ଆକାଉଣ୍ଟକୁ ସିଧା ଆସିଲା ଅଧ କୋଟିଏ Photograph: (OTV)
ରାଜ୍ୟରେ କାମ କରୁଛି କି ବିଦେଶୀ ଟଙ୍କା ହଡ଼ପ ରାକେଟ୍ ? କେନ୍ଦ୍ରାପଡ଼ାରେ ବିଦେଶ ଫେରନ୍ତା ଶ୍ରମିକଙ୍କ ଆକାଉଣ୍ଟକୁ ପୁଳାପୁଳା ଟଙ୍କା ଆସିବା ନେଇ ଚାରିଆଡ଼େ ଚର୍ଚ୍ଚା। କେଉଁଠୁ, କାହିଁକି ଓ କିଏ ଟଙ୍କା ପଠାଉଛି ସେନେଇ ମିଳୁନି କିଛି ନିର୍ଦ୍ଦିଷ୍ଟ ତଥ୍ୟ । ତେବେ ଏହା ହକ୍ ଅର୍ଥ ବୋଲି ଦାବି କରିଛନ୍ତି ଟଙ୍କା ପାଇଥିବା ବ୍ୟକ୍ତି । ସେପଟେ ପୁଳାପୁଳା ବିଦେଶୀ ଟଙ୍କାକୁ ନେଇ ସନ୍ଦେହ ବଢୁଥିବାବେଳେ ଏସପି କହିଛନ୍ତି ଅଭିଯୋଗ ଆସିଲେ ଘଟଣାର ତଦନ୍ତ ହେବ।
ଆଳି ବ୍ଲକ୍ ଏକମାଣିଆ ଗାଁର ବିଦେଶ ଫେରନ୍ତା ଶ୍ରମିକ ଅନନ୍ତ କରଣଙ୍କ ଆକାଉଣ୍ଟକୁ ଆସିଛି ୫୩ ହଜାର ଆମେରିକୀୟ ଡଲାର୍। ଅର୍ଥାତ ଭାରତୀୟ ଟଙ୍କାରେ ପ୍ରାୟ ୫୦ ଲକ୍ଷ। ଟଙ୍କା ଆସିବା ପରେ ସବୁତକ ବ୍ୟାଙ୍କରୁ ଉଠାଇନେଇଥିଲେ ଅନନ୍ତ। ହେଲେ ଭାଗବଣ୍ଟା ଅଡ଼ୁଆକୁ ନେଇ, କଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କାରଣ ବିପୁଳ ବିଦେଶୀ ଟଙ୍କାରୁ ୩୩ ପ୍ରତିଶତ ଦାବି କରିଥିଲେ ଦଲାଲ୍। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା, ଫୋନରେ ଲାଗିଥିଲା କଥା କଟାକଟି।
ସେପଟେ ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି ଅନନ୍ତ କରଣ। କହିଛନ୍ତି, ଜଣେ ଶ୍ରମିକ ଭାବେ ସେ ଏଜେଣ୍ଟଙ୍କ ଜରିଆରେ ଦୀର୍ଘ ୧୪ ବର୍ଷ ଧରି ବିଭିନ୍ନ ଦେଶରେ କାମ କରୁଥିଲେ। ଆମେରିକାର ଏକ କମ୍ପାନୀ ଅଧୀନରେ ଆଫଗାନିସ୍ତାନରେ ଦୀର୍ଘବର୍ଷ ଧରି ୟୁଏସ୍ ଆର୍ମ ବେସରେ କାମ କରୁଥିଲେ। ଚାକିରି ସମୟରେ ଇନ୍ସୁରାନ୍ସ ସହିତ ଅନ୍ୟାନ୍ୟ ସହାୟତା ବାବଦକୁ କର୍ମଚାରୀଙ୍କର ଅନେକ ଟଙ୍କା କାଟ୍ ହୋଇଥାଏ ।
ପରବର୍ତ୍ତୀ ସମୟରେ ନିୟମ ଅନୁସାରେ ଆବେଦନ କରିବା ପରେ ଟଙ୍କା ଫେରସ୍ତ ମିଳିଛି। ଏଥିପାଇଁ ଅନଲାଇନ୍ ଯୋଗେ ଇଣ୍ଟରଭ୍ୟୁ ଏବଂ ଅନ୍ୟ ଡକ୍ୟୁମେଣ୍ଟ ସମିଟ୍ କରାଯାଇଛି । ଏଜେଣ୍ଟଙ୍କ ଜରିଆରେ ଏସବୁ କାମ କରାଯାଉଥିବାରୁ ମିଳିଥିବା ଅର୍ଥର ୩୩ ପ୍ରତିଶତ ସେମାନଙ୍କୁ ଦେବାକୁ ପଡ଼ିଥାଏ। ଆସିଥିବା ବିଦେଶୀ ଅର୍ଥ ହକ୍ ଟଙ୍କା ବୋଲି ଦାବି କରିଛନ୍ତି ଅନନ୍ତ। ଅନ୍ୟ ବିଦେଶ ଫେରନ୍ତା କର୍ମଚାରୀ ମଧ୍ୟ ସମାନ କଥା ଦୋହରାଇଛନ୍ତି।
ତେବେ କେବଳ ଅନନ୍ତ ନୁହଁନ୍ତି, ଏଭଳି ଅନେକ ବ୍ୟକ୍ତିଙ୍କ ପାଖକୁ ଆସୁଛି ଲକ୍ଷଲକ୍ଷ ବିଦେଶୀ ଟଙ୍କା। ସୂଚନା ଅନୁସାରେ, ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରି ଏଜେଣ୍ଟଙ୍କ ଜରିଆରେ ଟଙ୍କା ପାଉଛନ୍ତି ଅନେକ ଲୋକ । ଏଠି ପ୍ରଶ୍ନ- ଟଙ୍କା ପାଉଥିବା ସବୁ ବିଦେଶ ଫେରନ୍ତା ଶ୍ରମିକ କଣ ସତରେ କୌଣସି ଚିକିତ୍ସା ପାଇଁ ଟଙ୍କା ହାତଉଛନ୍ତି ? ନା ଟଙ୍କା ହାସଲ କରିବାକୁ କାମ କରୁଛି ଯୋଜନାବଦ୍ଧ ରାକେଟ୍ ? ମିଛ ମେଡିକାଲ୍ ପ୍ରମାଣପତ୍ର ଓ ଡାକ୍ତରୀ ରିପୋର୍ଟ ପ୍ରସ୍ତୁତ କରାଯାଉନି ତ ? କାମ କରୁଛି କି ବିଦେଶୀ ଅର୍ଥ ହଡ଼ପ ରାକେଟ୍ ? ସାମିଲ ଅଛନ୍ତି କି ଡାକ୍ତର ଓ ବୀମା କମ୍ପାନୀ ? ବିଦେଶ ଫେରନ୍ତା ଶ୍ରମିକଙ୍କୁ ମୋହରା କରି ମାଲେମାଲ୍ ହେଉଛନ୍ତି କି ଦଲାଲ୍ ?
ସେପଟେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କାଟାରିଆ କହିଛନ୍ତି, ଅଭିଯୋଗ ଆସିଲେ, ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରି ସତ ପାଖରେ ପହଞ୍ଚିବ ପୋଲିସ୍। ପୁଳାପୁଳା ବିଦେଶୀ ଟଙ୍କାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ କାରାବାର ଉପରୁ ପରଦା ହଟିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/16/foreign-money-racket-in-odisha-2026-01-16-20-18-08.jpg)