Guideline Photograph: (OTV)
ବିଧାୟକ, ସାଂସଦଙ୍କୁ କେମିତି ବ୍ୟବହାର କରିବେ ଅଫିସର ? ଜନପ୍ରତିନିଧିମାନେ ସରକାରୀ କାର୍ଯ୍ୟାଳୟକୁ ଆସିଲେ କେମିତି କରିବେ ସ୍ୱାଗତ ? ସାଂସଦ ଓ ବିଧାୟକମାନଙ୍କ ସହ ସରକାରୀ ଅଧିକାରୀଙ୍କ ସମ୍ପର୍କ ଓ ଆଚରଣକୁ ନେଇ ୟା ଭିତରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର।
ଏଥିରେ କୁହାଯାଇଛି ଜନ ପ୍ରତିନିଧିମାନେ ଦେଉଥିବା ଚିଠିର ଉତ୍ତରକୁ ଅଫିସରମାନଙ୍କୁ ୧୫ ଦିନ ଭିତରେ ଦେବାକୁ ପଡିବ। ନହଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।...
ସରକାରୀ ଅଧିକାରୀଙ୍କୁ ଶୃଙ୍ଖଳା ଛାଟ । ବିଧାୟକ ଓ ସାଂସଦଙ୍କୁ ସମ୍ମାନ ଦିଅ ।୧୫ ଦିନ ମଧ୍ୟରେ ସେମାନଙ୍କ ଚିଠିର ଉତ୍ତର ଦିଅ । ନହେଲେ ହେବ କାର୍ଯ୍ୟାନୁଷ୍ଠାନ ।
ପ୍ରାଶାସନିକ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଜନପ୍ରତିନିଧିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଅଫିସରଙ୍କ ପାଇଁ ଏଭଳି ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର। ଏଥିରେ କୁହାଯାଇଛି ସାଂସଦଙ୍କ ଠାରୁ ଆସିଥିବା ଯେକୌଣସି ପତ୍ର ପାଇଁ ସରକାରୀ ଅଧିକାରୀଙ୍କୁ ୧୫ ଦିନ ମଧ୍ୟରେ ପ୍ରାପ୍ତି ସ୍ୱୀକାର ଏବଂ ପରବର୍ତ୍ତୀ ୧୫ ଦିନରେ ଚୂଡ଼ାନ୍ତ ଉତ୍ତର ଦେବାକୁ ହେବ।
ଆସନରୁ ଉଠି ଠିଆ ନହେଲେ ଅଫିସରଙ୍କ ବିରୋଧରେ ବି ହେବ ଆକ୍ସନ
କୌଣସି କାରଣରୁ ବିଳମ୍ବ କ୍ଷେତ୍ରରେ ଅନ୍ତରୀଣ ଉତ୍ତର ପଠାଇ ସମ୍ଭାବ୍ୟ ତାରିଖ ସମ୍ପର୍କରେ ସୂଚନା ଦେବା ବାଧ୍ୟତାମୂଳକ। ଯଦି କୌଣସି ପତ୍ର ସିଧାସଳଖ ଜଣେ ମନ୍ତ୍ରୀଙ୍କୁ ଲେଖାଯାଇଥାଏ, ତେବେ ମନ୍ତ୍ରୀ ନିଜେ ତାହାର ଉତ୍ତର ଦେବେ ନଚେତ, ସଚିବ ପାହ୍ୟାର ଜଣେ ଅଧିକାରୀ ଏହାର ଉତ୍ତର ରଖିବେ।
ଜନପ୍ରତିନିଧି ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଆସିଲେ, ଅଧିକାରୀ ଜଣକ ନିଜ ଆସନରୁ ଉଠି ସ୍ୱାଗତ କରିବେ ଏବଂ ବିଦାୟ ଦେବା ପାଇଁ ବି ଆସନରୁ ଉଠିବେ। ଜନପ୍ରତିନିଧିଙ୍କ ଟେଲିଫୋନ କିମ୍ବା ମେସେଜକୁ ଅଣଦେଖା ନକରି ତୁରନ୍ତ ସେମାନଙ୍କ ସହ ଯୋଗାଯୋଗ କରିବେ।
ଏଥିସହ ସରକାରୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ସାଂସଦଙ୍କୁ ନିଶ୍ଚିତ ଭାବେ ନିମନ୍ତ୍ରଣ କରାଯିବ। ୱାରେଣ୍ଟ ଅଫ୍ ପ୍ରେସିଡେନ୍ସ (Warrant of Precedence) ଅନୁଯାୟୀ ସାଂସଦଙ୍କ ସ୍ଥାନ ସରକାରୀ ସଚିବଙ୍କଠାରୁ ଉପରେ ରହିବ।...
କେବଳ ସେତିକି ନୁହେଁ ମାର୍ଗଦର୍ଶିକା ଉଲ୍ଲଂଘନ ପାଇଁ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ବି ରହିଛି। ଯାଞ୍ଚ ପରେ ଜନପ୍ରତିନିଧିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଥିବା ଅଫିସରଙ୍କୁ ଦଣ୍ଡିତ କରାଯିବ।
ଏଥିସହିତ ସରକାରୀ କର୍ମଚାରୀମାନେ ନିଜର ବ୍ୟକ୍ତିଗତ ସୁବିଧା ପାଇଁ କୌଣସି ସାଂସଦ କିମ୍ବା ବିଧାୟକଙ୍କ ଜରିଆରେ ରାଜନୈତିକ ଚାପ ପ୍ରୟୋଗ କରିପାରିବେ ନାହିଁ। ହେଲେ ବଡ଼ କଥା ହେଉଛି ଏନେଇ ପୂର୍ବରୁ ବି ରାଜ୍ୟ ସରକାରଙ୍କ ପକ୍ଷରୁ ବୁକ୍ ସର୍କୁଲାର ଥିବା ସତ୍ତ୍ବେ ଅନେକ କ୍ଷେତ୍ରରେ ଏହାର ଉଲ୍ଲଂଘନ ନେତାଙ୍କ ଅସନ୍ତୋଷର କାରଣ ପାଲଟିଛି।
ଏଇ ଯେମିତିି ଝାରସୁଗୁଡାରେ ଚାଷୀ ସମାବେଶରେ ସାଂସଦ ପ୍ରଦୀପ ପୁରୋହିତଙ୍କ ଫଟୋ ନଥିବାରୁ ରାଗିଥିଲେ ସାଂସଦ। ଆଉ ପୁଣି ଜଗତସିଂହପୁରରେ (DEC 22) ଜିଲ୍ଲା ପ୍ରାଣୀ ସଂପଦ ମେଳାରେ ପ୍ରଶାସନିକ ଅବ୍ୟବସ୍ଥା ପାଇଁ କ୍ଷୁବ୍ଧ ହୋଇ ସଭା ଛାଡି ଚାଲିଯାଇଥିଲେ ବିଧାୟକ ଅମରେନ୍ଦ୍ର ଦାସ।
ତେଣୁ ପ୍ରଶ୍ନ ଉଠୁଛି ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ନିୟମାବଳୀ ସତ୍ତ୍ୱେ ବି କାହିଁକି ଜନପ୍ରତିନିଧି ଏବଂ ଅଧିକାରୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଏମିତି ଚିତ୍ର।...
ରାଜ୍ୟ ପରେ କେନ୍ଦ୍ରର ମାର୍ଗଦର୍ଶିକା ପ୍ରାଶାସନିକ ଶୃଙ୍ଖଳାକୁ କେତେ ମଜଭୁତ କରୁଛି ଦେଖିବାର କଥା।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/24/guideline-2026-01-24-20-18-11.jpg)