AGAIN-PRISONER Photograph: (OTV)
ରାଜ୍ୟ ଜେଲ ସୁରକ୍ଷାରେ ବଡ଼ ଘଳିଆ। ସୋର ଜେଲରେ ଚୌଦ୍ବାର ଜେଲର ରିପିଟ୍ କାଣ୍ଡ । ଚୌଦ୍ବାରରେ ବିହାର କଏଦୀ, ସୋରରୁ ସେଇ ସମାନ ଢଙ୍ଗରେ ଜେଲ୍ ଡେଇଁ ଚମ୍ପଟ ମାରିଲା ଝାଡ଼ଖଣ୍ଡୀ କଏଦୀ। ସିସିଟିଭିରେ କଏଦ୍ ହୋଇଛି ସେଇ ସମୟର ଦୃଶ୍ୟ। ଜେଲ୍ କାନ୍ଥ ଡେଇଁବା ପୂର୍ବରୁ ସେଲରୁ ବାହାରି ଆରାମରେ ଚାଲି ଚାଲି ଯାଉଛି ଏକ ଚୋରି ମାମଲାରେ ଗିରଫ ଅଭିଯୁକ୍ତ ଝାଡଖଣ୍ଡର ଦୀପକ କୁମାର ରାୟ। ମାତ୍ର ୩ ଦିନ ତଳେ ଜେଲକୁ ଆସିଥିଲା । ହେଲେ ଢିଲା ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇ ରାତି ପାଖାପାଖି ଗୋଟାଏ ବେଳେ ଛୁ।
ସୋର ଥାନାରେ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ଆଧାରରେ ମାମଲା ରୁଜୁ କରି ଦୀପକକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ ଆରମ୍ଭ କରିଛି ବାଲେଶ୍ବର ପୋଲିସ। ବିଭିନ୍ନ ସ୍ଥାନରେ ଦୀପକର ଫଟୋ ଲଗାଇବା ସହ ଖୁବଶୀଘ୍ର ତାକୁ ଧରାଯିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ବାଲେଶ୍ବର ଏସପି। ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ଦୁଇ ଜେଲ୍ ୱାର୍ଡର ବିକାଶ କୁମାର ବେହେରା ଓ ବନମାଳୀ ବେହେରାଙ୍କୁ ନିଲମ୍ବନ କରିଛନ୍ତି ଜେଲ ଡିଜି।....
ଖାଲି କଏଦୀ ଚମ୍ପଟ୍ ଘଟଣା ନୁହେଁ, ଜେଲର ସେଲ ଭିତରେ ବି ଗ୍ୟାଙ୍ଗୱାର ସ୍ଥିତି। ପୁଣି ସେଇ ଚୌଦ୍ବାର ଜେଲରେ। ଦୁଇଦିନ ତଳେ ରାତି ଅଧିରେ ଚୌଦ୍ବାର ଜେଲରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ହୋଇଛି ରକ୍ତାକ୍ତ ସଂଘର୍ଷ।
ଜେଲ ୱାର୍ଡ ଭିତରେ ଶୋଇଥିବା ଜଣେ କଏଦୀକୁ ହଠାତ୍ ଅତର୍କିତ ଭାବେ ଅନ୍ୟ ଜଣେ କଏଦୀ ଆକ୍ରମଣ କରୁଛି ତ ଧଡ଼ପଡ଼ ହୋଇ ଉଠି ଅନ୍ୟ କଏଦୀମାନେ ଯିଏ ଯୁଆଡ଼େ ଧାଉଁଛନ୍ତି। ଆଉ ତା ପରେ ଦୁଇ ଗୋଷ୍ଠୀଙ୍କ ଭିତରେ ମାରପିଟରେ ରଣକ୍ଷେତ୍ର ପାଲଟୁଛି ଜେଲ୍ ସେଲ୍। ତେବେ କାହିଁକି ଜେଲର ଏ ସ୍ଥିତି ? ଜେଲରେ ଏବେ ଚାଲିଛି କ'ଣ ? ସୁରକ୍ଷାରେ ଏ ଢିଲା ବ୍ୟବସ୍ଥା କଣ ପାଇଁ ? ରାଜ୍ୟର ବିଭିନ୍ନ ଜେଲରେ ଗତ କିଛିଦିନ ହେଲା ଏଭଳି ହୁଗୁଳା ବ୍ୟବସ୍ଥାକୁ ଜେଲ୍ ଡିଜି ବି ସ୍ବାକୀର କରିଛନ୍ତି। କହିଛନ୍ତି ଯେଉଁ କର୍ମଚାରୀମାନେ ଏଥିପାଇଁ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆଗାମୀ ଦିନରେ ଆହୁରି ଏକାଧିକ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ତାଲିକା ଚାଲିଛି।
ଚୌଦ୍ବାର ଜେଲରୁ ଚମ୍ପଟ ଘଟଣାରେ ଏପର୍ଯ୍ୟନ୍ତ ଦୁଇ ବିହାରୀ କଏଦୀଙ୍କୁ ଧରିବାରେ ସଫଳ ହୋଇ ପାରିନଥିବା ରାଜ୍ୟ ପୋଲିସ୍ ପାଇଁ ସୋର ଘଟଣା ଏବେ ବଡ଼ ଚିନ୍ତାର କାରଣ ପାଲଟିଛି। ସେହିପରି ଚୌଦ୍ବାର ଘଟଣାରେ କେବଳ ଦୁଇ ଜଣ ତଳଆ କର୍ମଚାରୀଙ୍କୁ ନିଲମ୍ବନ କରି ବିଭାଗ ତୁନି ବସିଥିଲା ବେଳେ ଉପର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯେମିତି ହାତ ଯାଉନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/22/again-prisoner-2025-10-22-21-14-59.jpg)