୋଟି ୩୩ ଲକ୍ଷ ୨୫)ରୁ ଊର୍ଦ୍ଧ୍ବ ଟଙ୍କା। ପୁରୀ ତାଳବଣିଆଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବାଣ୍ଟିଛନ୍ତି ସୁଭଦ୍ରା ଟଙ୍କା। ରିମୋଟର ବଟନ ଦବେଇ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟ ଟଙ୍କା ପଠାଯିବାର ଇଏ ହେଉଛି ସେଇ ଦୃଶ୍ୟ। ସବୁଠୁ ବଡ଼ କଥା ହେଉଛି ଏଥର ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀଙ୍କ ଆକାଉଣ୍ଟରେ ବି ପଶିଛି ସୁଭଦ୍ରା ଯୋଜନାର ଅର୍ଥ।
ଏଇ ଅବସରରେ ଉପସ୍ଥିତ ମହିଳାଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ନାରୀ ଶକ୍ତିଙ୍କୁ ସଶକ୍ତ କରିବା ପାଇଁ ଲୋକଙ୍କ ସରକାର ସଂକଳ୍ପ ବଦ୍ଧ। ଆଉ ସୁଭଦ୍ରା ଯୋଜନା ହେଉଛି ଏହି ସଂକଳ୍ପର ଏକ ଜ୍ବଳନ୍ତ ଉଦାହରଣ। ମହିଳାଙ୍କ ଶକ୍ତି ହିଁ ସମୃଦ୍ଧ ଓ ବିକଶିତ ଓଡିଶା ଗଠନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ। ୨୦୨୪ ସୁଦ୍ଧା ୬୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇ ସାରିଲେଣି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଗୋଟିଏ ପଟେ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସୁଭଦ୍ରା କିସ୍ତି ବଣ୍ଟନ। ଆଉ ଅନ୍ୟପଟେ ସୁଭଦ୍ରାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ଶଙ୍ଖ ଭବନରେ ଆୟୋଜିତ ମହିଳା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ଗ୍ରାଉଣ୍ଡରେ ବିଜେପି ସରକାର ସମ୍ପୂର୍ଣ୍ଣ ଫେଲ୍। ମହିଳାଙ୍କ ଉପରେ ଅତ୍ୟାଚାର ବଢିଚାଲିଛି, ଶୁଣିବାକୁ କେହି ନାହିଁ ବୋଲି କହି ବର୍ଷିଛନ୍ତି ନବୀନ। ଯାହାର କଡ଼ା ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଛନ୍ତି ଇଏ ଚାଲୁଣି ଛୁଞ୍ଚିକୁ କହଲା ଭଳି କଥା। ବିଜେଡି ସରକାର ସମୟରେ ଝିଅ ବୋହୂଙ୍କୁ ନ୍ୟାୟ ମିଳୁ ନଥିଲା। କିନ୍ତୁ ଏବେ ଝିଅ ବୋହୂଙ୍କୁ ୨୪ ଘଣ୍ଟାରେ ନ୍ୟାୟ ମିଳୁଛି,ମୁଖ୍ୟମନ୍ତ୍ରୀ ମଧ୍ୟ ମହିଳା ସୁରକ୍ଷାକୁ ନେଇ ସଜାଗ ଅଛନ୍ତି ବୋଲି କହିଛନ୍ତି ପ୍ରଭାତୀ।
ଏବେ ସୁଦ୍ଧା ସୁଭଦ୍ରା ହିତାଧିକାରୀମାନେ ୪ଟି କିସ୍ତିରେ ୨୦ ହଜାର ଟଙ୍କା ଲେଖାଏଁ ପାଇଲେଣି। ଉତ୍ସବରେ ସୁଭଦ୍ରା ଅର୍ଥର ଉପଯୋଗ କରି ଆର୍ଥିକ ଭାବେ ସ୍ବାବଲମ୍ବୀ ହୋଇଥିବା ୫ ଜଣ ହିତାଧିକାରୀଙ୍କୁ ଆଜି ମଞ୍ଚରେ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/08/subhadra-yojana-fund-distribution-2026-03-08-19-49-39.jpg)