sishu
ଯାଜପୁର/ ଭୁବନେଶ୍ୱର/ କଟକ : ମାଆ କଣ ନିଷ୍ଠୁର ହୋଇପାରେ ? ଜନ୍ମଦାତ୍ରୀ କେବେ ବାତ୍ସଲ୍ୟକୁ ପର କରି ପାରେ ? ହେଲେ ତାହା ସତ ହୋଇଛି ଯାଜପୁର ତିଳପଦା ଗାଁରେ । ଏ ନିଷ୍ପାପ ଶିଶୁର କୁଆଁ କୁଆଁ କାନ୍ଦ, ବିହ୍ୱୋଳିତ କରୁଛି ମନକୁ ଓ ହୃଦୟକୁ ।
ହେଲେ କେମିତି ପର କରିଦେଲା ସେ ଜନ୍ମଦାତ୍ରୀ ଯିଏ ଅନ୍ତଫାଡ଼ି ଦୁନିଆକୁ ଆଣିବାର ମାତ୍ର କେଇ ଘଣ୍ଟା ପରେ ନିଛାଟିଆ ରାସ୍ତା କଡ଼ରେ ଅଲୋଡ଼ା କରି ଫିଙ୍ଗି ଦେଇଗଲା। ତା ପୁଣି ହାଡ଼ଥରା ଶୀତରେ । ହେଲେ ବିଧିର ବିଧାନ ବୋଧହୁଏ ଝିଅଟିର ଭାଗ୍ୟରେ ଲେଖିଛି କିଛି ଅଲଗା ଭବିଷ୍ୟତ। ତା ହୋଇନଥିଲେ ସେ ଉଦ୍ଧାର ହୋଇ ମେଡିକାଲ ଆସିନଥାନ୍ତା କି ନୂଆ ଜୀବନ ପାଇନଥାନ୍ତା।
ଗାଁ ପାଖରୁ ଶିଶୁ ସୁରକ୍ଷା କର୍ମୀ ଉଦ୍ଧାର କରିଥିବା ଏ ଶିଶୁକନ୍ୟାଟି ୩ରୁ ୪ ଦିନର, ଅବସ୍ଥା ଭଲ ଅଛି । ଏବେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ପାଖରେ ଅଛି । ଏଣେ ଥାନାରେ ରିପୋର୍ଟ ପରେ ଛୁଆର ବାପା ମାଆଙ୍କୁ ଖୋଜା ଚାଲିଛି, ହେଲେ ସେ କଣ ସତରେ ଆଉ ମିଳିବେ ?
ଅଲୋଡ଼ା ଶିଶୁ କନ୍ୟାର ଇଏ ନୂଆ କାହାଣୀ ନୁହେଁ। ଗତ ଡିସେମ୍ବର ୧୬ରେ ସମ୍ବଲପୁରର ରେଢ଼ାଖୋଲ ଓ ୧୭ରେ ଗଞ୍ଜାମର କାଦପଡ଼ାରୁ ବି ଆସିଥିଲା ସମାନ ଚିତ୍ର । ପୁଣି ସେହି ଗଞ୍ଜାମ ଜିଲ୍ଲାରେ ଅଗଷ୍ଟରୁ ନଭେମ୍ବର ଭିତରେ ମଥୁରା,ବେଗୁନିଆଁପଡ଼ା ଓ ମଲ୍ଲିକେଶ୍ୱର ଗାଁରୁ ବି ମିଳିଥିଲେ ତିନି ତିନିଟି ଅଲୋଡ଼ା କନ୍ୟାରତ୍ନ । ହେଲେ ଆଜି ଯାଏଁ କିନ୍ତୁ ଅଧିକ ଚର୍ଚ୍ଚାରେ ରହିଛି ୨୦୧୭ରେ ଯାଜପୁର ଜିଲ୍ଲା ଶ୍ୟାମ ସୁନ୍ଦରପୁରର ଘଟଣା । ଅଧିକ ଝିଅ ଜନ୍ମ ହେବାରୁ ନିଜେ ବାପା ୨ଫୁଟ୍ ମାଟି ତଳେ ପୋତି ଦେଇଥିଲା ନିଜ ସଦ୍ୟଜାତ ଶିଶୁକନ୍ୟାକୁ । ତାକୁ ଜୀବନ୍ତ ଉଦ୍ଧାର କରି ଗାଁ ଲୋକେ ନାଁ ଦେଇଥିଲେ ଧରିତ୍ରୀ ।
ଏଠି ପ୍ରଶ୍ନ ,ଝିଅଙ୍କ ଭବିଷ୍ୟତ ଓ ସୁରକ୍ଷା ନେଇ ସରକାରଙ୍କ ଗଣ୍ଡା ଗଣ୍ଡା ଯୋଜନା ସତ୍ତ୍ୱେ କାହିଁକି ଚାଲିଛି ଅଲୋଡ଼ା ଶିଶୁକନ୍ୟାର ଧାରା? ଅବାଞ୍ଛିତ ମାତୃତ୍ୱର ଭୟ ନା ଝିଅକୁ ବୋଝ ଭାବିବାର ଭୟ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sishu_1626689610.jpg)