Advertisment

Inventory Delay Raises Questions: କେବେ ହେବ ରତ୍ନଭଣ୍ଡାରର ଗଣତି ମଣତି ? ମନ୍ତ୍ରୀ କହିଲେ ରଥ ପୂର୍ବରୁ ସାରିବାକୁ ନିଷ୍ପତ୍ତି ନେଇଛି କମିଟି

46 ବର୍ଷ ପରେ ପ୍ରଥମଥର ପାଇଁଗତବର୍ଷ ଜୁଲାଇ 14 ତାରିଖରେ ରତ୍ନଭଣ୍ଡାର ଖୋଲିଲା। ପରବର୍ତ୍ତୀ ସମୟରେ ରତ୍ନ ସ୍ଥାନାନ୍ତର ହୋଇ ସୁରୁଖୁରୁରେ ଭଣ୍ଡାର ମରାମତି ହେଲା।

RATNABHANDAR

RATNABHANDAR Photograph: (OTV)

Advertisment

46 ବର୍ଷ ପରେ ପ୍ରଥମଥର ପାଇଁଗତବର୍ଷ ଜୁଲାଇ 14 ତାରିଖରେ ରତ୍ନଭଣ୍ଡାର ଖୋଲିଲା। ପରବର୍ତ୍ତୀ ସମୟରେ ରତ୍ନ ସ୍ଥାନାନ୍ତର ହୋଇ ସୁରୁଖୁରୁରେ ଭଣ୍ଡାର ମରାମତି ହେଲା। ସେପ୍ଟେମ୍ବର 23ରେ ପୁଣି ରତ୍ନଭଣ୍ଡାରକୁ ଅଳଙ୍କାର ଫେରିଲା। ହେଲେ ୟା ଭିତରେ ଅଳଙ୍କାର ସ୍ଥାନାନ୍ତରଣକୁ 3 ମାସ ବିତି ସାରିଥିଲେ ବି ଗଣତି ମଣତି କେବେ ଆରମ୍ଭ ହେବ ତାକୁ ନେଇ ସସପେନ୍ସ ହଟୁନି। ନୂଆବର୍ଷରୁ କାମ ଆରମ୍ଭ ହୋଇ ଅକ୍ଷୟତୃତୀୟା ଭିତରେ ସାରିବାକୁ ସରକାରଙ୍କ ଲକ୍ଷ୍ୟ ଥିବା କୁହାଯାଉଥିଲା ବେଳେ କାଲି ବସିଥିବା ରତ୍ନଭଣ୍ଡାର ତଦାରଖ କମିଟି ବୈଠକରୁ ବି ତାରିଖକୁ ନେଇ ସ୍ପଷ୍ଟତା ଆସିଲାନି। ତଦାରଖ କମିଟି ଅଧ୍ୟକ୍ଷ କେବଳ ସଂକେତ ଦେଲେ ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ।...

Advertisment



ତଦାରଖ କମିଟି ବୈଠକର ନିଷ୍ପତ୍ତି ମୁତାବକ ୩ଟି ପର୍ଯ୍ୟାୟରେ ମହାପ୍ରଭୁଙ୍କର ରତ୍ନ ଅଳଙ୍କାର ଗଣତିମଣତି ହେବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରର ଗଣତିମଣତି କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଓ ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ଗଣତିମଣତି କରାଯିବ। ତେବେ ଗଣତି ମଣତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଦର୍ଶନରେ ଯେଭଳି ବ୍ୟାଘାତ ନହେବ ତାକୁ ଗୁରୁତ୍ବ ଦେଇ ତଦାରଖ କମିଟି ପକ୍ଷରୁ ଏସ୍ଓପି ପ୍ରସ୍ତୁତ କରାଯାଇଛି।ସେଇ ଏସଓପିକୁ ପ୍ରଥମ ଶ୍ରୀମନ୍ଦିର ପରିଚାଳନା କମିଟି ପାଖକୁ ଯିବ। ପରିଚାଳନା କମିଟିର ଅନୁମୋଦନ ପରେ ରାଜ୍ୟ ସରକାରଙ୍କ ପାଖକୁ ଯିବ। ସରକାରଙ୍କ ଅନୁମତି ପରେ ହିଁ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ। ହେଲେ ନିର୍ଦ୍ଦିଷ୍ଟ ଭାବେ ସେ ତାରିଖ କେବେ, ତାହା ସ୍ପଷ୍ଟ କରିବା ସହ ଗଣତି ମଣତି କାମ ଶୀଘ୍ର ସାରିବାକୁ ଦାବି କରିଛନ୍ତି ସେବାୟତ।...ତେବେ ଆଇନମନ୍ତ୍ରୀ କହିଛନ୍ତି ରଥଯାତ୍ରା ପୂର୍ବରୁ ଗଣତି ମଣତି ସାରିବାକୁ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେଇ ସାରିଛି, ସରକାରଙ୍କ ପାଖରୁ ଏସଓପି ଆସିଲେ ଏଥିପାଇଁ ବାଟ ଖୋଲିବ।..

ଅପରପକ୍ଷେ ଗଣତି ମଣତି ସମୟରେ କେଉଁମାନେ ଉପସ୍ଥିତ ରହିବେ ସେଥିପାଇଁ ଚିଠା ତାଲିକା ପ୍ରସ୍ତୁତ ହୋଇଛି।ଗଣତି ମଣତି ପାଇଁ ଅଧିକୃତ ଥିବା ବ୍ୟକ୍ତିବିଶେଷଙ୍କ କଡ଼ାକଡ଼ି ଯାଞ୍ଚ କରାଯିବ। ଭିତର ରତ୍ନଭଣ୍ଡାର ଗଣତିମଣତି ସମୟରେ ପରିଚାଳନା କମିଟିର ସେବକ ପ୍ରତିନିଧି ରହିବେ। ଏହି ସମୟରେ ଆରବିଆଇର ଜଣେ ପ୍ରତିନିଧି ରହିବେ, ଜଣେ ବଣିଆ ସେବକ ରହିବେ। ୧୯୭୮ ମସିହା ଗଣତିମଣତି ତାଲିକା ରିପୋର୍ଟ ସହ ମେଳକ କରାଯିବ। ଗଣତିମଣତି ଶେଷ ପରେ ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯିବ। ସମସ୍ତ ଗଣତିମଣତି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ତେବେ ସାରା ଜଗନ୍ନାଥପ୍ରେମୀଙ୍କ ନଜର ଥିବା ରତ୍ନଭଣ୍ଡାରର ଗଣତିମଣତି କେତେ ଶୀଘ୍ର ଆରମ୍ଭ ହୋଇ ସରୁଛି ତାକୁ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ