NIGAMA Photograph: (OTV)
ନୂଆ ବର୍ଷରେ ବିଜେପି ନେତାଙ୍କୁ ମିଳିବ ପୁରସ୍କାର। ଶେଷ ପର୍ଯ୍ୟାୟରେ ସରକାରୀ ଓକିଲ ନିଯୁକ୍ତି। ଖୁବ ଶୀଘ୍ର ହୋଇପାରେ ବୋର୍ଡ ଏବଂ ନିଗମ ଘୋଷଣା। ଲବିରେ ଥିବା ଶାସକ ଦଳ ନେତାଙ୍କ ବଢିଲା ଉତ୍କଣ୍ଠା। ଦେଢ ବର୍ଷ ଧରି ସଂଗଠନରେ ବାକି ଥିବା କାମକୁ ସାରିବାକୁ ଅଣ୍ଟା ଭିଡିଛି ଭାରତୀୟ ଜନତା ପାର୍ଟି। ୨୩ଟି ଜିଲ୍ଲାରେ ଶେଷ ହୋଇଛି ସରକାରୀ ଓକିଲ ନିଯୁକ୍ତି। ଗଞ୍ଜାମ, ଝାରସୁଗୁଡା, ରାୟଗଡା, କୋରାପୁଟ, ଜଗତସିଂହପୁର, କେନ୍ଦୁଝର, ଅନୁଗୁଳ, ଦେବଗଡ, କେନ୍ଦ୍ରାପଡା, ସୂବର୍ଣ୍ଣପୁର ଏବଂ ପୁରୀ ଜିଲ୍ଲା ପାଇଁ ଆଇନ ବିଭାଗ ପକ୍ଷରୁ ପ୍ରକାଶ ପାଇ ସାରିଛି ବିଜ୍ଞପ୍ତି। ବାକି ୭ ଜିଲ୍ଲା ପାଇଁ ନିଯୁକ୍ତି ଖୁବ ଶୀଘ୍ର ଶେଷ ହେବ। ଛୁଟି ସରିଲେ ବାହାରିପାରେ ତାଲିକା। ସେହିପରି ଆସନ୍ତା ସପ୍ତାହରେ କିଛି ବୋର୍ଡ ଏବଂ ନିଗମରେ ନେତାଙ୍କୁ ମିଳିପାରେ ନିଯୁକ୍ତି। ଏହି ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ବଢିଲାଣି ବିଜେପି ନେତା ଓ କର୍ମୀଙ୍କ ଭିତରେ ଅସନ୍ତୋଷ। ତେଣୁ ନୂଆ ବର୍ଷରେ ନେତାଙ୍କୁ ପୁରସ୍କାର ଦେବା ଲାଗି ଦଳ ପକ୍ଷରୁ ଯୋଜନା ହୋଇଛି ।
ରାଜ୍ୟରେ ୩୭ଟି ବୋର୍ଡ ଏବଂ ନିଗମ ସହ ୩୦ଟି ଜିଲ୍ଲାରେ ଯୋଜନା ବୋର୍ଡ, ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରହିଛି। ପଶ୍ଚିମ ଓଡିଶା ବିକାଶ ପରିଷଦ ଥିବା ବେଳେ ନୂଆ ସରକାର ମଧ୍ୟ ଦକ୍ଷିଣ ଓଡିଶା ଏବଂ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବିଜେପି ସରକାରକୁ ୧୮ ମାସ ପରେ ବି ଏ ସବୁଗୁଡିକ ଖାଲି ପଡିଛି। ଏସବୁ ନିଯୁକ୍ତି ସହ ପ୍ରାୟ ଦେଢ ଶହ ନେତାଙ୍କୁ ଥଇଥାନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ ମଧ୍ୟ ଦୁଇ ଦୁଇ ଥର ଓଡିଶା ଆସି ବୈଠକ କରିଥିଲେ। ତେବେ ନିକଟରେ ଓଡିଶା ଗସ୍ତରେ ଆସି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଓଡିଶା ଆସି ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ସଂଗଠନରେ ବାକି ଥିବା କାମକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏମିତି କି ଦଳ ପାଇଁ ଯାହା ଭଲ ହେବ ତୁରନ୍ତ କରିବାକୁ ମଧ୍ୟ କହିଥିଲେ। ନୂଆପଡା ଉପନିର୍ବାଚନରେ ଦଳର ଦମଦାର ବିଜୟ ପରେ ପୁଣି ଥରେ ଏହି କସରତକୁ ଆରମ୍ଭ କରାଯାଇଥିଲା, ଯାହା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ଟିକେଟ ନ ନେଇ ନିର୍ବାଚନ ନ ଲଢି, ୨୪ ନିର୍ବାଚନରେ ଦଳ ପାଇଁ କାମ କରିବା ସହ ଦୀର୍ଘ ଦିନ ଧରି ପରିଶ୍ରମ କରିବା ଆଧାର ହୋଇପାରେ ବୋଲି କୁହାଯାଉଛି। ଏହାରି ଭିତରେ ରାଜ୍ୟ ସଭାପତି ନୂଆ କମିଟି ଗଠନ ସାରିଥିବା ବେଳେ, ପୂର୍ବ କମିଟିରୁ ବାଦ୍ ପଡିଥିବା କିଛି ନେତା ବୋର୍ଡ ନିଗମରେ ନିଯୁକ୍ତି ହୋଇପାରନ୍ତି। ଏହା ସହ ସମୀର ମହାନ୍ତି, ଗୋଲକ ମହାପାତ୍ର, ବସନ୍ତ ପଣ୍ଡାଙ୍କ ଭଳି ବରିଷ୍ଠ ନେତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/28/nigama-2025-12-28-20-55-36.jpg)