/odishatv-khabar/media/media_files/2026/01/03/humanity-still-lives-2026-01-03-14-49-13.jpg)
ବେ ବି ବଞ୍ଚିଛି ମାନବିକତା Photograph: (OTV)
ଯେତେବେଳେ ନିଜ କର୍ମ ସେବାରେ ପରିଣତ ହୁଏ ସେତେବେଳେ ବଦଳି ଯାଏ ସଂଜ୍ଞା। ଆଉ ସେହି ନିଆରା ମନୋବୃତି ହିଁ ଦେଇଥାଏ ନୂଆ ପରିଚୟ। ଟଙ୍କାଠାରୁ ବଡ ସେବା ଓ ମାନବିକତା ଯେ ଶ୍ରେଷ୍ଠ ତାହାର ଉଦାହରଣ ସାଜିଛନ୍ତି ଜଣେ ଡାକ୍ତର। ଏହି ଡାକ୍ତର ମାଗଣାରେ ସେବା କରୁଛନ୍ତି।
ଆଜିର ସମାଜରେ ସରକାରୀ ଡାକ୍ତରଖାନା ବାଦ, ଜଣେ ଡାକ୍ତରଙ୍କୁ ଭେଟି ଚିକିତ୍ସିତ ହେବା ପାଇଁ ଅର୍ଥର ଆବଶ୍ୟକତା ପଡିଥାଏ, ସେହିଠାରେ ତାହାର ବ୍ୟତିକ୍ରମ ପାଲଟିଛନ୍ତି ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ପୁରୁଣାବାରିପଦା ଗ୍ରାମର ଡାକ୍ତର ହରିଶ ଚୌଧୁରୀ। ଡାକ୍ତର ଚୌଧୁରୀ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଡାକ୍ତରଭାବେ କାର୍ଯ୍ୟରତ। ରାଜଧାନୀରେ ରହୁଥିଲେ ମଧ୍ୟ ନିଜ ଗାଁ କଥା ଭୁଲି ନାହାନ୍ତି। ଏନେଇ ସେ ପ୍ରତି ମାସର ଦ୍ଵିତୀୟ ସପ୍ତାହରେ ପୁରୁଣାବାରିପଦାସ୍ଥିତ ନିଜ ଘରକୁ ଛୁଟି ଆସନ୍ତି। ଆଉ ସେହିଠାରେ ପ୍ରତି ମାସର ଦ୍ଵିତୀୟ ଶନିବାର ରୋଗୀ ଦେଖନ୍ତି ଆଉ ସମସ୍ତ ରୋଗୀଙ୍କୁ ମାଗଣାରେ ହିଁ ଚିକିତ୍ସା କରିଥାନ୍ତି।
ଉତ୍ତମ ବ୍ୟବହାର, ହସ ହସ ମୁହଁ ସାଙ୍ଗକୁ ଉଚିତ ସେବା ଯୋଗାଇ ଦେଉଥିବାରୁ ମାସର ସେହି ଗୋଟିଏ ଦିନ ଏଠାରେ ଲୋକଙ୍କ ଭିଡ଼ ଜମିଥାଏ। ଗୋପବନ୍ଧୁନଗର ବ୍ଲକ ସମେତ ଉଦଳା, କପ୍ତିପଦା, ଖୁଣ୍ଟା, ବାଲେଶ୍ୱର, ବାରିପଦା ସମେତ ବିଭିନ୍ନ ଅଂଚଳରୁ ରୋଗୀମାନେ ଆସିଥାନ୍ତି ଡାକ୍ତର ହରିଶ ଚୌଧୁରୀଙ୍କ ଚିଲିତ୍ସା ପାଇଁ। ଦୀର୍ଘ ବର୍ଷ ହେବ ସେ ଏପରି ରୋଗୀ ସେଵା କରି ଆସୁଥିବା ବେଳେ ଟଙ୍କା ଠାରୁ ସେବା ଯେ ଜୀବନରେ ଜରୁରୀ, ସେବା ହିଁ ମଣିଷର ଅସଲ ପରିଚୟ ବୋଲି ସେ କୁହନ୍ତି।
ପ୍ରତିଦିନ କେଉଁଠି ଟଙ୍କା ଥାଇ ଜୀବନ ଯାଉଛି ଆଉ କେଉଁଠି ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁବରଣ କରୁଛି। ତେଣୁ ସେହି ଯନ୍ତ୍ରଣା କ’ଣ ତାହାକୁ ସେ ପାଖରୁ ଦେଖିଥିବା କୁହନ୍ତି ଡାକ୍ତର ଚୌଧୁରୀ। ତାଙ୍କ ନିକଟକୁ ଚିକିତ୍ସା ହେବାକୁ ଆସି ଖୁବଶୀଘ୍ର ଅନେକ ବଡ଼ ବଡ଼ ରୋଗରୁ ଲୋକେ ସୁସ୍ଥ ହୋଇଥିବା ଏବଂ ଡାକ୍ତରଙ୍କ ମାଗଣା ଚିକିତ୍ସା କରାଇବା ସମସ୍ତଙ୍କ ପାଇଁ ବରଦାନ ସାଜିଥିବା କୁହନ୍ତି ରୋଗୀ।
ରୋଗୀର ପରିବାର ଉଭୟ ମାନସିକ ଏବଂ ଆର୍ଥିକ କଷ୍ଟ ପାଉଥିବା ବେଳେ ସେମାନଙ୍କ ପାଇଁ ବଡ଼ ଉପଶମ ପାଲଟିଥିବା ଡାକ୍ତର ହରିଶ ଚୌଧୁରୀଙ୍କ ଚେଷ୍ଟା ପ୍ରସଂସନୀୟ। ତାଙ୍କର ଏହି ସେବା ବୃତ୍ତି ଫଳରେ ସେ ଆଜି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)