ଦୋଳ ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ Photograph: (OTV)
ଆସନ୍ତା ୩ ତାରିଖରେ ଚନ୍ଦ୍ର ଗ୍ରହଣ। ତାସହ ସେଦିନ ପଡୁଛି ଦୋଳ ପୂର୍ଣ୍ଣମୀ। ଗ୍ରହଣ କେତେବେଳେ ସ୍ପର୍ଶ କରି କେତେଟାରେ ସର୍ବମୋକ୍ଷ ହେବ। ପାକତ୍ୟାଗ କେତବେଳଠୁ। ୟାକୁ ନେଇ ସାଧାରଣ ଲୋକେ ପାଞ୍ଜି ଓ କ୍ୟାଲେଣ୍ଡର ଉଣ୍ଡାଳୁ ଥିବାବେଳେ ଜ୍ୟୋତିର୍ବିଦ ଏସବୁକୁ ନେଇ ସ୍ପଷ୍ଟତା ଆଣିଛନ୍ତି।
ତେଣେ ସେଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ ଓ ଦୋଳବେଦୀ ବିଜେ ନୀତି ବି ଥିବାରୁ ଏହାକୁ କିଭଳି ଶୃଙ୍ଖଳିତ କରାଯିବ ସେଥିପାଇଁ ଆସନ୍ତା ୨୪ରେ ବସିବ ଛତିଶା ନିଯୋଗ ବୈଠକ। ଏପଟେ କେଉଁ ୬ ରାଶିଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ ସେ ସୂଚନା ବି ଦେଇଛନ୍ତି ଜ୍ୟୋତିଷ ଶାସ୍ତ୍ରୀ।
ଏଥର ଦୋଳ ପୂର୍ଣ୍ଣମୀରେ କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ। ସାଧାରଣ ଲୋକଙ୍କ ପ୍ରଶ୍ନ- କେତେବେଳେ ଗ୍ରହଣ ସ୍ପର୍ଶ କରିବ ? କେତେବେଳେ ସର୍ବ ମୋକ୍ଷ ହେବ ? ପାକ ତ୍ୟାଗ ଅବଧି କେତେ ଘଣ୍ଟା ? କେଉଁ ରାଶିର ବ୍ୟକ୍ତିଙ୍କୁ ଗ୍ରହଣ ଦର୍ଶନ ବାରଣ ?
ଏଭଳି ନାନାଦି ପ୍ରଶ୍ନର ଉତ୍ତରରେ ଜ୍ୟୋତିର୍ବିଦ୍ ଅଶୋକ ମହାପାତ୍ର କହିଛନ୍ତି- ଆସନ୍ତା ୩ ତାରିଖ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ଓ ସନ୍ଧ୍ୟା ୬ଟା ୪୭ ମିନିଟ୍ ପରେ ସର୍ବମୋକ୍ଷ ହେବ। ତେବେ ପରଂପରା ଅନୁସାରେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି। ସେଥିପାଇଁ ସେ ଦିନ ସୂର୍ଯ୍ୟୋଦୟ ସମୟ ଅର୍ଥାତ୍ ସକାଳ ୬ଟା ୦୮ ମିନିଟ୍ ରୁ ପାକତ୍ୟାଗ ଓ ଅନ୍ନ ଭୋଜନ ସଂପୂର୍ଣ୍ଣ ନିଷେଧ କରାଯାଇଛି।
ତେବେ ରୋଗୀ, ଶିଶୁ ଓ ବୟସ୍କଙ୍କ କ୍ଷେତ୍ରରେ ଏହା କୋହଳ କରାଯାଇଛି। ତେବେ ଗ୍ରହଣ ଲାଗୁଥିବା ସମୟରେ କେଉଁ କେଉଁ ରାଶିକୁ ଚନ୍ଦ୍ର ଦର୍ଶନ ମନା ? ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମାଙ୍କ ମତରେ ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ଦର୍ଶନ ଅତି ଅଶୁଭ। ହେଲେ ମେଷ, ବୃଷ, ମିଥୁନ, କର୍କଟ, ତୁଳା ଓ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କୌଣସି ଅସୁବିଧା ନାହିଁ।
ବଡ଼ କଥା ହେଲା ମାର୍ଚ୍ଚ ୩ରେ ପଡୁଛି ଦୋଳ ପୂର୍ଣ୍ଣମୀ। ସେଦିନ ଶ୍ରୀମନ୍ଦିରେ ରହିଛି ଅନେକ ନୀତିକାନ୍ତି। ଯେମିତିକି- ଶ୍ରୀଜିଉଙ୍କ ସୁନା ବେଶ, ନାଭିକଟା ମଣ୍ଡପକୁ ଦିଅଁ ବିଜେ, ଦୋଳବେଦୀକୁ ଯିବେ ଦୋଳ ଗୋବିନ୍ଦ ଏବଂ ଭୂଦେବୀ-ଶ୍ରୀଦେବୀ ଓ ମହାସ୍ନାନ ଆଦି ନୀତି। ତେଣେ ଗାଁ ଗାଁରେ ବି ଦୋଳ ବିମାନରେ ଦିଅଁ ବୁଲି ବୁଲି ଭୋଗ ଖାଇବେ। ହେଲେ ଯେହେତୁ ସେ ଦିନ ତମାମ ପାକ ନୀତି, ଅନ୍ନ ଭୋଗ ଓ ଠାକୁର ପୂଜା ନିଷେଧ ରହିଛି।
ତେଣୁ କିଛି ଦେବନୀତି ସୂର୍ଯ୍ୟ ଉଦୟ ପୂର୍ବରୁ ସାରିବାକୁ ପାଞ୍ଜିକାରଙ୍କ ମତ। ଶ୍ରୀମନ୍ଦିରରେ ସେ ଦିନ ପ୍ରାୟ ୩୨ ପ୍ରକାର ନୀତିକାନ୍ତିକୁ କିପରି ଶୃଙ୍ଖଳିତ ସହକାରେ ସଂପନ୍ନ କରାଯିବ ସେଥିପାଇଁ ଆସନ୍ତା ୨୪ରେ ଛତିଶା ନିଯୋଗ ଏବଂ ନୀତି ସବକମିଟି ବୈଠକ ବସିବ। ସମ୍ଭବତଃ ପୂର୍ଣମୀ ପୂର୍ବ ଦିନ ରାତି ୧୨ଟାରେ ଦ୍ୱାର ଫିଟା ଯାଇ କିଛି ନୀତିକାନ୍ତି ସଂପନ୍ନ କରାଯିବାର ମଧ୍ୟ ସଙ୍କେତ ଦେଇଛନ୍ତି ସେବାୟତ।...
ସୂଚନା ଅନୁସାରେ ଗ୍ରହଣ ପାଇଁ ଏଥର ଦୋଳ ପୂର୍ଣ୍ଣମୀ ରାତିରେ ହୋଇପାରେ ଶ୍ରୀଜିଉଙ୍କ ସୁନାବେଶ। କିନ୍ତୁ ମହା ପ୍ରସାଦ ପାଇବାରୁ ସେଦିନ ଭକ୍ତ ବଞ୍ଚିତ ହେବେ ନା ନାହିଁ ? ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/22/lunar-eclipse-on-dol-purnima-2026-02-22-19-52-36.jpg)