Advertisment

Gutkha and Zarda Completely Banned: ଗୁଟଖା ଭଳି କଡ଼ା ଜର୍ଦ୍ଦା ବି ବ୍ୟାନ୍, ଏବେ ବଜାରରେ ଖାଲି ସାଦା ପାନ

ଗୁଟଖା ଭଳି କଡ଼ା ଜର୍ଦ୍ଦା ବି ବ୍ୟାନ୍। ଏବେ ବଜାରରେ ମିଳିବ ଖାଲି ସାଦା ପାନ। ପାନ ମସଲା ଦ୍ୱନ୍ଦ୍ୱ ଦୂର କରି ସ୍ୱାସ୍ଥ୍ୟମନ୍ତ୍ରୀ ଦୋହରାଇଲେ। ନିକୋଟିନ୍ ଯୁକ୍ତ ପଦାର୍ଥ ବିକ୍ରି ରାଜ୍ୟରେ ସଂପୂର୍ଣ୍ଣ ମନା। ଅସ୍ତବ୍ୟସ୍ତ କଡ଼ା ପାନ ଖିଆ ମଣିଷ ଓ ଦୋକାନୀ।

Gutkha and Zarda Completely Banned

ଗୁଟଖା ଭଳି କଡ଼ା ଜର୍ଦ୍ଦା ବି ବ୍ୟାନ୍ Photograph: (OTV)

Advertisment

ଦ୍ୱନ୍ଦ୍ୱ ଦୂର, ରାଜ୍ୟରେ ପାନ ମସଲା ବିକ୍ରି ହେବ- ହେଲେ ସେଥିରେ ନିକୋଟିନ୍ କି ତମାଖୁ ନଥିବ। ପ୍ରଥମେ ଗୁଟଖା ଓ ତମାଖୁ ଜାତ ଦ୍ରବ୍ୟ ବ୍ୟାନ୍ ନେଇ ଆସିଥିବା ନିୟମରେ ପାନ ମସଲା ସମ୍ପର୍କରେ ସ୍ପଷ୍ଟ ସୂଚନା ନଥିବାରୁ ଦ୍ବନ୍ଦ୍ବ ଉପୁଜୁଥିଲା। ଯାହାକୁ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ଦୂର କରିବା ସହ ରାଜ୍ୟରେ ନିକୋଟିନ୍ ଯୁକ୍ତ ସାମଗ୍ରୀର ଉତ୍ପାଦନ, ଗଛିତ, ପରିବହନ ଓ ବିକ୍ରିକୁ ବେଆଇନ୍ ଭାବେ ଧରାଯିବ ଓ ଏହାର ମୂଳତ୍ପାଟନ ପାଇଁ ଜିଲ୍ଲା ସ୍ତରରେ ରେଡ୍ ଜୋରଦାର ହେବ ବୋଲି ଦୋହରାଇଛନ୍ତି। ତେଣେ ଜର୍ଦ୍ଦା ପାନ ମିଳୁନଥିବାରୁ କଡ଼ା ପାନ ଖିଆ ଲୋକେ ସାମାନ୍ୟ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଲାଣି

Advertisment

ଆଗେ ଗୁଟଖା, ଏବେ ଜର୍ଦ୍ଦା। ବଜାରରେ ଏସବୁ ବ୍ୟାନ, ତେଣୁ ଖାଇବାକୁ ବାଧ୍ୟ ସାଦା ପାନ। ଯେଉଁଥିରେ ପଡୁଛି ଚୂନ-ଗୁଆ ଓ ବିଭିନ୍ନ ପ୍ରକାର ମିଠା ମସଲା ସାଙ୍ଗକୁ ଲବଙ୍ଗ-ଗୁଜରାତି ଓ ପାତି ନଡ଼ିଆ ଭଳି ସାମଗ୍ରୀ। ଅବଶ୍ୟ ସେ ପାନ ଆପଣ ରଜ ପର୍ବ କିମ୍ବା ବିବାହ ଭୋଜିରେ ମୁଖ ବିଳାସ ଆକାରରେ ଖାଇଥିବେ। ହେଲେ ଏବେ କଡ଼ା ପାନ ଖିଆ ଲୋକ କିନ୍ତୁ ଜର୍ଦ୍ଦା ପାନ ଖଣ୍ଡେ ପାଇଁ ଦୋକାନରୁ ଦୋକାନ ଘୂରି ବୁଲୁଛନ୍ତି, କିନ୍ତୁ ପାଉନାହାନ୍ତି। କାରଣ ନିକୋଟିନ୍ ଯୁକ୍ତ ପଦାର୍ଥର ବିକ୍ରି ଓ ପ୍ରସ୍ତୁତି ଉପରେ ରାଜ୍ୟ ସରକାରଙ୍କ ବଡ଼ କଟକଣା ଦେଖି ପାନ ଦୋକାନୀ ବି ତରକି ଗଲେଣି। 

ଯଦିଓ ବେପାରରେ ପ୍ରବଳ ଘାଟା ହେଉଛି- ତଥାପି ଚଢଉ ଡରରେ ଆଉ ଜର୍ଦ୍ଦା ମସଲା କିଣୁ ନାହାନ୍ତି କି ବିକ୍ରି କରୁନାହାନ୍ତି। ତାସହ କହିଛନ୍ତି- ନିକୋଟିନ୍ ଯୁକ୍ତ ଜର୍ଦ୍ଦାର ପ୍ରସ୍ତୁତି ସ୍ଥଳରୁ ହିଁ ମୂଳପୋଛ ହେବା ଉଚିତ୍। ତେଣେ ପୁରୁଣା ପାନଖିଆ ଲୋକେ ବି ମାନିଲେଣି-କଡ଼ା ମସଲା ନ ମିଳିଲେ ସାଦା ପାନରେ ଚଳେଇବୁ।

Advertisment

ତେବେ ଏଠି ପ୍ରଶ୍ନ-ନିକୋଟିନ୍ ଯୁକ୍ତ ପଦାର୍ଥ ଓ ଗୁଟଖା ବିକ୍ରି ଉପରେ ରାଜ୍ୟ ସରକାରଙ୍କ ବ୍ୟାନ୍ ନିଷ୍ପତ୍ତି ସ୍ପଷ୍ଟ ଥିବାବେଳେ ପାନ ମସଲାକୁ ନେଇ କାହିଁକି ଉପୁଜିଥିଲା ଦ୍ୱନ୍ଦ୍ୱ? ଯେହେତୁ କେଉଁ ପ୍ରକାର ପାନ ମସଲା ବ୍ୟବହାର ହୋଇ ପାରିବ ସେ ନେଇ କୌଣସି ସ୍ପଷ୍ଟ ତଥ୍ୟ ନଥିଲା- ତେଣୁ ତାକୁ ନେଇ ଗ୍ରାହକ ଓ ଦୋକାନୀ ଉଭୟେ ଦୋ ଦୋ ପାଞ୍ଚ ହେଉଥିଲେ। 

ଏମିତିକି ଗତ ୨୧ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତିରେ ମୁଖ ଗହ୍ବର ଭଳି ଅନ୍ୟ ମାରାତ୍ମକ କର୍କଟ ରୋଗ ବଢ଼ୁଥିବାରୁ ଗୁଟଖା ସହ ନିକୋଟିନ ଯୁକ୍ତ ପଦାର୍ଥ ବ୍ୟାନ୍ ନେଇ ଘୋଷଣା ହୋଇଥିଲେ ବି ସେଥିରେ ପାନ ମସଲା କଥା ନଥିଲା। ପରେ ୨୯ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁଣି ସ୍ପଷ୍ଟୀକରଣ ଦିଆଗଲା। ଯେଉଁଥିରେ ନିକୋଟିନ୍ ଯୁକ୍ତ ପାନ ମସଲା ବା ଜର୍ଦ୍ଦା ଆଦୌ ବିକ୍ରି ହୋଇପାରିବ ନାହିଁ ବୋଲି କୁହାଗଲା। ଏଥିସହ ରାଜ୍ୟରେ ନିକୋଟିନ୍ ଯୁକ୍ତ ସାମଗ୍ରୀର ଉତ୍ପାଦନ, ଗଛିତ, ପରିବହନ ଓ ବିକ୍ରିକୁ ବେଆଇନ୍ ଭାବେ ଧରାଯିବା ସହ ଏସବୁର ତଦାରଖ ପାଇଁ ଜିଲ୍ଲା ସ୍ତରରେ ରେଡ୍ ଜୋରଦାର ହେବ ବୋଲି ଦୋହରାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

Advertisment

ଗ୍ଲୋବାଲ ଅଡିଟ୍ ଟୋବାକୋ ସର୍ଭ ରିପୋର୍ଟ ଅନୁସାରେ-ଓଡ଼ିଶାରେ ମୋଟ ଜନସଖ୍ୟାରୁ ୪୨ ପ୍ରତିଶତ ଲୋକ ସ୍ମୋକଲେସ୍ ଟବାକୋ ଅର୍ଥାତ୍ ଗୁଟ୍ଖା ଓ ନିକୋଟିନ୍ ଯୁକ୍ତ ପାନ ମସଲା ସେବନ କରନ୍ତି। ଯାହାକି ଜାତୀୟ ହାର ପାଖାପାଖି ସମାନ। ଯଦିଓ ୨୦୧୩ ଓ ୨୦୨୧ରେ ପୂର୍ବ ସରକାର ଏଥିରେ ବ୍ରେକ୍ ଦେବାକୁ ନିୟମ ଆଣିଥିଲେ- କିନ୍ତୁ ତାହା ଫଳପ୍ରଦ ହୋଇନଥିଲା। ହେଲେ ଏବେକା ସରକାର ପ୍ରଭାବଶାଳୀ ପଦକ୍ଷେପ ନେଇଥିବାରୁ- ତାହା ଅନେକଙ୍କୁ କୁ-ଅଭ୍ୟାସରୁ ଦୂରେଇବା ସହ ମୁଖ ଗହ୍ୱର କର୍କଟ ଭଳି ମାରାତ୍ମକ ରୋଗରୁ ରକ୍ଷା କରି ପାରିବ।

Odisha News Gutkha Tabacco Products
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ