BALASORE-CREMATION Photograph: (OTV)
ଏପଟେ ଶବ ବାକ୍ସର କାଚ ଭିତରେ ପତ୍ନୀଙ୍କ ପ୍ରାଣଶୂନ୍ୟ ଶରୀର...ଆରପାଖେ ଏକଦା ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବାର ସଂକଳ୍ପ ନେଇଥିବା ସ୍ବାମୀ...ନିର୍ଜୀବ ଶରୀର ଅପେକ୍ଷା କରିଛି ଏହି ସଂସାରରୁ ଶୀଘ୍ର ବିଦାୟ ନେଇ ପଞ୍ଚଭୁତରେ ବିଲୀନ ହେବାକୁ...କିନ୍ତୁ ଆଜିକୁ ୩ ଦିନ ବିତିଗଲା, ବାଟ ଓଗାଳିଛି ଦାମ୍ପତ୍ୟ ବିବାଦ...କାରଣ ଯାହାଙ୍କୁ ଦିନେ ପ୍ରାଣପ୍ରିୟ ଦେବତା ସଜାଇ ପୂଜା କରି ଆସୁଥିଲେ, ସେହି ସ୍ବାମୀ ଏଠି ଆବେଗଶୂନ୍ୟ ଅବସ୍ଥାରେ ବସିଛନ୍ତି ଏଭଳି ଭାବେ। ଜିଦ୍ ଧରିଛନ୍ତି ସେ ଅନ୍ତିମ ସତ୍କାର କରିବେ ନାହିଁ। କାରଣ ପତ୍ନୀଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଛି, ବିବାଦ ଉପୁଜିଛି। ଏପରିକି ଛାଡ଼ପତ୍ର ବି ହୋଇଛି। ତଥାପି ଗାଁ ଲୋକେ ତାଙ୍କୁ ବାଧ୍ୟ ବାଧକତା କରି ଅଟକାଇ ରଖିଛନ୍ତି।
ବାଲେଶ୍ବର ସହରର ସୃଷ୍ଟିଧର ଦେ’ ଏବଂ ମୃତ ପତ୍ନୀ ଛବିରାଣୀ ଦେ’। ଆଜିକୁ ୪୦ ବର୍ଷ ତଳେ ସାମାଜିକ ରୀତିନୀତି ଅନୁଯାୟୀ ବିବାହ କରି ଘର ସଂସାର କରିଥିଲେ। ସୃଷ୍ଟିଧର ଏକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ବି ଥିଲେ। ଇତିମଧ୍ୟରେ ସେ ଅବସର ନେଇସାରିଛନ୍ତି। ଉଭୟଙ୍କ ଏକମାତ୍ର ପୁଅ ଏବେ ରହୁଛନ୍ତି କାନାଡ଼ାରେ। ଦୀର୍ଘବର୍ଷ ହେଲାଣି ଦାମ୍ପତ୍ୟ ବିବାଦ ଯୋଗୁ ପତ୍ନୀଙ୍କୁ ଛାଡ଼ି ସୃଷ୍ଟିଧର ଅନ୍ୟତ୍ର ରହୁଛନ୍ତି। ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ସେ କୁଆଡ଼େ ବିବାହ କରିଥିବା କୁହାଯାଉଛି। ଏସବୁ ଭିତରେ ଏହି ଘରେ ନିଃସଙ୍ଗ ଜୀବନ ଜୀଉଁଥିବା ୬୦ ବର୍ଷିୟା ଛବିରାଣୀଙ୍କ ଗତ ରବିବାର ଭୋର ସାଢ଼େ ୩ଟାରେ ହୃଦଘାତରେ ଦେହାନ୍ତ ହୋଇଥିବା କୁହାଯାଉଛି। ଏହି ଖବର ପାଇ ଅନ୍ତିମ ଦର୍ଶନ ଲାଗି ସୃଷ୍ଟିଧର ଆସିଥିଲେ ସତ, କିନ୍ତୁ ଅନ୍ତିମ ସତ୍କାର ପାଇଁ ମନା କରିବାରୁ ଗାଁ ଲୋକେ ତାଙ୍କୁ ଅଟକାଇ ଛବିରାଣୀଙ୍କ ମୃତଦେହକୁ ଜଗିରହିବାକୁ ବାଧ୍ୟ କରିଛନ୍ତି। କାରଣ କାନାଡାରୁ ଫେରୁଥିବା ଉଭୟଙ୍କ ପୁଅ ଆସିବାରେ ବିଳମ୍ବ ହେଉଛି।
ଘଟଣା ଯାହା ବି ହେଉ। ଦିନେ ଘର ସଂସାର ଗଢିଥିଲେ, ସିଏ ଆଜି ମଲା ପରେ ବି ତାଙ୍କୁ ମିଳୁନି ଶାନ୍ତି। ଦାମ୍ପତ୍ୟ କଳି ପଛରେ ଯାହା ବି କାରଣ ଥାଉ, ମୃତ୍ୟୁ ପରେ ବି ପତ୍ନୀଟିଏ ଆଜି କାନ୍ଧ ଖୋଜୁଛି। ମଲା ପରେ ବି ପୁଅର ଫେରିବା ବାଟକୁ ଅନାଇ ରହିଛି ମା’ଟିଏ। ଅପେକ୍ଷା, ପତ୍ନୀଙ୍କୁ ଧରି ବିଦେଶରେ ରହୁଥିବା ପୁଅକୁ। ଯିଏ ଆସିବା ପରେ ହେବ ଅନ୍ତିମ ସତ୍କାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/12/balasore-cremation-2025-11-12-20-08-17.jpg)