Advertisment

From Boy to Woman: ଦିନେ ପୁଅ ଥିଲେ, ଏବେ ଝିଅ ବନିଗଲେ; ସମୀର ଭାଇରୁ ହେଲେ ସମୀରା ମ୍ୟାଡାମ୍

ଦିନେ ପୁଅ ଥିଲେ, ଏବେ ଝିଅ ବନିଗଲେ। ସମୀର ଭାଇରୁ ଏବେ ସମୀରା ମ୍ୟାଡାମ୍ ବନିଗଲେ। ଶରୀରରେ ଅସ୍ତ୍ରୋପଚାର କରି ପୁଅରୁ ଝିଅ ବନିଗଲେ। ପିଲାବେଳୁ ପୁରୁଷ ଶରୀର ଭିତରେ ଲୁଚିଥିଲା ନାରୀ ମନ। ପାଠ ପଢ଼ା ସରିବା ପରେ ଅସ୍ତ୍ରୋପଚାର କରି ବନିଗଲେ ଝିଅ।

From Boy to Woman

ଦିନେ ପୁଅ ଥିଲେ, ଏବେ ଝିଅ ବନିଗଲେ Photograph: (OTV)

Advertisment

ଏକ ଭିନ୍ନ ମଣିଷଙ୍କ ଭିନ୍ନ କାହାଣୀ। କାରଣ ତାଙ୍କ ଜୀବନ କାହାଣୀରେ ଯେଉଁ ଭିନ୍ନତା ରହିଛି, ତାହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ କି ସହଜ ନୁହେଁ। ପୁଅ ହୋଇ ଜନ୍ମନେଇଥିବା ମଣିଷଟିଏ ଯୁବ ବୟସରେ ଯୁବତୀ ପାଲଟିଯିବା, ଆଶ୍ଚର୍ଯ୍ୟଜନକ ନୁହେଁ କି ? ଯେତେବେଳେ ସେ କିଶୋର ଥିଲେ, ସେହି ସମୟରୁ ହିଁ ତାଙ୍କ ଦେହ ଭିତରେ ଲୁଚିରହିଥିଲା ନାରୀ ମନ। ଆଉ ଯୁବାବସ୍ଥାରେ ସତକୁ ସତ ବନିଗଲେ ଯୁବତୀ। ତାଙ୍କ ରୂପ ଆଉ ଗୁଣକୁ ଯିଏ ଦେଖୁଛନ୍ତି, ଘଡ଼ିଏ ରହିଯାଉଛନ୍ତି। ଗଞ୍ଜାମ ଖଲ୍ଲିକୋଟରୁ ଦେଖନ୍ତୁ ଜଣେ ଟ୍ରାନ୍ସୱିମେନଙ୍କ ସଂଘର୍ଷ ଆଉ ସଫଳତାର ଭିନ୍ନ କାହାଣୀ।

Advertisment

ହାତରେ ରଙ୍ଗତୂଳୀ... ମନରେ ନୂଆ ପରିକଳ୍ପନା... ଯୌବନ ଭିତରେ ନୂଆ ସମ୍ଭାବନାର ସ୍ୱପ୍ନ ସବୁକୁ ସାଉଁଟି ସତେଯେମିତି ସଜାଇ ଦେଉଛନ୍ତି ସାତ ରଙ୍ଗରେ... କାହିଁକି ବା କରିବେନି... ଈଶ୍ୱର ସିନା ମଣିଷଟିଏ କରି ବାପା, ମା’ଙ୍କ ହାତରେ ଧରାଧାମକୁ ପଠାଇଦେବେ, ହେଲେ ନିଜ ଜୀବନକୁ ଯେତେବେଳେ ଗଢ଼ିବାକୁ ହୁଏ, ତାହା ନିଜ ହାତରେ ହିଁ ଗଢ଼ାଯାଏ। 

ସେ ବି ଆଜି ନିଜ ଜୀବନକୁ ନିଜ ହାତରେ ଗଢ଼ିଛନ୍ତି, ନିଜ ଭିତରେ ଅସମ୍ଭବ ପରିବର୍ତ୍ତନ ଆଣିଛନ୍ତି। ସେ ହେଲେ ଗଞ୍ଜାମ ଖଲ୍ଲିକୋଟର ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଇଣ୍ଡିଆନ ପେଣ୍ଟିଂ ବିଭାଗର ଗେଷ୍ଟ ଇନଷ୍ଟ୍ରକ୍ଟର ସମୀରା ନାୟକ। ସମାଜର ଟାହିଟାପରା ଆଉ ଲକ୍ଷ୍ମଣରେଖା ଭିତରେ ଜଳି ଜଳି ନିଜ ଶରୀର ଭିତରେ ସେ ଭରିଛନ୍ତି ନୂଆ ଜୀବନ। ଆଜି ସେ ପାଲଟିଯାଇଛନ୍ତି ପୁଅରୁ ଝିଅ, ସମୀର ଭାଇରୁ ସେ ଏବେ ବନିଯାଇଛନ୍ତି ଏହି ମହାବିଦ୍ୟାଳୟର ସମୀରା ମ୍ୟାଡାମ୍। 

Advertisment

ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳର ଛୋଟିଆ ଗାଁର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ପୁଅ ହୋଇ ଜନ୍ମ ହୋଇଥିଲେ ସମୀରା ନାୟକ। ସେତେବେଳେ ବାପା, ମାଙ୍କ ନାମକରଣ ଅନୁଯାୟୀ ସମୀର ନାୟକ ନାଁରେ ବଢ଼ି ଆସୁଥିଲେ, ବଞ୍ଚି ଆସୁଥିଲେ। କିନ୍ତୁ ପିଲାଟିବେଳୁ ହିଁ ଶରୀର ଭିତରେ ଜଣେ ନାରୀ ସୁଲଭତାକୁ ସେ ଅନୁଭବ କରୁଥିଲେ। କାଳେ ବାପା, ମା’ଙ୍କ ମନରେ କଷ୍ଟ ହେବ, ସମାଜ କ’ଣ କହିବ ଭାବି ଭାବି ନିଜ ଭିତରେ ପୁରୁଷ ପଣିଆକୁ ଜାଗ୍ରତ କରି ରଖିବାକୁ ଶତ ଚେଷ୍ଟା କରିଥିଲେ ସତ, କିନ୍ତୁ ସମ୍ଭବ ହେଲା ନାହିଁ। ତାହାରି ଭିତରେ ଜାରି ରଖିଥିଲେ ପାଠପଢ଼ା। 

ପାଠପଢ଼ା ସରିବା ପରେ ମନକୁ ଦୃଢ କରିବା ସହ ପରିବାର ଲୋକଙ୍କୁ ବୁଝାଇ ଶରୀରରେ ଅସ୍ତ୍ରୋପଚାର ସହ ଲିଙ୍ଗ ପରିବର୍ତ୍ତନ କରାଇଥିଲେ। ୨୭ ବର୍ଷିୟା ସମୀରାଙ୍କୁ ଏବେ ସହଜ ଲାଗୁଛି ସବୁକିଛି। ଏହି ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ପାଠପଢ଼ୁଥିବାବେଳେ ତାଙ୍କୁ ଭାଇ କିମ୍ବା ସମୀର ଡକାଯାଉଥିଲା, ଏବେ ତାଙ୍କୁ ସ୍ନେହ ଆଉ ଶ୍ରଦ୍ଧାରେ ସମୀରା ମ୍ୟାଡାମ୍ ଡକାଯାଉଛି। 

Advertisment

ସମୀର ଭାଇରୁ ସମୀରା ମ୍ୟାଡାମ୍। ହୁଏତ ଈଶ୍ୱରଙ୍କ ଆଶୀର୍ବାଦ କୁହାଯାଇପାରେ କିମ୍ବା ଚିକିତ୍ସା ବିଜ୍ଞାନର ଚମତ୍କାରିତା। କିନ୍ତୁ ଏହି ପରିବର୍ତ୍ତନ, ବଦଳୁଥିବା ସମାଜ ଆଉ ଚିନ୍ତାଧାରାକୁ ଦେଇଛି ଭିନ୍ନ ଏକ ବାର୍ତ୍ତା।

LGBT LGBT Community Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ