Advertisment

President’s Pilgrimage, Pindadan Schedule in Odisha: ବିରଜା କ୍ଷେତ୍ର ଯିବେ ରାଷ୍ଟ୍ରପତି; ଚର୍ଚ୍ଚାରେ ଶ୍ୱେତଗଙ୍ଗା ଓ ନାଭିଗୟାରେ ପିଣ୍ଡଦାନ

ଆସନ୍ତାକାଲି ବିରଜା କ୍ଷେତ୍ର ଯିବେ ରାଷ୍ଟ୍ରପତି। ଚର୍ଚ୍ଚାରେ ଶ୍ୱେତଗଙ୍ଗା ଓ ନାଭିଗୟାରେ ପିଣ୍ଡଦାନ। ବିରଜାଙ୍କୁ ଦର୍ଶନ ସହ ନାଭିଗୟାରେ ପିଣ୍ଡଦାନ କରିବେ। ପୁରୀ ଶ୍ୱେତଗଙ୍ଗାରେ ପିଣ୍ଡଦାନ ବି କରିବେ ରାଷ୍ଟ୍ରପତି।

Natural Remedies for Maternal Recovery

ଚର୍ଚ୍ଚାରେ ଶ୍ୱେତଗଙ୍ଗା ଓ ନାଭିଗୟାରେ ପିଣ୍ଡଦାନ Photograph: (OTV)

Advertisment

ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ଅନେକ କାର୍ଯ୍ୟକ୍ରମ ଭିତରୁ ରାଜ୍ୟର ଦୁଇଟି ପବିତ୍ର ସ୍ଥାନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଯାଜପୁରର ନାଭିଗୟା ଏବଂ ପରଦିନ ଶ୍ରୀକ୍ଷେତ୍ର ପୁରୀର ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି। ଆପଣ ଜାଣନ୍ତି କି ପିଣ୍ଡଦାନ କାହିଁକି କରାଯାଏ, ବିଶେଷ କରି ନାଭିଗୟା ଏବଂ ଶ୍ବେତଗଙ୍ଗାରେ ପିଣ୍ଡଦାନ ପାଇଁ ରାଷ୍ଟ୍ରପତି କାହିଁକି ବାଛିଲେ, ଆସନ୍ତୁ ଏସବୁର ଉତ୍ତର ଜାଣିବା, ରହସ୍ୟ ଖୋଜିବା।

Advertisment

ନାଭିଗୟା ଏବଂ ଶ୍ବେତଗଙ୍ଗାରେ ପିଣ୍ଡଦାନର ରହସ୍ୟ ତ ଜାଣିବା, ପ୍ରଥମେ ଆସନ୍ତୁ ଜାଣିବା ପିଣ୍ଡଦାନ କ'ଣ ?

ପିଣ୍ଡଦାନ - ହିନ୍ଦୁ ଧର୍ମରେ ପିଣ୍ଡଦାନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପବିତ୍ର କର୍ମ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି- ପିତୃପୁରୁଷଙ୍କ ଆତ୍ମାଙ୍କୁ ଶାନ୍ତି ଓ ମୁକ୍ତି ପ୍ରଦାନ କରିବା। ବିଶ୍ବାସ ଅଛି ମୃତ୍ୟୁ ପରେ ଆତ୍ମା ପ୍ରେତଲୋକରେ ରହିଥାଏ। ଯେଉଁଠାରେ ଥାଏ ଅନେକ କଷ୍ଟ ସହ ଆସକ୍ତି। ପିଣ୍ଡଦାନ ଦ୍ୱାରା ଆତ୍ମା ସେହି ସଂସାରୀ ଆସକ୍ତିରୁ ମୁକ୍ତ ହୋଇ ପିତୃଲୋକକୁ ଯାଇପାରେ ଏବଂ ଶେଷରେ ମୋକ୍ଷ ଅର୍ଥାତ୍ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ପାଇପାରେ।

Advertisment

- ସେହିପରି ଦିବଙ୍ଗତ ମାତା ପିତା ଓ ପୂର୍ବପୁରୁଷଙ୍କ ଋଣ ପରିଶୋଧ କରିବାର ଏକ ମାଧ୍ୟମ ହେଉଛି ପିଣ୍ଡଦାନ। ଏହା କରିବା ଦ୍ୱାରା ପିତୃପୁରୁଷଙ୍କ ଆଶୀର୍ବାଦ ମିଳେ ଏବଂ ପରିବାରକୁ ସୁଖ-ସମୃଦ୍ଧି ଆସେ।

- ଗରୁଡ଼ ପୁରାଣ ଓ ଅନ୍ୟ ଶାସ୍ତ୍ର ଅନୁଯାୟୀ, ମୃତ୍ୟୁ ପରେ ଆତ୍ମାକୁ ଏକ ନୂଆ ଶରୀର ବା ପିଣ୍ଡ ଆବଶ୍ୟକ ହୁଏ। ତେଣୁ ସନ୍ତାନ କିମ୍ବା ନିକଟତମ ସ୍ବଜନ ପିଣ୍ଡ ଅର୍ଥାତ୍ ଭାତ, ତିଳ, ଘିଅ ଆଦିରେ ତିଆରି ଗୋଲାକାର ପିଣ୍ଡକୁ ଅର୍ପଣ କରି ସେହି ଆବଶ୍ୟକତା ପୂରଣ କରିଥାନ୍ତି।
 
କେଉଁ ସମୟରେ କରାଯାଏ?
- ମୃତ୍ୟୁ ପରେ ଅନ୍ତିମ ସଂସ୍କାର ସମୟରେ (୧୦ ଦିନ ମଧ୍ୟରେ ବିଭିନ୍ନ ପିଣ୍ଡଦାନ)
- ଶ୍ରାଦ୍ଧ ବାର୍ଷିକୀରେ
- ପିତୃପକ୍ଷ ସମୟରେ - ଯେତେବେଳେ କି ସମସ୍ତ ପୂର୍ବପୁରୁଷଙ୍କ ପାଇଁ ପିଣ୍ଡଦାନ କରାଯାଏ)
- ମାଘ ପୂର୍ଣ୍ଣିମା, ଦୀପାବଳି ଆଦି କିଛି ବିଶେଷ ଦିନରେ ହୁଏ
- ଅନ୍ୟ ସମୟରେ ବି କରାଯାଇ ପାରେ

Advertisment

ଓଡ଼ିଶାର ନାଭିଗୟା ଓ ଶ୍ୱେତଗଙ୍ଗା ଦୁଇଟି ଅତ୍ୟନ୍ତ ପବିତ୍ର ସ୍ଥାନ, ଯେଉଁଠି ପିଣ୍ଡଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଏହି ଦୁଇଟି ସ୍ଥାନ ପିତୃତୀର୍ଥ ଭାବେ ପ୍ରସିଦ୍ଧ ଏବଂ ପୂର୍ବପୁରୁଷଙ୍କ ଆତ୍ମାଙ୍କୁ ଶାନ୍ତି ଓ ମୁକ୍ତି ପ୍ରଦାନ କରିବାରେ ବିଶେଷ ଫଳଦାୟୀ ବୋଲି ବିଶ୍ୱାସ କରାଯାଏ।

ନାଭିଗୟା - ଯାଜପୁରରେ ମା’ ବିରଜା ମନ୍ଦିର ନିକଟରେ ଅଛି ନାଭିଗୟା। ଯାହା ବିରଜା କ୍ଷେତ୍ରର ଏକ ପ୍ରମୁଖ ତୀର୍ଥ।

ମହତ୍ତ୍ୱ- ନାଭିଗୟାକୁ ପିତୃତୀର୍ଥ ବା ନାଭିଗୟା ଭାବେ ଜଣାଯାଏ। ଏଠାରେ ପିଣ୍ଡଦାନ କଲେ ପୂର୍ବପୁରୁଷଙ୍କ ଆତ୍ମା ସ୍ୱର୍ଗପ୍ରାପ୍ତି କରନ୍ତି ଏବଂ ମୋକ୍ଷ ଲାଭ କରନ୍ତି ବୋଲି ବିଶ୍ୱାସ ରହିଛି। ଏହା ଗୟାଜୀ ପର୍ଯ୍ୟାୟରେ ଏକ ଗୁରୁତ୍ୱପୂର୍ଣ୍ଣ ପିତୃତୀର୍ଥ ଭାବେ ଗଣ୍ୟ। ଅର୍ଥାତ୍ ଗୟାରେ ପିଣ୍ଡଦାନର ସମଫଳ ନାଭିଗୟାରେ ମିଳେ। ତେଣୁ ମହାଳୟା ଓ ପିତୃପକ୍ଷରେ ଏଠାରେ ବହୁ ଲୋକ ପିଣ୍ଡଦାନ କରନ୍ତି।

ଶ୍ବେତଗଙ୍ଗା - ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିରର ପଶ୍ଚିମ ପାଖ ବାଲିସାହି ଅଞ୍ଚଳରେ ଅଛି ଶ୍ବେତଗଙ୍ଗା। ଏହା ପଞ୍ଚତୀର୍ଥରୁ ଗୋଟିଏ ଅର୍ଥାତ୍ ଶ୍ରୀକ୍ଷେତ୍ରର ଥିବା ୫ଟି ପ୍ରମୁଖ ପୁଷ୍କରିଣୀ ମଧ୍ୟରୁ ଗୋଟିଏ।

ମହତ୍ତ୍ୱ - ଏହା ଏକ ଅତ୍ୟନ୍ତ ପବିତ୍ର ପୁଷ୍କରିଣୀ। ଯାହାର ଜଳ ଭଗବାନ ବିଷ୍ଣୁଙ୍କ ନଖରୁ ଉତ୍ପନ୍ନ ବୋଲି ମହାଭାରତରେ ଉଲ୍ଲେଖ ଅଛି। ଏହାର ଜଳ ଗଙ୍ଗା ସହ ଅନ୍ତର୍ନିହିତ ସମ୍ପର୍କ ରହିଛି ବୋଲି ବିଶ୍ୱାସ କରାୟାଏ। ଏଠାରେ ପିଣ୍ଡଦାନ, ତର୍ପଣ, ଶ୍ରାଦ୍ଧ ଓ ଅନ୍ୟାନ୍ୟ ଶେଷକୃତ୍ୟ କରାଯାଏ। ଶ୍ରୀଜଗନ୍ନାଥ ଧାମରେ ଥିବାରୁ ପିଣ୍ଡଦାନ କରିବା ଦ୍ୱାରା ପୂର୍ବପୁରୁଷଙ୍କ ଆତ୍ମା ସିଧାସଳଖ ଜଗନ୍ନାଥଙ୍କ କୃପାଧାମରେ ପହଞ୍ଚନ୍ତି ବୋଲି ବିଶ୍ୱାସ କରାଯାଏ। ପିତୃପକ୍ଷ, ମହାଳୟା ଓ ବିଶେଷ ସମୟରେ ଏଠାରେ ବହୁ ଶ୍ରଦ୍ଧାଳୁ ଆସନ୍ତି।

ପିଣ୍ଡଦାନ ହେଉଛି ପୂର୍ବପୁରୁଷଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି, କୃତଜ୍ଞତା ଓ ଦାୟିତ୍ୱ ପାଳନର ପ୍ରତୀରୂପ। ଏହା କେବଳ ଏକ ଧାର୍ମିକ କର୍ମ ନୁହେଁ ବରଂ ହିନ୍ଦୁ ସଂସ୍କୃତିରେ ପିତୃଋଣ ପରିଶୋଧର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ଦେଶର ପ୍ରଥମ ନାଗିରକ ବା ସେ ପବିତ୍ର ଦାୟିତ୍ବରେ ବାଦ୍ ପଡ଼ନ୍ତେ କେମିତି।

President Draupadi Murmu President Of India Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ