sangam2
ଭଦ୍ରକ (ପାର୍ଥ ସାରଥୀ ନାୟକ) : ଛୋଟ ବେଳୁ ପାଠ ପଢିବାର ନିଶା, ହେଲେ ଦାରିଦ୍ର୍ୟତା ବାଟ ଜଗିଥିଲା। କିନ୍ତୁ ଏଥିରେ ବାଧା ସୃଷ୍ଟି କରିପାରି ନାହିଁ। ଯାହା ଫଳରେ ବାପା ଦୈତାରୀ ମଲ୍ଲିକଙ୍କ କୌଳିକ ବୃତ୍ତି ଆପଣେଇବା ସହ ଏକା ଧାରାରେ ପାଠ ପଢିବା ଓ ପରିବାର ପ୍ରତିପୋଷଣ ମଧ୍ୟ କରିଛନ୍ତି ସଂଗ୍ରାମ ମଲ୍ଲିକ । ସେ ନିଜର ନିଷ୍ଠା, ଚେଷ୍ଟା ଓ ଆନ୍ତରିକତା ବଳରେ ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି।
ଭଦ୍ରକ ମଲ୍ଲିକପାଟଣା ଗାଁରେ ରହୁଥିବା ସଂଗ୍ରାମ ମଲ୍ଲିକ ଦୀର୍ଘଦିନ ଧରି ରାସ୍ତା କଡ଼ରେ ଆଖୁ ରସ ବିକ୍ରି କରି ଇଞ୍ଜିନିୟରିଂ ପାଠ ପଢୁଛନ୍ତି। ନିଜ ପାଇଁ ଗଢିଛନ୍ତି ନିଜର ଭବିଷ୍ୟତ । ଡ଼ିପ୍ଲୋମାରୁ ଆରମ୍ଭ କରି ବି.କେଟ ପର୍ଯ୍ୟନ୍ତ ନିଜେ ବହନ କରିଛନ୍ତି ପାଠପଢା ଖର୍ଚ୍ଚ। ତାସହ ପରିବାରର ଭରଣ ପୋଷଣ କରୁଛନ୍ତି ସେ। ନିଜେ ଆଖୁରସ ବେପାର କରି ସେଥିରୁ ରୋଜଗାର ହେଉଥିବା ଅର୍ଥରେ ଇଂଜିନିୟରିଂ ପଢୁଛନ୍ତି ।
ଆଜି ନିଜର ଇଛା ଶକ୍ତି ବଳରେ ମେକାନିକାଲ ବିଟେକ୍ ପଢୁଛନ୍ତି। ନିଜର ଉଚ୍ଚ ଶିକ୍ଷା ପାଇଁ ରାସ୍ତା କଡ଼ରେ ଦୀର୍ଘଦିନ ହେବ ଆଖୁ ରସ ବିକ୍ରି କରୁଛନ୍ତି । ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ ସଂଗ୍ରାମଙ୍କ ପାଠପଢା ନିଶା ଆଗରେ ହାର ମାନିଛି ସବୁକିଛି । ତେଣୁ ପାଠ ପଢିବା ନିଶାରେ ସେ ଆସି ବାପାଙ୍କ ବେପାରରେ ହାତ ବଢାଇଲେ। ବାପାଙ୍କ ମନା କରିବା ସତ୍ତ୍ୱେ ମଧ୍ୟ ୧୫ଗୁଣ୍ଠ ଜମିରେ ନିଜ ଆଖୁ ଚାଷ କରିଥିଲେ। ଆଖୁ ରସ ମେସିନ କିଣି ନିଜେ ବାପାଙ୍କ ସହ ମିଶି ବେପାର କରିବାକୁ ଆରମ୍ଭ କଲେ ସେ । ଭଦ୍ରକ-ଆରଡି ମୁଖ୍ୟ ରାସ୍ତାର ଅସୁରାଳି ବଜାର ନିକଟରେ ଏବେ ଦୈନିକ ଏହି କାମ କରୁଛନ୍ତି ସଂଗ୍ରାମ।
ଉଚ୍ଚଶିକ୍ଷା ନେଇ ଭବିଷ୍ୟତରେ ଭଲ ମଣିଷ ହୋଇ ଚାକିରୀର ଲକ୍ଷ୍ୟ ରଖିଥିବା ସଂଗ୍ରାମ ଆଖୁ ରସ ବିକିବାରେ କେବେ କୁଣ୍ଠାବୋଧ ପ୍ରକାଶ ନକରିବା ଘଟଣା ଆଜିର ଯୁବପିଢି ପାଇଁ ଏକ ଦୃଷ୍ଟାନ୍ତ ଉଦାହରଣ ସୃଷ୍ଟି କରି ପାରିଛନ୍ତି। ଏହାକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିବା ସହ ସଂଗ୍ରାମ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି ବୁଦ୍ଧିଜୀବୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sangam2_1626686772.jpg)