Jajpur-hospital Photograph: (OTV)
ଚିକିତ୍ସାଳୟ ନା ଯମାଳୟ ! ମେଡିକାଲକୁ ଗଲେ ଆଉ ଜୀବନ ନେଇ ଫେରୁନାହାନ୍ତି ପ୍ରସୂତି । ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଯାଜପୁରରେ ଚାଞ୍ଚଲ୍ୟ । ତାତିଲେ ମୃତକଙ୍କ ପରିବାର ଓ ସଂପର୍କୀୟ । ହସ୍ପିଟାଲରେ ଭଙ୍ଗାରୁଜା । ପରିସ୍ଥିତି ଅଣାୟତ ଦେଖି ତାଲା ପକାଇ ଛୁ ମାରିଲେ ମେଡିକାଲ କର୍ତ୍ତୃପକ୍ଷ । ପରିବାର ଲୋକଙ୍କ ଅଭିଯୋଗ- ମାରିଦେଲେ ବୋହୂକୁ ! ନବଜନ୍ମିତ ଶିଶୁ ହୋଇଗଲା ମା’ ଛେଉଣ୍ଡ । ନ୍ୟାୟ ଦାବିରେ ଘରୋଇ ଚିକିତ୍ସାଳୟ ଆଗରେ ଧାରଣା ଦେଲେ ମୃତକଙ୍କ ପରିବାର ଲୋକ ।
ଯାଜପୁର ମେଡିକାଲ ଛକ ପାଖରେ ଥିବା ଗୋଟେ ଘରୋଇ ହସ୍ପିଟାଲ ଆଗରେ ଏଭଳି କିଛି ଦେଖିବାକୁ ମିଳିଛି । ମୃତ ପ୍ରସୂତି ମା’ଙ୍କ ଡେଡବଡି ରଖି ପରିବାର ଲୋକ ନ୍ୟାୟ ମାଗୁଛନ୍ତି । କହୁଛନ୍ତି କୁନିପୁଅକୁ ଫେରାଇଦିଅ ତା ମା’, ଆମକୁ ଫେରାଇ ଦିଅ ଆମ ଝିଅ ।
ଯାଜପୁର ଖଣ୍ଡର ଅଞ୍ଚଳର ସସ୍ମିତା ଗେଡି ଗତ ୨୪ ତାରିଖରେ ସନ୍ତାନ ପ୍ରସବ ଲାଗି ଅପରେସନ ହୋଇଥିଲେ । ଏଇ ହସ୍ପିଟାଲରେ ଡାକ୍ତର ତାଙ୍କ ଅପରେସନ କରିଥିଲେ । ହେଲେ ଅପରେସନ ପରେ ଅଧିକ ବ୍ଲିଡିଂ ହେବାରୁ ସେ ଗୁରୁତର ହୋଇପଡ଼ିଥିଲେ । ତେଣୁ ତାଙ୍କୁ ବୁଧବାର ସକାଳେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ ଘରୋଇ ମେଡିକାଲ କର୍ତ୍ତୃପକ୍ଷ । ଏସସିବିରେ ତାଙ୍କର ସୋମବାର ରାତିରେ ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଅପରେସନ ତ୍ରୁଟି କାରଣରୁ ଏପରି ହୋଇଛି । ସୂଚନା ଅନୁସାରେ ଉକ୍ତ ଘରୋଇ ମେଡିକାଲରେ ସେଇ ୨୪ ତାରିଖରେ ବରି ରତ୍ନଗିରି ଅଞ୍ଚଳରୁ ଆସିଥିବା ଆଉଜଣେ ମହିଳାଙ୍କର ମଧ୍ୟ ପ୍ରସବ ପରେ ମୃତ୍ୟୁ ହୋଇଥିଲା ।
ଗୋଟିଏ ଦିନରେ ଦୁଇଟି ଅଘଟଣ ଘଟିବା ପରେ ସମସ୍ତଙ୍କର ପ୍ରଶ୍ନ ଏହା ଚିକିତ୍ସାଳୟ ନା ଯମାଳୟ ? ବାରମ୍ବାର ଏପରି ହେଉଥିବାରୁ ତୁରନ୍ତ ସଂପୃକ୍ତ ଘରୋଇ ମେଡିକାଲକୁ ବନ୍ଦ କରାଯିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।
ଏତେ କଥା ଘଟି ଯାଇଥିଲେ ବି ମେଡିକାଲ କର୍ତ୍ତୃପକ୍ଷ ନାହିରେ ଯେମିତି ତେଲ ପକାଇ ଶୋଇପଡ଼ିଛନ୍ତି । ପରିସ୍ଥିତି ଅଣାୟତ ହେଉଥିବା ଦେଖି ମେଡିକାଲରେ ଚାବି ପକାଇ କର୍ତ୍ତୃପକ୍ଷ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ହେଉଛି ସରକାରୀ ଡାକ୍ତର ଏଠାକୁ ଆସି ତରବର ହୋଇ ବେଆଇନ ଭାବେ ଲୁଚାଛପାରେ ଚିକିତ୍ସା କରୁଛନ୍ତି । ସେପଟେ ଏନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ତଦନ୍ତ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/31/jajpur-hospital-2025-12-31-15-47-16.jpg)