ପ୍ରଦୂଷଣର ବିଷବଳୟରେ ଖଣି ରାଜଧାନୀ Photograph: (OTV)
ଦଶନ୍ଧି ଦଶନ୍ଧି ଧରି ପ୍ରଦୂଷଣର ବିଷ ବଳୟରେ ସୁନ୍ଦରଗଡ଼ ଜିଲ୍ଲା ଖଣି ରାଜଧାନୀ କୋଇଡା ସହର। ଏଠାରେ ଭାରିଯାନ ଚଳାଚଳ ଦ୍ଵାରା ଦିବା ରାତି ଉଡୁଛି ନାଲି ଧୂଳି ରଙ୍ଗ ସାଙ୍ଗକୁ କଳା ରଙ୍ଗର ବିଷମୟ ଧୂଳି। ଫଳରେ ଗଛପତ୍ର ଓ ଅନ୍ୟ ସମସ୍ତ ସ୍ଥାନରେ ଜମି ରହିଛି କଳା ଓ ନାଲି ରଙ୍ଗ ଧୂଳିର ଏକ ବିରାଟ ସ୍ତର। ଏପଟେ ପ୍ରଦୂଷଣ ପାଇଁ କିଛି ବର୍ଷ ହେଲା ସ୍ଥାନୀୟ ଅଞ୍ଚଳରେ ଯକ୍ଷ୍ମା ଓ ଆଜ୍ମା ରୋଗୀଙ୍କ ସଂଖ୍ୟା ବଢ଼ିଥିବା କହିଲେଣି ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ। ଦେଖନ୍ତୁ ଆମର ସୋତନ୍ତ୍ର ରିପୋର୍ଟ ବିଷ ବଳୟରେ ଖଣି ରାଜଧାନୀ।
ପ୍ରଦୂଷଣ ଏତେ ବଢିଯାଇଛି ଯେ ଦିନ ଦ୍ୱିପହରରେ ଜାତୀୟ ରାଜପଥରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି। ଜୁଆଡେ ଦେଖିଲେ ଖାଲି ଉଡୁଛି ଧୂଳି ହିଁ ଧୂଳି। ସେ ବାଇକ୍ରେ ହେଉ କି ଚାଲିକି, ଯିବା ମୁସ୍କିଲ ହୋଇପଡିଛି। ଅନେକ ସମୟରେ ବୋଝେଇ ଟ୍ରକ୍ ଚାଲିଗଲେ ସୃଷ୍ଟି ହେଉଚି ଧୂଳିର କୁହୁଡି।
ଖାଲି ସେତିକି ନୁହେଁ କୋଇଡା ବ୍ଲକରେ ଥିବା ପ୍ରତ୍ୟେକ ରାସ୍ତାକୁ କାବୁ କରିଛି ଖଣିରେ ପରିବହନ ପାଇଁ ନିୟୋଜିତ ହେଉଥିବା ବଡବଡ ଟ୍ରକର ଚକା ଏବଂ ଗାଡିରୁ ଅନବରତ ପଡ଼ୁଥିବା ପଥର ଗୁଣ୍ଡ। ରାସ୍ତାରେ ପ୍ରବଳ ଧୂଳି ପଡ଼ି ରହିବା ଫଳରେ ରାସ୍ତା ଦିଶୁନି। ଧୂଳି ଧୁଆଁରେ ବିଷ ପାଲଟିଛି କୋଇଡା ସହର। ଏଠାରେ ନିଃଶ୍ୱାସ ନେବା କ୍ଷଣିକେ ରୋଗକୁ ନିମନ୍ତ୍ରଣ କରିବା ପରିସ୍ଥିତି ହୋଇଛି।
ଏଠାରେ ଗଛର ପତ୍ର ଓ ପ୍ରତ୍ୟେକ ଦୋକାନର ସାଇନ୍ ବୋର୍ଡ ଧୁଳିମୟ। ଗଛର ପତ୍ର ସବୁଜ ବଦଳରେ ପାଲଟିଛି ନାଲି ଓ କଳା ରଙ୍ଗ। ଏପରିକି ରାସ୍ତା ପାର୍ଶ୍ଵରେ ଥିବା ଦୋକାନ ଭିତର ରାତି ପାହିଲେ ଧୂଳି କବଳରେ କାବୁ। ରାତି ଦିନ ଉଡୁଥିବା ଧୂଳି ଯୋଗୁଁ ସ୍ଥାନୀୟ ବ୍ୟବସାୟୀ ନାକେଦମ୍ ହେବା ସହ ରାସ୍ତାରେ ଯିବା ଆସିବା କରୁଥିବା ସାଧାରଣ ଲୋକେ ନିଶ୍ୱାସ ନେବାକୁ ଭୟ କଲେଣି।
ନାଲି ଓ କଳା ରଙ୍ଗର ବିଷାକ୍ତ ଧୂଳି ବାୟୁ ମଣ୍ଡଳ, ନଦୀ ନାଳ ଓ କ୍ଷେତରେ ମିଶିବା ପରେ ସ୍ଥାନୀୟ ଲୋକେ ଯକ୍ଷ୍ମା, ଆଜମା ଭଳି ରୋଗରେ ଆକ୍ରାନ୍ତ ହେଉଥିବା ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଅନ୍ୟପଟେ ରାସ୍ତାରେ ଉଡୁଥିବା ଧୂଳି ଓ ସ୍ଥାନୀୟ ପ୍ଲାଣ୍ଟରୁ ନିର୍ଗତ କଳା ଗୁଣ୍ଡ ବାୟୁ ମଣ୍ଡଳରେ ମିଶିବା ପରେ ଏଠାରେ ସନ୍ଧ୍ୟା ହେଲେ ଆକାଶରେ ତାରା ବି ଦେଖା ଯାଉ ନାହାନ୍ତି।
ଅନ୍ୟପଟେ ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ ଅଭିଯୋଗ କରିଛନ୍ତି ସେ ବିଧାୟକ ଥିବାବେଳେ ବିଧାନସଭାରେ ପ୍ରଶ୍ନ ଆଣିଥିଲେ, କୋଇଡାର ଛାତ୍ରଛାତ୍ରୀ ପରୀକ୍ଷାରେ ଗଛପତ୍ର ସବୁଜ ଲେଖିବା ବଦଳରେ ନାଲି ଲେଖୁଛନ୍ତି। ଦଶନ୍ଧି ଦଶନ୍ଧି ଧରି କୋଇଡା ବ୍ଲକ୍ ପ୍ରଦୂଷଣର ବିଷ ବଳୟରେ ଯୁଝୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନର ବାଟ ବାହାରି ନାହିଁ।
କୋଇଡା ଖଣି ମଣ୍ଡଳ ଅଧୀନରେ କାର୍ଯ୍ୟରତ ଥିବା ୨୫ରୁ ଅଧିକ ଲୌହ ଖଣି କମ୍ପାନୀ କୋଇଡାରେ ପ୍ରଦୂଷଣକୁ ରୋକିବାରେ ଆଜିଯାଏଁ କୌଣସି ଠୋସ ପଦକ୍ଷେପ ନେଇ ନଥିବା ମଧ୍ୟ ଅଭିଯୋଗ ହୋଇଛି। ଏପଟେ ପ୍ରତ୍ୟେକ ଦିନ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଦୂଷଣରେ ଶିକାର ରୋଗୀଙ୍କ ସଂଖ୍ୟା ବଢ଼ିଥିବା ମଧ୍ୟ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ କେବଳ କୋଇଡା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଗାଁଗୁଡିକରୁ ବର୍ଷକୁ ୧୦୦ରୁ ଅଧିକ ପ୍ରଦୂଷଣରେ ଆକ୍ରାନ୍ତ ହୋଇ ଯକ୍ଷ୍ମା ଓ ଆଜ୍ମା ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏପରି ସ୍ଥିତିରେ ତୁରନ୍ତ ପ୍ରଦୂଷଣକୁ ରୋକା ନଗଲେ ଅଧିକରୁ ଅଧିକ ଲୋକେ ପ୍ରଦୂଷଣ ରୋଗରେ ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ିବାର ସମ୍ଭାବନା ରହିଛି। ରାଉରକେଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲ୍ଲିକଙ୍କୁ ଘଟଣା ବିଷୟରେ ପଚାରିବାରୁ ସେ ଚିରା ଚରିତ ଢଙ୍ଗରେ କହିଛନ୍ତି ଜିଲ୍ଲା ପ୍ରଶାସନ ଏନେଇ ଅବଗତ ଅଛି ଏବଂ ଏହାକୁ ରୋକିବାରେ ଆମେ କାର୍ଯ୍ୟ କରୁଛୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/13/koida-suffocates-under-toxic-dust-2026-01-13-20-53-50.jpg)