unfit vechile
ବଲାଙ୍ଗିର (ମନୋରଂଜନ ଯୋଶୀ) : ଆସନ୍ତା ଡିସେମ୍ବର ୧ରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଗାଡ଼ିର କାଗଜପତ୍ର ନଥିଲେ, ଫାଇନ ଆଦାୟ କରାଯିବ। ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଭୟଭୀତ ସାଧାରଣ ଲୋକେ । କିନ୍ତୁ ଖୋଦ ସରକାରୀ ଅଫିସ ଗୁଡ଼ିକରେ ବ୍ୟବହାର ହେଉଥିବା ଗାଡ଼ି ଗୁଡିକ ଟ୍ରାଫିକ୍ ନିୟମ ଉଲ୍ଲଘଂନ କରୁଥିବାର, ସାଂଘାତିକ ତଥ୍ୟ ଲାଗିଛି ଓଟିଭି ହାତରେ ।
ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ, ବଲାଙ୍ଗିର ଜିଲ୍ଲାର ଅଧିକାଂଶ ଅଫିସରେ ଅନଫିଟ୍ ଗାଡ଼ିରେ ବସୁଛନ୍ତି ସରକାରୀ ବାବୁ। ସେପଟେ ଅନଫିଟ୍ ଗାଡ଼ିକୁ ନେଇ ଅଧିକାଂଶ ଅଧିକାରୀ କିମ୍ବା ବିଭାଗୀୟ ଅଧିକାରୀ ମୁହଁ ଖୋଲୁନାହାନ୍ତି ।
ଗାଡ଼ି ନମ୍ବର OD-03-E 0914 , ଇଏ ହେଉଛି ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପର ଭୂମି ଅଧିଗ୍ରହଣ ଅଧିକାରୀଙ୍କ ବୋଲେରୋ ଗାଡ଼ି। ରିପୋର୍ଟ ବୟାନ କରୁଛି, ଗାଡ଼ିର ଫିଟ୍ନେସ ଗତ ଅକ୍ଟୋବର ୨୦୧୭ରୁ ସରିଯାଇଛି। କେବଳ ସୂଚନା ଅଧିକାରୀ ଆଇନ ନୁହଁ, କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ୍ ରୋଡ ଟ୍ରାନସପୋର୍ଟ ଆଣ୍ଡ ହାଇୱେ ୱେବସାଇଟରେ ମଧ୍ୟ ସମାନ ତଥ୍ୟ ଜଣାପଡୁଛି । ସେହି କାର୍ଯ୍ୟାଳୟର OD-03-G-5449 ନମ୍ବର ବୋଲେରୋ ଗାଡ଼ିର ମଧ୍ୟ ଗତ ୩୦ ଜାନୁୟାରୀରୁ ଫିଟ୍ନେସ ସାର୍ଟିଫିକେଟ ନାହିଁ । ଜିଲ୍ଲା କୃଷି ଉପନିର୍ଦେଶକଙ୍କ ଗାଡ଼ି ନମ୍ବର OR-03-A-1969 ।
କମାଣ୍ଡର ଗାଡ଼ିର ଫିଟନେସ ଭାଲିଡିଟି ୨୨ ଫେବୃୟାରୀ ୨୦୧୪ରୁ ସରିଯାଇଛି । ଭେଟେନାରୀ ଅଫିସର OD-03-F-7431 ନମ୍ବର ଥିବା ବୋଲେରୋ ଗାଡ଼ିର ଫିଟନେସ ଭାଲିଡିଟି ୩୧ ଜୁଲାଇ,୨୦୧୮ରୁ ସରିଯାଇଛି । କେନ୍ଦୁପତ୍ର ବିଭାଗ ଗାଡି ନମ୍ବର OR-03-D-1054 କମାଣ୍ଡର ଗାଡିର ଫିଟନେସ ଗତ ୧୪ ଜୁଲାଇ ୨୦୦୮ରୁ ସରିଯାଇଛି । ଜଂଗଳ ବିଭାଗର ଡି.ଏଫ.ଓଙ୍କ ନାଁରେ ଥିବା ଗାଡି ନମ୍ବର OR-03-H-3774 ଏବଂ OR-03-H3775ର ଫିଟନେସ ସାର୍ଟିଫିକେଟ ଭାଲିଡିଟି ଗତ ୭ ନଭେମ୍ବର,୨୦୧୩ରୁ ସରିଯାଇଛି । ଅଧିକାଂଶ କାର୍ଯ୍ୟାଳୟର ଅଧିକାରୀ ଏସଂର୍ପକରେ ମୁହଁ ଖୋଲୁନଥିବାବେଳେ, କେନ୍ଦୁପତ୍ର ଏବଂ ଜଂଗଲ ବିଭାଗ ଡି.ଏଫ.ଓ ଗାଡିର ଫିଟନେସ ନଥିବା କଥାକୁ ସ୍ୱୀକାର କରିଛନ୍ତି।
ଟ୍ରାଫିକ ନିୟମକୁ ତିନିମାସ କୋହଳ ହେବା ପରେ ଆସନ୍ତା ଡିସେମ୍ବର ୧ରୁ ପୁଣି ଥରେ କଡ଼ାକଡ଼ି ହେବ। ସରକାରୀ ବାବୁ ମାନେ ନିୟମକୁ କେତେ ମାନୁଛନ୍ତି, ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ଶମ୍ଭୁ ଶତପଥୀ ଆର.ଟି.ଆଇରେ ଜିଲ୍ଲା ପରିବହନ ବିଭାଗକୁ ତଥ୍ୟ ମାଗିଥିଲେ। ଗାଡିର ଫିଟନେସ, ଇନସ୍ୟୁରେନସ, ପଲ୍ୟୁସନ ସଂର୍ପକରେ ସବିଶେଷ ତଥ୍ୟ ମାଗିଥିଲେ ମଧ୍ୟ କେବଳ ଇନସ୍ୟୁରେନସ ଏବଂ ଫିଟନେସ ସଂର୍ପକରେ ତଥ୍ୟ ମିଲିଥିଲା । କୌଣସି ସରକାରୀ ଗାଡିର ପଲ୍ୟୁସନ ସାର୍ଟିଫିକେଟ ନଥିବାରୁ, ତଥ୍ୟ ଦିଆଯାଇନଥିବା ସନ୍ଦେହ କରୁଛନ୍ତି ସୂଚନା ଅଧିକାରୀ କର୍ମୀ ।
ସେପଟେ ପୁଲିସ ବିଭାଗର କୌଣସି ଗାଡି ସଂର୍ପକରେ ଆର.ଟି.ଆଇରେ ତଥ୍ୟ ଦିଆଯାଇନାହିଁ । କିନ୍ତୁ ଏ ସଂର୍ପକରେ କ୍ୟାମେରା ଆଗରେ କିଛି କହିନଥିଲେ ବି, ବାରମ୍ବାର କହିବା ସତ୍ୱେ ବାବୁମାନେ ମାନୁନଥିବା ଦାୟିତ୍ୱରେ ଥିବା ଆରଟିଓ କହିଛନ୍ତି ।
ସେପଟେ ସରକାରୀ ଗାଡିର ସବୁ ଦାୟିତ୍ୱ ଅତିରିକ୍ତ ଜିଲ୍ଲାପାଳ ବୁଝିଥାଆନ୍ତି । କିନ୍ତୁ ସେମଧ୍ୟ ଏନେଇ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନାକରିଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/unfit-vechile_1626685843.jpg)