MALKANGIRI-VIOLENCE Photograph: (OTV)
ଉପାନ୍ତ ମାଲକାନଗିରିରେ କେମିତି ଫେରିବ ଶାନ୍ତି ? MV-26 ଏବଂ ରାଖାଲଗୁଡ଼ା ଗାଁ ମଧ୍ୟରେ କେମିତି ବଜାୟ ରହିବ ସଦ୍ଭାବନା ? ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ କି ପଦକ୍ଷେପ ନିଆଯାଇପାରିବ ? ସରକାରୀ ସ୍ତରରେ ହୋଇଛି ବଡ଼ ଆଲୋଚନା। ତିଆରି ହୋଇଛି ବଡ଼ ବ୍ଲୁ ପ୍ରିଣ୍ଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଆଜି ଗ୍ରାଉଣ୍ଡଜିରୋରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସରେ ୨ ଗୋଷ୍ଠୀଙ୍କ ସହ କରିଛନ୍ତି ପୁଙ୍ଖାନୁପୁଙ୍ଖ ଆଲୋଚନା। କାହିଁକି ଉପୁଜିଲା ଏଭଳି ପରିସ୍ଥିତି ? ବିବାଦର ସମାଧାନ କ୍ଷେତ୍ରରେ କେଉଁଠି ରହିଲାକି ପ୍ରଶାସନିକ ତ୍ରୁଟି ? କ’ଣ ଥିଲା ଭାଗଚାଷ ବିବାଦ, ଯାହା ପାଇଁ ଜମି ମାଲିକାଣୀଙ୍କୁ କରାଗଲା ହତ୍ୟା ? କେଉଁ କାରଣରୁ MV-26ଗାଁରେ ଜଳିଲା ଅସନ୍ତୋଷର ନିଆଁ ? ଆଜି ୨ ଗୋଷ୍ଠୀଙ୍କୁ ପୃଥକ ପୃଥକ ଡାକି ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଆଇନଶୃଙ୍ଖଳା ଏଡିଜି ସଂଜୀବ ପଣ୍ଡା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କେବି ସିଂ, ଏସପି ବିନୋଦ ପାଟିଲ ଏବଂ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଉପସ୍ଥିତିରେ ଆଲୋଚନା କରିଛନ୍ତି କେଭି। କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଏ ସଂପର୍କରେ ବିସ୍ତୃତ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ତେବେ ଆଜିକୁ ୩ ଦିନ ହେଲା, ସ୍ବାଭାବିକ ହେଉଛି ସ୍ଥିତି। କାଲି ଭଳି ଆଜି ବି MV-26 ଗାଁକୁ ଫେରୁଛନ୍ତି ଲୋକେ। ସାରା ଗାଁକୁ ଜଗିରହିଛି ୧୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ରାଜ୍ୟର ୨୦ ପ୍ଲାଟୁନ୍ ଫୋର୍ସ। ପ୍ରଶାସନ ପକ୍ଷରୁ MV-26 ଗାଁର ବିପନ୍ନଙ୍କୁ ଆଜି ବି ଦିଆଯାଉଛି ରନ୍ଧାଖାଦ୍ୟ। ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ଆସନ୍ତାକାଲି ମଧ୍ୟରାତି ୧୨ଟା ଯାଏଁ ପୁଣି ଥରେ ଇଣ୍ଟରନେଟ୍ କଟକଣାକୁ ବଳବତ୍ତର ରଖିଛି ପ୍ରଶାସନ। ତଥାପି ଉଭୟ ଗୋଷ୍ଠୀ ନିଜ ନିଜ ଜିଦରେ ଅଟଳ। ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଦିବାସୀ ମହାସଂଘ ଦାବି ରଖିଛି, ମୃତକଙ୍କ ପୁଅକୁ ୩୦ ଲକ୍ଷ ଅନୁକମ୍ପାରାଶି ପ୍ରଦାନ, ପୁଅ ନାଁରେ ଜମି ପଟ୍ଟା ଦାବି, ଜବରଦଖଲ ଜମିର ଉଦ୍ଧାର କରାଯାଉ। ସେହିପରି ମାଲକାନଗିରି ବେଙ୍ଗଲି ସମାଜ ଦାବି ରଖିଛି, ହତ୍ୟାକାଣ୍ଡର ଅସଲ ଦୋଷୀଙ୍କୁ ଖୋଜି କଠୋରରୁ କଠୋର ସଜା ସହ ଘରପୋଡ଼ି ଥିବା ବ୍ୟକ୍ତିଙ୍କ ବିରୋଧରେ ଆକ୍ସନ ଏବଂ ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଦିଗରେ ପଦକ୍ଷେପ ନିଆଯାଉ।
ମାଲକାନଗିରି ଜିଲ୍ଲାରେ ରହିଛି ମୋଟ୍ ୨୧୪ଟି MV ବା ମାଲକାନଗିରି ଭିଲେଜ୍ ଏବଂ MPV ବା ମାଲକାନଗିରି ପୋଟେରୁ ଗାଁ। ଉଭୟ ହେଉଛି ଅଣଜନଜାତି ବହୁଳ ଇଲାକା। ଭୋଟର ସଂଖ୍ୟା ହେଉଛି ୧ ଲକ୍ଷ ୧୫ ହଜାର। ତଥ୍ୟ କହୁଛି, ୧୯୬୦ରେ ଯେଉଁ ଜନବସତି ଗଢ଼ି ଉଠିଲା, ତାକୁ କୁହାଗଲା MV। ୧୯୭୧ରେ ଯେଉଁ ଜନବସତି ଗଢ଼ି ଉଠିଲା, ତାକୁ କୁହାଗଲା MPV। ଏବେ ୧୩୯ଟି MV ଗାଁ ଥିବାବେଳେ ୭୫ଟି MPV ଗାଁ ରହିଛି। ଦୀର୍ଘ ଦଶନ୍ଧୀ ଧରି ଭାରତୀୟ ନାଗରିକର ମାନ୍ୟତା ସହ ସବୁ ସରକାରୀ ସୁବିଧା ପାଇ ଆସୁଛନ୍ତି ଏଠାରେ ରହୁଥିବା ୨ ଲକ୍ଷ ୪୦ ହଜାରରୁ ଅଧିକ ବଙ୍ଗଳା ଭାଷାଭାଷୀ ଲୋକେ।
ଏସବୁ ଭିତରେ ମାଲକାନଗିରି ଗଣ୍ଡଗୋଳର କାରଣ ଖୋଜିବାକୁ ବିଜେଡ଼ି ୭ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛି। ଏହି ଟିମ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ ପରେ ଦଳୀୟ ସଭାପତିଙ୍କୁ ରିପୋର୍ଟ ଦେବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/11/malkangiri-violence-2025-12-11-20-06-28.jpg)