pipili-fight
ପିପିଲି: ପିପିଲି ଉପନିର୍ବାଚନ ପ୍ରଚାର ବେଳେ ପୁଣି ହିଂସାକାଣ୍ଡ। ଆଜି ଡେଲାଙ୍ଗରେ କ୍ୟାଂପେନ୍ ବେଳେ ପୁଣି ବିଜେଡି ହିଂସାକାଣ୍ଡ ଭିଆଇଥିବା ଅଭିଯୋଗ ଆଣିଛି ବିଜେପି। ଶାସକ ବିଜେଡି କର୍ମୀଙ୍କ ମାଡ଼ରେ ୩ ବିଜେପି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ୩ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିିଥିବା ସୂଚନା ମିଳିଛି। ମନୋରଂଜନ ବରାଳ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଜେନାପୁର ପଞ୍ଚାୟତ ବ୍ରାହ୍ମଣବାଡ଼ ଗାଁରେ ନିର୍ବାଚନ ପ୍ରଚାର ବେଳେ ଘଟିଛି ଏହି ହିଂସାକାଣ୍ଡ।
ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଶତାଧିକ ବିଜେପି କର୍ମୀ ଡେଲାଙ୍ଗ ଥାନା ସମ୍ମୁଖ ରାସ୍ତା ଅବରୋଧ କରିଛନ୍ତି ଫଳରେ ଉଭୟ ରାସ୍ତାରେ ପରିବହନ ସେବା ପ୍ରଭାବିତ ହୋଇଛି। ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ ନୂଆ ନୁହେଁ ବରଂ ଗତକାଲି ସରୋଜ ସେଠୀ ଏବଂ ରଶ୍ମୀରେଖା ଦାସଙ୍କୁ ବିଜେଡି କର୍ମୀ ଅଶାଳୀନ ବ୍ୟବହାର ସହ ଆକ୍ରମଣ କରିଥିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି। ଏହାସତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବିଜେପି ଅଭିଯୋଗ କରି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି।
ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ରେଙ୍ଗାଲି ବିଧାୟକ ନାଉରି ନାୟକ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଆଜି ଭେଟିଛନ୍ତି। ମୁକ୍ତ ଓ ନିରପେକ୍ଷ ନିର୍ବାଚନ ନହେଲେ ସିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି କହିଛନ୍ତି ବିଜେପି ନେତା। ତେବେ ଏଭଳି କ୍ରମାଗତ ହିଂସାକାଣ୍ଡ ଅଭିଯୋଗ ନେଇ ବିଜେଡି କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ସେପଟେ ପିପିଲି ଉପନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ଅଭିଯାନ। ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଡେଲାଙ୍ଗ ଅଞ୍ଚଳରେ ପଦଯାତ୍ରା କରି ଭୋଟ ମାଗିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବିଜେପି ନେତା ଓ କର୍ମୀଙ୍କ ଗହଣରେ ପ୍ରଚାର ବେଳେ ପିପିଲିର ବିକାଶକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି ବୈଜୟନ୍ତ। ପିପିଲିରେ ବିଜେପି ପ୍ରାର୍ଥୀଙ୍କୁ ନେଇ ଉତ୍ସାହ ଢେର୍ ରହିଛି। ଆସାମର ଉଦାହରଣ ଦେଇ ରାଜ୍ୟ ସରକାରକୁ ମଧ୍ୟ ସମାଲୋଚନା କରିଛନ୍ତି ବୈଜୟନ୍ତ। ସେପଟେ ଏଥର ବିଜେପିର ଭଲ ରେଜଲ୍ଟ ହେବ ବୋଲି ଆଶା ରଖିଛନ୍ତି ବୈଜୟନ୍ତ ପଣ୍ଡା।ତେବେ ଆସନ୍ତା୧୭ରେ ପିପିଲିରେ ନିର୍ବାଚନ ହେବ। ଏଥର ଅନେକ ମୁଦ୍ଦା ଥିବା ବେଳେ ସ୍ଥାନୀୟ ଲୋକମାନେ କାହାକୁ ଭୋଟ୍ ଦେବେ ତାହା ସମୟ କହିବ। କିନ୍ତୁ ଭୋଟରଙ୍କୁ ମନାଇବା ଲାଗି ମୈଦାନରେ ରାଜ୍ୟର ତିନି ପ୍ରମୁଖ ଦଳର ନେତା ଡ଼େରା ପକାଇଛନ୍ତି। ନିଜ ଦଳ ସପକ୍ଷରେ ଭୋଟ୍ ଦେବାକୁ ନେତାମାନେ ଭୋଟରଙ୍କୁ ମନାଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pipili-fight_1626254768.jpg)