pradeep
ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ପାଇଁ ସୋନିଆ ଓ ରାହୁଲ ହିଁ ଦାୟୀ। ଓଟିଭିର ନ୍ୟୁଜ୍ ଆଟ୍ ନାଇନ୍ ବିତର୍କରେ ଭାଗ ନେଇ ଏଭଳି ବିସ୍ଫୋରକ ପ୍ରତିକ୍ରିୟା ଦେଇଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଏବେ ଏହାକୁ ନେଇ ରାଜନୀତିକ ମହଲ ସରଗରମ ହୋଇଛି। ସେ କହିଛନ୍ତି ଯେ, ଯେଉଁମାନେ ଦଳର ସଭାପତି ଦାୟିତ୍ୱରେ ଥିଲେ ଓ ଅଛନ୍ତି। ସେମାନେ ହିଁ ବର୍ତ୍ତମାନର ସ୍ଥିତି ପାଇଁ ଦାୟୀ। ତେବେ ରାହୁଲଙ୍କ ନିକଟ ଲୋକ କୁହାଯାଉଥିବା ପ୍ରଦୀପ ମାଝୀ ଏଭଳି କହିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଦଳୀୟ ନେତା। ସେପଟେ ରାଜସ୍ଥାନରେ ବିଦ୍ରୋହୀ ସଚିନଙ୍କୁ ମାତ୍ ଦେବା ଲାଗି କାଉଣ୍ଟର ଷ୍ଟ୍ରାଟେଜି ଆରମ୍ଭ କରିଛି କଂଗ୍ରେସ। ତେଣେ ସେ ବିଜେପିକୁ ଯିବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି ସଚିନ୍ ପାଇଲଟ୍।
ଏବେ ପ୍ରଶ୍ନ ଉଠୁଛି ରାହୁଲଙ୍କ ପାଖଲୋକ ଭାବେ ଜଣାଶୁଣା ପ୍ରଦୀପଙ୍କର କଣ ପାଇଁ ହଠାତ୍ ଏ ବିଷ ଉଦ୍ଗିରଣ? ଅବଶ୍ୟ କେବଳ ପ୍ରଦୀପ ନୁହନ୍ତି, ଦେଶବ୍ୟାପୀ କଂଗ୍ରେସ ବ୍ୟାପାରକୁ ଯେଭଳି ପରିଚାଳନା କରାଯାଉଛି ତାକୁ ନେଇ ଅନେକ ଯୁବନେତା ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି। କଂଗ୍ରେସରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିବା ଉପରେ ଅନେକ ନେତା ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ତେବେ କେତେକଙ୍କୁ ତାର ପରିଣାମ ବି ଭୋଗିବାକୁ ପଡିଛି। ନିକଟରେ ଦଳୀୟ ଗଣତନ୍ତ୍ର କଥା କହି ମୁଖପାତ୍ର ପଦରୁ ବିଦା ହେବା ସହ ସସ୍ପେଣ୍ଡ ହୋଇଛନ୍ତି ସଂଜୟ ଝା। ତେଣୁ ପ୍ରଦୀପଙ୍କ ମନ୍ତବ୍ୟକୁ ନେଇ ହାଇକମାଣ୍ଡଙ୍କ ଆଭିମୁଖ୍ୟ କଣ ହେବ ଏବେ ତା ଉପରେ ନଜର। ଏଣେ ପ୍ରଦୀପ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦୁଇ ଭେଟେରାନ ତାରା ଓ ସୁର।
ସୁର କହିଛନ୍ତି, ପ୍ରଦୀପ ମାଝୀ କ'ଣ ପାଇଁ ଏମିତି ମନ୍ତବ୍ୟ ଦେଇଛନ୍ତି, ମୁଁ ଜାଣିନି। ଏ ବିଷୟରେ ମୁଁ ତାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବି। ଆଜି ସେ ଯାହାକିଛି ବି ଅଛନ୍ତି, କେବଳ କଂଗ୍ରେସ ପାଇଁ। ଯଦି ସେ କଂଗ୍ରେସକୁ ଏଭଳି ବ୍ୟବହାର କରିବେ, ତାହେଲେ ତାଙ୍କୁ ଦଣ୍ଡ ଦିଆଯିବ। ଏଥିରେ କାହାର କିଛି କହିବାର ନାହିଁ।
ସେହିପରି ତାରା କହିଛନ୍ତି, ପ୍ରଦୀପ ସିଧାସଳଖ ଭାବେ ଗାନ୍ଧୀ ପରିବାର ଉପରେ ଅଭିଯୋଗ ଲଗାଇଛନ୍ତି, ତାହା ଦୁର୍ଭାଗ୍ୟଜନକ। ଯାହାର ଇଛା ଅଛି କଂଗ୍ରେସ ଦଳରେ ରହିବ, ନହେଲେ ଦଳ ଛାଡ଼ିଦେବେ। କିନ୍ତୁ ଗାନ୍ଧୀ ପରିବାର ଉପରେ ଯେଉଁମାନେ ଆକ୍ଷେପ କରିବେ, ତାଙ୍କୁ ଦଳ କେବେ କ୍ଷମା ଦେବା ଉଚିତ୍ ନୁହେଁ।
ସେପଟେ ରାଜସ୍ଥାନରେ ବିଦ୍ରୋହୀ ସଚିନଙ୍କୁ ଚେକମେଟ୍ ଦେବା ଲାଗି ରଣନୀତି ଚୂଡ଼ାନ୍ତ କରିଛି କଂଗ୍ରେସ। ସଚିନ ଓ ତାଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବାଚସ୍ପତି। ଯଦି ଏମାନଙ୍କ ସଦସ୍ୟତା ରଦ୍ଦ ହୁଏ ତେବେ ବର୍ତ୍ତମାନ ସ୍ଥିତିରେ ନମ୍ବର ଗେମରେ ସୁରକ୍ଷିତ ରହିବ ଗେହଲଟ୍ ସରକାର। କାରଣ ଦୁଇ ଶହ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ଏବେ ୧୯୯ ବିଧାୟକ ଅଛନ୍ତି। ଯଦି ୧୮ ଜଣ ଅଯୋଗ୍ୟ ଘୋଷଣା ହୁଅନ୍ତି ତେବେ ସଂଖ୍ୟା ୧୮୧କୁ ଖସି ଯିବ। ସେ କ୍ଷେତ୍ରରେ ମ୍ୟାଜିକ୍ ନମ୍ବର ୯୧କୁ ଖସି ଆସିବ। ଏଣେ ୧୦୭ ବିଧାୟକଙ୍କ ମଧ୍ୟରୁ ୧୮ ଅଯୋଗ୍ୟ ହେଲେ ଦଳ ନିକଟରେ ୮୯ ବିଧାୟକ ରହିବେ। ଏଣୁ ମାତ୍ର କେଇଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିଲେ କଂଗ୍ରେସ କ୍ଷମତାରେ ରହିପାରିବ। ତେବେ ପାଇଲଟଙ୍କ ଦାବି ଅନୁସାରେ ଯଦି ତାଙ୍କୁ ୩୦ ବିଧାୟକଙ୍କ ସମର୍ଥନ ଥାଏ, ତେବେ ସରକାର ବଞ୍ଚାଇବା ଗେହଲଟଙ୍କ ପାଇଁ ମୁସ୍କିଲ ହୋଇପାରେ।
ଏଣେ ସଦସ୍ୟତା ରଦ୍ଦ ନୋଟିସ୍ ପରେ ସଚିନଙ୍କ ଶିବିରରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। କିଛି ବିଧାୟକ କଂଗ୍ରେସକୁ ଫେରିଯିବା ଲାଗି ଇଚ୍ଛୁକ ଥିବା ଚର୍ଚ୍ଚା ହେଉଛି। ଏଣେ ସେ ବିଜେପିରେ ମିଶିବେ ନାହିଁ ବୋଲି ବି ସଚିନ୍ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଗାନ୍ଧୀ ପରିବାର ନିକଟରେ ତାଙ୍କୁ ବଦନାମ କରିବାକୁ ଉଦ୍ୟମ ହେଉଥିବା ସଚିନ୍ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ତାଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ କଳ୍ପନାଜଳ୍ପନା ବଢିଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pradeep_1626347974.jpg)