ଗୋପପୁରରେ କୃଷ୍ଣ ବଳରାମଙ୍କୁ ଅଶ୍ରୁଳ ବିଦାୟ Photograph: (OTV)
ଧନୁଯାତ୍ରାର ନବମ ଦିନରେ ଗୋପପୁରରେ କୃଷ୍ଣ ବଳରାମ ବେନିଭାଇଙ୍କୁ ସାଙ୍ଗରେ ନେଇ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିବା ବେଳେ ଗୋପପୁରବାସୀ ଅଶ୍ରୁଲ ବିଦାୟ ଦେଇଛନ୍ତି। ଅନ୍ୟପଟେ ମଥୁରାରେ ଦିନକୁ ଦିନ କଂସଙ୍କର ଅତ୍ୟାଚାର ବଢ଼ିବାରେ ଲାଗିଥିବା ବେଳେ ସେ ତପସ୍ୟା କରି ଯୁଦ୍ଧରେ ବିଜୟୀ ହେବା ପାଇଁ ପ୍ରାପ୍ତ କରିଛନ୍ତି ରୁଦ୍ରଶୁଳ।
ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଛି। ଏହାର ନବମ ଦିବସରେ ମହାରାଜ କଂସଙ୍କ ଆୟୋଜିତ ଛଳନାର ଯାତ୍ରା ଧନୁଯାତ୍ରା ଦେଖିବା ପାଇଁ ମନ୍ତ୍ରୀ ଅକ୍ରୁରଙ୍କ ସହିତ ବାହାରି ପଡିଛନ୍ତି କୃଷ୍ଣ-ବଳରାମ। ଘରେ ଘରେ ପୂଜାର୍ଚ୍ଚନା କରି ବିଦାୟ ଦିଆଯାଉଛି।
ହେଲେ ନନ୍ଦ-ଯଶୋଦଙ୍କୁ ବୁଝାଇବ କିଏ? ପୁତ୍ରପ୍ରେମରେ ନନ୍ଦ-ଯଶୋଦା ଭାବବିହ୍ୱଲିତ ହୋଇ ପଡିଛନ୍ତି। ପୁତ୍ରର ବିରହକୁ ମାତା ସହି ନ ପାରି ମୂର୍ଛିତ ହୋଇଯାଉଛନ୍ତି। ତେବେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମାତା ଯଶୋଦାଙ୍କୁ ଧନୁଯାତ୍ରା ଦେଖି ଫେରି ଆସିବାକୁ କଥା ଦେଇଛନ୍ତି। ନନ୍ଦ ଯଶୋଦା କରିବେ ବା କ’ଣ? କୃଷ୍ଣ-ବଳରାମଙ୍କୁ ଅଶ୍ରୁଳ ବିଦାୟ ଦେଇ ପୁଣି ତାଙ୍କର ଆସିବା ବାଟକୁ ଚାହିଁ ରହିଛନ୍ତି।
ଏପଟେ ଯିବା ବାଟରେ ରାଧାଙ୍କ ସମେତ ଗୋପୀ ଓ ଗୋପାଳ ବାଳକମାନେ କୃଷ୍ଣଙ୍କ ବାଟ ଓଗାଳୁଛନ୍ତି, ଯାହାହେଲେ ବି କୃଷ୍ଣଙ୍କୁ ମଥୁରାକୁ ଯିବାକୁ ଦେବେ ନାହିଁ ବୋଲି ବାରଣ କରୁଛନ୍ତି। ଏହି ଭାବନାରେ କ୍ଷଣ କ୍ଷଣକେ ରାଧା ମୁର୍ଛିତ ହୋଇ ପଡୁଥିବା ବେଳେ ଗୋପାଙ୍ଗନାଙ୍କ କ୍ରନ୍ଦନରେ ଗୋପଦାଣ୍ଡ ଫାଟିଉଠୁଛି। ନବମ ଦିନର ଏହି ଦୃଶ୍ୟକୁ ବେଶ ଉପଭୋଗ କରିଛନ୍ତି ଦର୍ଶକ।
ତେବେ ମଥୁରାରେ କଂସ ମହାରାଜ ନଗର ପରିକ୍ରମା କରିବା ସହ ଆମ୍ବ୍ରବନରେ କୃଷ୍ଣ ଭକ୍ତିରେ ଲୀନ ଥିବା ମହର୍ଷିମାନଙ୍କୁ ପ୍ରତାଡିତ ଓ ଅତ୍ୟାଚାର କରିବା ସହ ବନ୍ଦୀ କରି ରଖି ନିର୍ଯାତନାର ଆଦେଶ ଦେଇଛନ୍ତି। ଅନ୍ୟପଟେ ଛଳନାର ଯାତ୍ରା ଧନୁଯାତ୍ରା ଆୟୋଜନ କରି କୃଷ୍ଣ-ବଲରାମଙ୍କୁ ପରାସ୍ତ କରିବା ପାଇଁ ଘୋର ତପୋବଳ ମାଧ୍ୟମରେ ରୁଦ୍ର ତ୍ରିଶୁଳ ପ୍ରାପ୍ତ କରିଛନ୍ତି ମହାରାଜ କଂସାଶୁର। ଏପଟେ ଦରବାରରେ ପହଞ୍ଚି କୃଷ୍ଣ-ବଳରାମଙ୍କୁ ନିଜ ସହ ମଥୁରା ନେଇ ଆସିଥିବା ଖବର ଦେଇଛନ୍ତି ମନ୍ତ୍ରୀ ଅକ୍ରୁର। ଏହି ଖବର ପାଇ ଖୁସିରେ କଂସ ନାଚଗୀତରେ ମସଗୁଲ ରହିଛନ୍ତି।
ତେବେ ଧନୁଯାତ୍ରା ଯାତ୍ରାର ଦଶମ ଦିନରେ କଂସ ମହାରାଜଙ୍କ ଦିଗ୍ବିଜୟ ସହ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ, କୃଷ୍ଣ-ବଲରାମଙ୍କ ନଗର ଭ୍ରମଣ ସହ ସୁଦାମା ମାଳି, ରଜକ ସହ ଭେଟ ଓ କୁବୁଜା ଉଦ୍ଧାର ପ୍ରମୁଖ ଦୃଶ୍ୟ ପରିବେଶିତ ହେବାର କାର୍ଯ୍ୟକ୍ରମ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/02/bargarh-dhanuyatra-2026-01-02-19-26-14.jpg)