OSSC Under Fire Photograph: (OTV)
ଗଣିତ, ଊର୍ଦ୍ଦୁ, ତେଲୁଗୁରେ ପାସ ହେଲେ ସଂସ୍କୃତରେ ଫେଲ। ପଦାରେ ପଡ଼ିଲା ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ବାରା ପରିଚାଳିତ ଦୁଇ ଦୁଇଟି ପରୀକ୍ଷାରେ ବଡ଼ ବିଭ୍ରାଟ। ମେରିଟ ଲିଷ୍ଟ ପ୍ରକାଶ ନପାଇବାରୁ ସଂସ୍କୃତ ଶିକ୍ଷକ ଆଶାୟୀଙ୍କ ହଙ୍ଗାମା, ସେପଟେ ଆରଆଇ ପରୀକ୍ଷାରେ ପୁଣି ବାହାରିଲା ପୁରୁଣା ରୋଗ। ସର୍ଭର ଡାଉନ ପାଇଁ ପରୀକ୍ଷା ସେଣ୍ଟର ବାହାରେ ଦୀର୍ଘ ସମୟ ଅପେକ୍ଷା କଲେ ଆଶାୟୀ। ସାରା ରାଜ୍ୟରୁ ଏଭଳି ଚିତ୍ର ଆସିବା ପରେ ସ୍କାନରକୁ ଆସିଛି ପୂରା ପରୀକ୍ଷା ପରିଚାଳନା ବ୍ୟବସ୍ଥା। ଆଉ ଅବ୍ୟବସ୍ଥାକୁ ନେଇ କୁହୁଳୁଛି ଅସନ୍ତୋଷର ନିଆଁ। ....
ପିଲାଛୁଆଙ୍କୁ ଧରି ରାଜରାସ୍ତାରେ ଆଶାୟୀ ସଂସ୍କୃତ ଶିକ୍ଷକ । କିଏ ଆଣ୍ଠେଇଛି ତ କିଏ କାନ ଧରିଛି । ସଂସ୍କୃତରେ ଫେଲ ହୋଇଗଲା ଷ୍ଟାଫ ସିଲେକ୍ସନ !
ଆଶାୟୀଙ୍କ କଥାରୁ ଜଳଜଳ ଜଣାପଡୁଛି କେମିତି ଚାଲିଛି ସରକାରୀ ନିଯୁକ୍ତି ବ୍ୟବସ୍ଥା। ୭୨୯ ଏଲଟିଆର ଶିକ୍ଷକ ନିଯୁକ୍ତି ପାଇଁ ୨୦୨୧ରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ବାରା ପ୍ରକାଶ ପାଇଥିଲା ବିଜ୍ଞପ୍ତି। ହେଲେ ପାଖାପାଖି ୪ ବର୍ଷ ପରେ ଗତ ମେ ମାସ ୧୭ରେ ପରୀକ୍ଷା ହୋଇ ଅକ୍ଟୋବର ୨୨ରେ ଡକୁମେଣ୍ଟ ଯାଂଚ ହୋଇଥିଲା। ଆଉ ଏଇଠି ହେଲା ଖେଳ। ପିସିଏମ, ସିବିଜେଡ ସମେତ ପିଇଟି, ତେଲୁଗୁ, ଉର୍ଦ୍ଦୁ ବିଷୟର ଆଶାୟୀଙ୍କ ପାଇଁ ମେରିଟ ଲିଷ୍ଟ ବାହାରିଲା।
ହେଲେ ସଂସ୍କୃତ ଶିକ୍ଷକଙ୍କ ଲିଷ୍ଟ ଆସିଲାନି। ଏହାରି ଭିତରେ ସମାନ ବିଜ୍ଞପ୍ତିର ବାକି ଆଶାୟୀ ଶିକ୍ଷକ ନଭେମ୍ବର ୧୫ରେ ଚାକିରିରେ ଯୋଗଦେବେ। ହେଲେ ସଂସ୍କୃତ ଶିକ୍ଷକ ଆଶାୟୀ କିନ୍ତୁ କାନ ଧରି ଆଣ୍ଠେଇ ବସିଥିଲେ। ଭୁବନେଶ୍ବର ଷ୍ଟାଫ ସିଲେକ୍ସନ କମିଶନ ଅଫିସ ସମ୍ମୁଖରେ ନିଜ ପିଲାଛୁଆଙ୍କୁ ଧରି ପ୍ରତିବାଦ କରିଛନ୍ତି। ତୁରନ୍ତ ମେରିଟ ଲିଷ୍ଟ ବାହାର କରାନଗଲେ ଆତ୍ମାହୁତିର ଚେତାବନୀ ଦେଇଛନ୍ତି।...
ଆରଆଇ ପରୀକ୍ଷାରେ ବି ବିଭ୍ରାଟ
ସେପଟେ ଆରଆଇ ପରୀକ୍ଷାରେ ମଧ୍ୟ ବିଭ୍ରାଟ। ପୁଣି ସେଇ ପୁରୁଣା ରୋଗ । ସର୍ଭର ଡାଉନ ପାଇଁ ଠିକ ସମୟରେ ହୋଇ ପାରିଲାନି ପରୀକ୍ଷା। ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅଧିକାଂଶ ସେଣ୍ଟରରେ ହୋଇଛି ଏଭଳି ଅସୁବିଧା। ସକାଳ ୮ଟାରେ ପରୀକ୍ଷା ଥିଲା, ହେଲେ ୮ଟା ୪୫ରେ ପରୀକ୍ଷା କେନ୍ଦ୍ରକୁ ଗଲେ ଛାତ୍ରଛାତ୍ରୀ। ଇଏ ହେଉଛି ପୁରୀ ଜିଲ୍ଲା କାକଟପୁର ମା ମଙ୍ଗଳା ଆଇଟିସି ସେଣ୍ଟରର ଦୃଶ୍ୟ। ବାହାରେ ଖରାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ପାଖାପାଖି ଘଣ୍ଟାଏ ବିଳମ୍ବରେ ହଲକୁ ପଶିଛନ୍ତି।...
ଏଠାରେ ପ୍ରଶ୍ନ କେବେ ସୁଧୁରିବ ବ୍ୟବସ୍ଥା ? କେବେ ନିର୍ଭୁଲ ହେବ ପରୀକ୍ଷା ? ଉଭୟ ପରୀକ୍ଷାକୁ ଷ୍ଟାଫ ସିଲେକ୍ସନ ଭଳି ନିଯୁକ୍ତି ଏଜେନ୍ସୀ ପରିଚାଳନା କରୁଥିଲା। ତେବେ ସଂସ୍କୃତ ଶିକ୍ଷକ ମେରିଟ ଲିଷ୍ଟ ପ୍ରକାଶ କରିବାରେ କିଛି ଗଡବଡ ହୋଇଛି କି ? ବଡ ସେଟିଂ କିଛି ନାହିଁ ତ ? ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା କେତେ ଠିକ୍ ?
ଏମିତି ହେଲେ ସଂସ୍ଥା ଉପରେ ଆଉ ପିଲାଙ୍କ ଭରସା ରହିବ ତ ? କାହିଁକି ଏନେଇ ସ୍ପଷ୍ଟୀକରଣ ଦିଆଯାଉ ନାହିଁ ? ଏନେଇ ଆମେ ଷ୍ଟାଫ ସିଲେକ୍ସନ କମିଶନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ। ହେଲେ ପ୍ରତିକ୍ରିୟା ମିଳିପାରିନାହିଁ ।
ପୂର୍ବରୁ ଓ ଟ୍ରିପଲ ଏସସିରେ ବି ଏଭଳି ସ୍ଥିତି ଉପୁଜିଥିଲା। ନିକଟରେ ଏସଆଇ ପରୀକ୍ଷା ମହାଘୋଟାଲାର ଚିତ୍ର ବି ଆସିଛି। ଏହାପରେ ବି ସରକାରୀ ନିଯୁକ୍ତି ଏଜେନ୍ସୀର ବେପରୁଆ ଢଙ୍ଗ ଅନେକଙ୍କ ଚିନ୍ତାର କାରଣ ହୋଇଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/06/ossc-under-fire-2025-11-06-20-29-35.jpg)