Advertisment

Student Dies at KIIT University: KIITରେ ପୁଣି ଛାତ୍ର ମୃତ୍ୟୁ, ପୁଣି ବିବାଦ...ବର୍ଷକରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଉଠିଲା ପ୍ରଶ୍ନ

ପୁଣି କିଟ୍, ପୁଣି ଛାତ୍ର ମୃତ୍ୟୁ, ପୁଣି ବିବାଦ। ଅକାଳରେ ଚାଲିଗଲା ଆଉ ଜଣେ ଛାତ୍ରଙ୍କ ଜୀବନ। ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟ ହଷ୍ଟେଲ ରୁମ ଭିତରେ ସନ୍ଦେହଜନକ ସ୍ଥିତିରେ ଆଖି ବୁଜିଛନ୍ତି ଆଉ ଜଣେ ନିରୀହ ଛାତ୍ର।

Student Dies at KIIT University

Student Dies at KIIT University Photograph: (OTV)

Advertisment

ପୁଣି କିଟ୍, ପୁଣି ଛାତ୍ର ମୃତ୍ୟୁ, ପୁଣି ବିବାଦ। ଅକାଳରେ ଚାଲିଗଲା ଆଉ ଜଣେ ଛାତ୍ରଙ୍କ ଜୀବନ। ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟ ହଷ୍ଟେଲ ରୁମ ଭିତରେ ସନ୍ଦେହଜନକ ସ୍ଥିତିରେ ଆଖି ବୁଜିଛନ୍ତି ଆଉ ଜଣେ ନିରୀହ ଛାତ୍ର। ନାଁ ରାହୁଲ ଯାଦବ। ବୟସ ମାତ୍ର ୧୮ ବର୍ଷ। ଘର ଛତିଶଗଡ଼ର ରାୟପୁରରେ। KIITରେ ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ପଢୁଥିଲେ ରାହୁଲ। ସମୟ ରବିବାର ରାତି ୧୦ଟା ୪୫। କମିଶନରେଟ୍ ପୋଲିସ ସୂଚନା ଦେଇଛି, ଠିକ୍ ଏଇ ସମୟରେ ଇନଫୋସିଟି ଥାନାକୁ ଆସିଥିଲା ସୂଚନା। କିଟ୍ କିଙ୍ଗ୍ସ ପ୍ୟାଲେସ ହଷ୍ଟେଲର ୧୦ ନମ୍ବର କ୍ୟାମ୍ପସର ରହୁଥିବା ଜଣେ ଛାତ୍ର ରୁମ୍ ଭିତରେ ଝୁଲିପଡ଼ିଛି। ଖବର ମିଳିବା ପରେ ତୁରନ୍ତ ସ୍ପଟକୁ ଯାଇଥିଲା ପୋଲିସ। ଆଉ ଘଟଣାସ୍ଥଳରୁ ଛାତ୍ରଙ୍କୁ ଉଦ୍ଧାର କରି କିମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏ ଘଟଣା ପ୍ରଚାର ପରେ କ୍ୟାମ୍ପସରେ ଦାନା ବାନ୍ଧିଥିଲା ଉତ୍ତେଜନା। ଯେଉଥିପାଇଁ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଇନଫୋସିଟି ଥାନା ପୋଲିସ।...

ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ଯାଂଚ କରି ମୃତ ଛାତ୍ରଙ୍କ ରୁମରୁ ଗୋଟିଏ ମୋବାଇଲ ଫୋନ ଓ ଏକ ଲାପଟପ୍ ଜବତ କରି ରୁମ୍ ସିଲ କରିଛି ପୋଲିସ। ଏ ନେଇ ଇନଫୋସିଟି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ। ଛତିଶଗଡ଼ର ରାଇଘରରେ ରହୁଥିବା ପରିବାର ଭୁବନେଶ୍ବର ପହଞ୍ଚିବା ପରେ ଶବ ବ୍ୟବଛେଦ କରାଯିବ ସୂଚନା ଦେଇଛି ପୋଲିସ। ତେବେ କିଟ୍ ଭଳି ଘରୋଇ ଅନୁଷ୍ଠାନରେ ପାଣି ଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁ ପାଠ ପଢୁଥିବା ରାଜ୍ୟ ବାହାରର ଏ ଛାତ୍ର ଜଣକ କାହିଁକି ପ୍ରାଣ ହରାଇଲେ, ଆତ୍ମହତ୍ୟା ପଛରେ କେଉଁ କାରଣ ଦାୟୀ ଏବଂ କେଉଁ ପରିସ୍ଥିତିରେ ରୁମ୍ ଭିତରେ ଝୁଲିପଡ଼ିଲେ, ତାକୁ ନେଇ ଛିଡ଼ା ହୋଇଛି ଅନେକ ପ୍ରଶ୍ନ। କାରଣ ଏ ବର୍ଷ କିଟରେ ଏହା ତୃତୀୟ ଘଟଣା। ୟା ପୂର୍ବରୁ ଗତ ଫେବ୍ରୁଆରୀରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ହୁଲସ୍ତୁଲ ହୋଇଥିଲା ପୁରା ଦେଶ। ଛାତ୍ରୀଙ୍କ ମୃତ୍ୟୁ ପରେ କିଟ୍ କର୍ତ୍ତୃପକ୍ଷଙ୍କ ଅଶୋଭନୀୟ ଆଚରଣ ଅନ୍ତର୍ଜତୀୟ ସ୍ତରରେ ଆଲୋଡ଼ନ ବି ସୃଷ୍ଟି କରିଥିଲା। ଏ ଘଟଣାର  ଅଢେଇ ମାସ ପୁଣି ଆତ୍ମହତ୍ୟା କରିଥିଲେ ଆଉ ଜଣେ ନେପାଳୀ ଛାତ୍ରୀ। ଆଉ ଏବେ ଛତିଶଗଡ଼ ଛାତ୍ରଙ୍କ ମୃତ୍ୟୁ ପରେ, କିଟ୍ କଣ ସୁଇସାଇଡ୍ ଜୋନ୍ ପାଲଟିଛି କି ବୋଲି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।...

Advertisment



 ଏପଟେ କିଟରେ ପୁଣି ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମୂଳ ପ୍ରସଙ୍ଗକୁ ନଯାଇ, ଗଣମାଧ୍ୟମ ଉପରେ ରାଗ ସୁଝାଇଛନ୍ତି କିଟ୍ କର୍ତ୍ତୃପକ୍ଷ। ଛାତ୍ରମୃତ୍ୟୁ କେମିତି ଏବଂ କେଉଁ ପରିସ୍ଥିତିରେ ହେଲା, ସେ ସମ୍ପର୍କରେ ପଦୁଟିଏ ବି ନକହି, ବରଂ ଅତି ହାଲୁକା ଆଉ ଦାୟିତ୍ବହୀନ ପ୍ରତିକ୍ରିୟା ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ନେଇ ପ୍ରେସ ରିଲିଜ୍ ଜରିଆରେ ନିହାତି ଅବାନ୍ତର ସଫେଇ ରଖିଛନ୍ତି କିଟ୍ ଲୋକସମ୍ପର୍କ ନିର୍ଦ୍ଦେଶିକା। ତେବେ ଗତ ବର୍ଷକ ଭିତରେ କିଟରେ ୩ଟି ଆତ୍ମହତ୍ୟା ଘଟଣା ଘଟିଥିଲେ ବି ଏହାକୁ ରୋକିବା ଲାଗି କିଟ୍ କର୍ତ୍ତୃପକ୍ଷ କି ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ତାହା ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରି ନାହାନ୍ତି।...ଆଉ ଏପଟେ ଘରୋଇ ଶିକ୍ଷାନୁଷ୍ଠାନ କିଟରେ ବାରମ୍ବାର ଏଭଳି ଘଟଣା ପରେ KIIT ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଦଳ ମତ ନିର୍ବିଶେଷରେ ବହୁ ଜନ ପ୍ରତିନିଧି।...

ଏବେ ପ୍ରଶ୍ନ ଉଠୁଛି କେବଳ KIIT କ୍ୟାଂପସରେ କାହିଁକି ଏ ସାଂଘାତିକ ସୁଇସାଇଡ୍ ଟ୍ରେଣ୍ଡ ? କ୍ୟାମ୍ପସ ଭିତରେ ବାରମ୍ବାର ଛାତ୍ରମୃତ୍ୟୁ ଘଟଣା ଘଟୁଥିଲେ ବି କଣ ପାଇଁ ଚେତୁ ନାହାନ୍ତି KIIT କର୍ତ୍ତୃପକ୍ଷ ? ନିକଟରେ ଦୁଇ ଦୁଇ ଛାତ୍ରୀଙ୍କ ଜୀବନ ଯିବା ଏବଂ ଏହାକୁ ନେଇ ଦେଶ ବିଦେଶରେ ତମ୍ବି ତଫାନ ପରେ ବି କିଟ୍ କ୍ୟାମ୍ପସକୁ ଜିରୋ ସୁଇସାଇଡ୍ ଜୋନ୍ କରାଯାଇ ପାରୁନି କାହିଁକି ? ପୋଲିସ, ପ୍ରଶାସନିକ ତଦନ୍ତ, ମାନବାଧିକ କମିଶନଙ୍କ ତାଗିଦ ଏବଂ କୋର୍ଟଙ୍କ ହସ୍ତକ୍ଷେପ ପରେ ବି ଆତ୍ମହତ୍ୟା ପ୍ରବଣତା ରୋକିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାରେ ଅବହେଳା କରୁଛନ୍ତି କି ? ଏଭଳି ଅନେକ ପ୍ରଶ୍ନ ଏବେ ଛାତ୍ର, ଅଭିଭାବକ, ଶିକ୍ଷାବିତଙ୍କୁ ଚିନ୍ତାରେ ପକାଇଛି।...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ