z1
ସୋନପୁର/ଝାରସୁଗୁଡ଼ା: ‘ଫୋନି’ ଛାଟର ଦାଗ ଉପକୂଳବାସୀଙ୍କ ପିଠିରୁ ଲିଭି ନଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଅସମ୍ଭବ ଖରା ସାଙ୍ଗକୁ ନାକେଦମ୍ କଲାଭଳି ଗୁଳୁଗୁଳି ଏବେ ସାରା ଓଡ଼ିଶାକୁ କନ୍ଦାଉଛି।
ଗତ କିଛି ଦିନ ଧରି ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ଡିଗ୍ରୀ ଉପରେ ରହୁଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ରୁ ହିଁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ତାତିରୁ ବର୍ତ୍ତିବା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି।
/odishatv-khabar/media/post_attachments/wp-content/uploads/2019/05/q1-4.jpg)
ରାସ୍ତାଘାଟ, ଦୋକାନ ବଜାର, ଯେଉଁଆଡ଼େ ଦେଖିବେ ଖାଁ ଖାଁ। ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବଢୁଥିବାବେଳେ ସୋନପୁର ଜିଲ୍ଲା ବିନିକା ସହର ତତଲା କଢ଼େଇରେ ବସିଲା ପରି ଲାଗୁଛି। ଏତେ ମାତ୍ରାରେ ଗରମ ଅନୁଭୂତ ହେଉଛି ଯେ ଏଭଳି ଲାଗୁଛିକି ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି। ବିନିକା ସହରରେ ପ୍ରବଳ ଗରମ ଅନୁଭୂତ ହେଉଛି। ମୁଣ୍ଡ ଉପରେ ଖରା ଯେତିକି ଅଥୟ କରୁଛି ତାଠୁ ଅଧିକ କଷ୍ଟ ଦେଉଛି ଝାଞ୍ଜି ପବନ।
ତତଲା କଢ଼େଇରେ ପରିଣତ ହୋଇଛି ପୂରା ସହର। ତାତିରୁ ବର୍ତ୍ତିବା ପାଇଁ ଏବେ ସହରବାସୀ ତ୍ରାହି ତ୍ରାହି ଡାକିଲେଣି। ଦୁଇ ଦିନ ହେବ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ଦ୍ୱିପହର କଥା ଛାଡ଼ନ୍ତୁ, ସକାଳ ୧୦ଟାରେ ବି ଘରୁ ବାହାରିବା ମୁସକିଲ୍ ହୋଇପଡ଼ିଛି। ଫଳରେ ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି। ଦିନ ୧୦ଟାରୁ ଦୋକାନ ବଜାର ବନ୍ଦ ହେଇଯାଉଛି।
/odishatv-khabar/media/post_attachments/wp-content/uploads/2019/05/q3-1.jpg)
ଅନ୍ୟପଟେ ବାରମ୍ବାର ବିଦ୍ୟୁତ୍ କାଟ୍ ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଛି। ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଥିବା କୁହାଯାଉଥିଲେ ମଧ୍ୟ ତାହା ଯେମିତି ସମୁଦ୍ରଙ୍କୁ ଶଙ୍ଖେ।
କେବଳ ବିନିକା ନୁହେଁ, ପଶ୍ଚିମ ଓଡ଼ିଶାର ଅନେକ ସହରରେ ଏବେ ଏକା ଅବସ୍ଥା ଭୋଗୁଛନ୍ତି। ପ୍ରଚଣ୍ଡ ଖରାରେ ଝାରସୁଗୁଡ଼ା ସହରର ପାରଦ ୪୪ ପାର୍ ହେଇଯାଉଛି। ଜରୁରୀ କାମରେ ବାହାରକୁ ଯାଉଥିବା ଲୋକଙ୍କ ପାଇଁ ଖରା ଯେମିତି ଯନ୍ତ୍ରଣା ପାଲଟିଛି।
/odishatv-khabar/media/post_attachments/wp-content/uploads/2019/05/q2-3.jpg)
ମୁକ୍ତି ପାଇଁ ଲୋକେ ବାଧ୍ୟ ହୋଇ ଟୋପି, ଓଦା ଗାମୁଛା ବ୍ୟବହାର କରୁଛନ୍ତି। ଅନ୍ୟପଟେ ସୂର୍ଯ୍ୟଙ୍କ ରୌଦ୍ରତାପରୁ ଟିକିଏ ଆଶ୍ୱସ୍ତି ପାଇବା ପାଇଁ ଥଣ୍ଡା ପାନୀୟ ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି।
ସକାଳ ୮ରୁ ତାତି ବଢୁଥିବା ବେଳେ ସଂଧ୍ୟା ୬ଟା ଯାଏ ଏଥିରୁ ନିସ୍ତାର ମିଳୁନି। ଖରାରୁ ବର୍ତ୍ତିବା ପାଇଁ ଲୋକେ ସାବଧାନତା ଗ୍ରହଣ କରିବା ଏବେ ଜରୁରୀ ହୋଇ ପଡ଼ିଛି।
(ସୋନପୁର ବିନିକାରୁ ଦିଲୀପ କୁମାର ସାହୁ ଓ ଝାରସୁଗୁଡ଼ାକୁ ଭାଗୀରଥୀ ସାହୁଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/z1-2_1626429447.jpg)