Susant Rout Photograph: (OTV)
ପ୍ରାୟ ୩ କୋଟି ୭୪ ଲକ୍ଷ ଟଙ୍କାର ଅନାଦେୟ ଋଣ ପାଇଁ ବ୍ୟାଙ୍କ ଭୁବନେଶ୍ବର ନୂଆପଲ୍ଲୀରେ ଥିବା ବିଧାୟକଙ୍କ ମୂଲ୍ୟବାନ ସମ୍ପତ୍ତିକୁ ଦଖଲକୁ ନେଇଛି । ଏ ନେଇ ଖବରକାଗଜରେ ବିଜ୍ଞାପନ ଜରିଆରେ ଏହି ସମ୍ପତ୍ତି ନ କିଣିବାକୁ ସତର୍କ କରି ଦିଆଯାଇଛି । ତେବେ ବିଧାୟକ କହିଛନ୍ତି, ବାପା ଓ ଦାଦା ପୂର୍ବରୁ ବ୍ୟବସାୟ ପାଇଁ ଋଣ ନେଇଥିଲେ । ଏହା ସୁଝାଯାଇପାରେ । ....
ବାପା ଓ ଦାଦା ନେଇଥିବା ପୁରୁଣା ଋଣ ପରିଶୋଧ ହୋଇ ନ ପାରିବାରୁ ଅଡୁଆରେ ଭୁବନେଶ୍ବର ଉତ୍ତର ବିଜେଡି ବିଧାୟକ ସୁଶାନ୍ତ କୁମାର ରାଉତ । ଉତ୍ତରାଧିକାରୀ ସୂତ୍ରରେ ତାଙ୍କୁ ମିଳିଥିବା ସମ୍ପତ୍ତିକୁ ଦଖଲକୁ ନେଇଛି ବ୍ୟାଙ୍କ। ଏ ନେଇ ଭୁବନେଶ୍ବର ୟୁକୋ ବ୍ୟାଙ୍କ ଆସେଟ୍ ମ୍ୟାନେଜମେଣ୍ଟ ଶାଖା ତରଫରୁ ଖବରକାଗଜରେ ବିଜ୍ଞାପନ ଦିଆଯାଇଛି ।
ଖବରକାଗଜରେ ଦିଆଯାଇଥିବା ଏ ବିଜ୍ଞାପନ ଉପରେ ନଜର ପକାନ୍ତୁ । SECURITISATION AND RECONSTRUCTION OF FINANCIAL ASSETS AND ENFORCEMENT OF SECURITY INTEREST ACT, 2002 ଅନୁଯାୟୀ ରଣଗ୍ରହୀତା, ନିର୍ଦ୍ଦେଶକ ଓ ଗ୍ୟାରେଣ୍ଟିଦାତାଙ୍କ ଉପରେ ବକେୟା ଦେୟ ପ୍ରାୟ ୩ କୋଟି ୭୪ଲକ୍ଷ ଟଙ୍କା ରହିଛି ।
ଡିମାଣ୍ଡ ନୋଟିସର ୬୦ ଦିନ ଭିତରେ ଏହି ଋଣ ପରିଶୋଧ କରାଯାଇ ନ ଥିବାରୁ ବ୍ୟାଙ୍କ୍ ଏବେ ସେମାନଙ୍କ ସମ୍ପତ୍ତିକୁ ଦଖଲକୁ ନେଇଛି । ଯଦି ଋଣଗ୍ରହୀତା ଏହାକୁ ୩୦ ଦିନ ଭିତରେ ପରିଶୋଧ କରିଦିଅନ୍ତି ତେବେ ସମ୍ପତ୍ତି ରହିଯିବ । ନଚେତ ଏହାକୁ ନିଲାମ କରାଯାଇପାରେ । ପୁଣି ଥରେ ଖବରକାଗଜରେ ନିଲାମ ନୋଟିସ୍ ପ୍ରକାଶ ପାଇବ ଓ ଏଥିପାଇଁ ବ୍ୟାଙ୍କ୍ ଦାୟୀ ରହିବ ନାହିଁ।
ବିଜ୍ଞାପନ ଅନୁସାରେ, ଋଣଗ୍ରହୀତା ଓ ଗ୍ୟାରେଣ୍ଟର ଭାବେ ଭୁବନେଶ୍ବର ୟୁନିଟ୍-୪ ମାର୍କେଟ କମ୍ପ୍ଲେକ୍ସରେ ଥିବା ମେସର୍ସ ଲାବ୍ କେମିକାଲ୍ସ ପ୍ରାଇଭେଟ୍ ଲିମିଟେଡ୍, ମେସର୍ସ ସାଇଣ୍ଟିଫିକ୍ ଟ୍ରେଡର୍ସ ଏବଂ ନୀଳକଣ୍ଠ ନଗରରେ ଥିବା ମେସର୍ସ ନ୍ୟାସନାଲ ସାଇଣ୍ଟିଫିକ୍ କର୍ପୋରେସନ ରହିଛି । ଏହାର ନିର୍ଦ୍ଦେଶକ ବା ସତ୍ତ୍ୱାଧିକାରୀ ହେଉଛନ୍ତି- ଭକ୍ତଚରଣ ରାଉତ, ଗଗନ ବିହାରୀ ରାଉତ, ସୌଭାଗିନୀ ରାଉତ। ଭକ୍ତଚରଣ ରାଉତ ହେଉଛନ୍ତି ବିଧାୟକ ସୁଶାନ୍ତଙ୍କ ବାପା, ଗଗନ ବିହାରୀ ରାଉତ ସୁଶାନ୍ତଙ୍କ ଦାଦା ଓ ସୌଭାଗିନୀ ରାଉତ ହେଉଛନ୍ତି ମାଆ।
ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ୨୦୨୪ ନିର୍ବାଚନୀ ସତ୍ୟପାଠ ଦେଖିଲେ, ବ୍ୟାଙ୍କ୍ ଦଖଲକୁ ନେଇଥିବା ସମ୍ପତ୍ତିଗୁଡ଼ିକ ଉତ୍ତରାଧିକାର ସୂତ୍ରରେ ସୁଶାନ୍ତଙ୍କ ପାଖକୁ ଆସିଛି। ସୁଶାନ୍ତଙ୍କ ପାଖରେ ପ୍ରାୟ ୬ କୋଟି ଟଙ୍କାର ସଚଳ ସମ୍ପତ୍ତି ରହିଥିବାବେଳେ ପତ୍ନୀ ଅରୁନ୍ଧତୀ ଲେଙ୍କାଙ୍କ ନିକଟରେ ପ୍ରାୟ ୩ କୋଟି ଟଙ୍କାର ସଚଳ ସମ୍ପତ୍ତି ରହିଛି। ସେହିଭଳି ସୁଶାନ୍ତଙ୍କ ପାଖରେ ମାତ୍ର ୫୨ ଲକ୍ଷ ଟଙ୍କାର ଅଚଳ ସମ୍ପତ୍ତି ରହିଥିବା ବେଳେ ପତ୍ନୀଙ୍କ ନିକଟରେ ପ୍ରାୟ ୧୨ କୋଟି ଟଙ୍କାର ଅଚଳ ସମ୍ପତ୍ତି ରହିଛି।
ମୋଟ ଉପରେ ସୁଶାନ୍ତ, ତାଙ୍କ ପତ୍ନୀ ଓ ଝିଅ ନାଁରେ ଏବେ ପ୍ରାୟ ୨୧ କୋଟି ଟଙ୍କାର ସମ୍ପତ୍ତି ରହିଥିବା ବେଳେ ୮ କୋଟି ଟଙ୍କାର ଋଣ ରହିଛି। ଏ ନେଇ ଆମେ ବିଧାୟକ ସୁଶାନ୍ତ ରାଉତଙ୍କ ପ୍ରତିକ୍ରିୟା ଲୋଡ଼ିବାରୁ ସେ କ୍ୟାମେରା ସାମନାରେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ସୁଦ୍ଧା କହିଥିଲେ- ଏହା ମୋ ବାପା ଓ ଦାଦାଙ୍କ ବ୍ୟବସାୟ ସଂକ୍ରାନ୍ତ ଋଣ। ତାହାକୁ ସୁଝି ଦିଆଯାଇପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/susant-rout-2025-10-31-14-59-05.jpg)