Udala Photograph: (OTV)
ଘର ପାଖକୁ ଚାଲିଗଲେ କିଏ ବଲ ବଲ କରି ଚାହୁଁଛି, ତ ଆଉ କିଏ ଦେଖି ହସିଦେଉଛି ପୁଣି ଆଉ କିଏ ନିର୍ବାକ ହୋଇ ରହି ଯାଉଛି। କାରଣ ଅନ୍ୟ ଲୋକଙ୍କୁ ଦେଖିଲେ ମନରେ କିଛି ନୂଆ ଆଶାଟିଏ ସଂଚାର ହୋଇଯାଏ ଏମାନଙ୍କ ମନରେ। ଭାବନ୍ତି ସବୁକିଛି ଠିକ୍ ହୋଇଯିବ, ଏହି ଦୁର୍ଦଶାମୟ ଜୀବନ ସୁଧୁରୁଯିବ। ଆଉ ବେସାହାରା ବାପା-ମା କେବଳ ସେହି ପିଲାମାନଙ୍କ ମୁହଁକୁ ଚାହିଁ ବସି ରହିଥାନ୍ତି। କାହିଁକି ନା ଦଇବ ଏହି ପରିବାର ଉପରେ ଦାଉ ସାଧିଛି। ଆମେ କହୁଛୁ ଖୁଣ୍ଟା ବ୍ଲକ ଡେଙ୍ଗାମ ପଞ୍ଚାୟତ ବିପ୍ରଚରଣପୁର ଗ୍ରାମର ଲିଟା ମୁର୍ମୁଙ୍କ ପରିବାର କଥା।
ଲିଟାଙ୍କ ଭାଗ୍ୟରେ ଲମ୍ବିଛି ଦୁଃଖର ଚିଠା। ୨ ଝିଅ ୩ ପୁଅ ଆଉ ସ୍ତ୍ରୀ କାରମୀଙ୍କୁ ନେଇ ଲିଟାଙ୍କ ସଂସାର। ହେଲେ ଦିନ ମଜୁରିଆ ଲିଟାଙ୍କ ପରିବାର ଉପରେ ଦୁଃଖର ପାହାଡ଼। କାହିଁକି ନା ୫ ଜଣ ଯାକ ସନ୍ତାନ ଦିବ୍ୟାଙ୍ଗ। ବାପା ଲିଟା ମୁର୍ମୁ ଦିନ ମଜୁରିଆ ଭାବେ କାମ କରନ୍ତି, ଆଉ ମା କାରମୀ ଘରେ ରହି ୫ ପିଲାଙ୍କ ଯତ୍ନ ନିଅନ୍ତି। ଆଉ ଯଦି କାମ ପାଇଁ ଉଭୟ ଘରୁ ବାହାରି ଯାଆନ୍ତି, ତେବେ ପିଲାମାନଙ୍କୁ ଉପାସରେ ରହିବାକୁ ପଡିଥାଏ।
ଚେହେରାକୁ ଦେଖିଲେ ବୁଝିହୋଇଯାଏ ଏମାନଙ୍କ ଜୀବନର ଯନ୍ତ୍ରଣା। କେହି ବି କଥା କହିପାରନ୍ତି ନାହିଁ। ଭଙ୍ଗା ଦଦରା ଚାଳ ଘରେ କଟେ ଜୀବନ। କିଏ ଖାଲି ବାସି ପଖାଳ ଖାଉଛି ତ ଆଉ କିଏ କୁକୁଡ଼ା ସହିତ ଖେଳୁଛି। ମା କାରମୀ ଦୁଇ ପୁଅଙ୍କୁ ସ୍ୱାଭାବିକ କରିବା ପାଇଁ ସେମାନଙ୍କୁ ଧାନ ପିଟା ମଧ୍ୟ କରାଉଛନ୍ତି, ଯେମିତି କି ପିଲାମାନେ ନିଜକୁ ଦୁର୍ବଳ ମନେ ନ କରିବେ।
ବଡ ଆଶ୍ଚର୍ଯ୍ୟର କଥା, ଏହି ପରିବାରର ୫ ସନ୍ତାନ ଯେଉଁମାନଙ୍କର ବୟସ ୧୦ ରୁ ୨୧ ବର୍ଷ ହେବ, ହେଲେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନାରେ ମିଳି ପାରିନାହିଁ ଦିବ୍ୟାଙ୍ଗ ସାର୍ଟିଫିକେଟ କି ଭତ୍ତା, କେବଳ ଗୋଟିଏ ରାସନ କାର୍ଡରେ ମିଳୁଛି ୩୦ କିଲୋ ଚାଉଳ। କମ ରୋଜଗାର ହୋଇଥିବାରୁ ଓଳିଏ ଖାଇଲେ ଆର ଓଳି ଉପାସ।
ମାଳ ମାଳ ଯୋଜନା ଥାଇ ବି ଏମାନଙ୍କ ପାଇଁ ସବୁ ସାତ ସପନ। ଗଦା ଗଦା ସରକାରୀ ବାବୁମାନେ ଅଛନ୍ତି ହେଲେ ଏମାନଙ୍କ ପାଇଁ ସବୁ ଅପହଞ୍ଚ। ସମସ୍ତ ନଜର ଆଢୁଆଳରେ ରହି ଯାଇଥିବା ଏହି ପରିବାରର ଦୁଃଖ ବାବଦରେ ପଚାରି ବୁଝିବାକୁ ଆମେ ପହଞ୍ଚିଥିଲୁ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳଙ୍କ ନିକଟରେ। ଉପଜିଲ୍ଲାପାଳ ସମସ୍ତ ଘଟଣା ଶୁଣିବା ପରେ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/29/udala-2025-11-29-11-09-55.jpg)