Advertisment

Fire strikes Unit-1 Market: ଅଧରାତିରେ ପାଉଁଶ ହୋଇଗଲା ଏକ ନମ୍ବର ହାଟ

ଅଧରାତିରେ ପାଉଁଶ ହୋଇଗଲା ଏକ ନମ୍ବର ହାଟ। ସର୍ବଗିଳା ନିଆଁରେ ସବୁକିଛି ସର୍ବନାଶ। ଜଳିଗଲା ୪୦ରୁ ଅଧିକ ଦୋକାନ। ମାଟିରେ ମିଶିଲା କୋଟି କୋଟି ଟଙ୍କାର ସମ୍ପତ୍ତି। ଅଗ୍ନିକାଣ୍ଡ କେମିତି ହେଲା, ଚାଲିଛି ତଦନ୍ତ।

Fire strikes Unit-1 Market

ଅଧରାତିରେ ପାଉଁଶ ହୋଇଗଲା ଏକ ନମ୍ବର ହାଟ Photograph: (OTV)

Advertisment

ରାଜଧାନୀରେ ପୁଣି ନିଆଁ, ପୁଣି ସେହି ଏକ ନମ୍ବର ହାଟ। ମଝି ରାତିରେ ଜାଳିପୋଡ଼ି ପାଉଁଶ କରିଦେଲା ହାର୍ଟ ଅଫ୍ ଦି ସିଟିରେ ଥିବା ୟୁନିଟ୍-୧ ହାଟର ୪୦ରୁ ଅଧିକ ଛୋଟବଡ଼ ଦୋକାନକୁ। ସୌଭାଗ୍ୟକୁ କୌଣସି ମୃତାହତ ଖବର ନାହିଁ। ତଥାପି ଶତାଧିକ ବ୍ୟବସାୟୀଙ୍କ ପେଟ ପାଟଣାର ଠିକଣା ଉଜୁଡ଼ିଯାଇଛି। 

Advertisment

ତେବେ ୟୁନିଟ୍-୧ ହାଟରେ କାହିଁକି ବାରମ୍ବାର ନିଆଁ ଲାଗୁଛି, ତାକୁ ନେଇ ମୁହାଁମୁହିଁ ମେୟର ଏବଂ ବ୍ୟବସାୟୀ। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଆସନ୍ତା ୧୦ ଦିନ ଭିତରେ SOP ଆସିବା ସହ ୨୦ କୋଟି ଟଙ୍କାରେ ଖୁବଶୀଘ୍ର ହାଟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ହେବ ବୋଲି ବିଏମସି କମିଶନର କହିଛନ୍ତି।... 

ପାଉଁଶ ହୋଇଯାଇଛି ପେଟପାଟଣାର ଠିକଣା। ସର୍ବଗିଳା ନିଆଁରେ ସର୍ବନାଶ ହୋଇଯାଇଛି ସବୁକିଛି। କିଏ ଛୋଟମୋଟ ପୂଜା ସାମଗ୍ରୀ ଦୋକାନ ଖଣ୍ଡେ କରି ପେଟ ପୋଷୁଥିଲେ ତ ଆଉ କିଏ ମୁଢ଼ି ମିକ୍ସଚର ବିକି ଘର ଚଳାଉଥିଲେ। ପୁଣି କିଏ ଖେଳଣା ତ ଆଉ କିଏ ଘର କରଣା ବିକି ଚଳାଉଥିଲେ ତେଲ ଲୁଣର ସଂସାର। 

Advertisment

ହେଲେ ମଝି ରାତିରେ କେଉଁଠି ନିଆଁ ଥିଲା କେଜାଣି, ଜାଳିପୋଡ଼ି ଛାରଖାର କରିଦେଲା ସବୁକିଛିକୁ। ଜଳିଯାଇଛି ରୋଜଗାର ହୋଇଥିବା ନୋଟ୍, ଛାଡ଼ି ଦେଇଯାଇଛି ଅସରନ୍ତି ଦୁଃଖ। ଏବେ କେବଳ ଲୁହ ପିଇ ଜୀବନ ଜୀଇଁବା ଅବସ୍ଥାକୁ ଚାଲି ଆସିଛନ୍ତି ରାଜଧାନୀର ବ୍ୟବସାୟୀଙ୍କ ପାଇଁ ଲାଇଫ୍ ଲାଇନ୍ ପାଲଟିଥିବା ୟୁନିଟ୍-୧ର ଛୋଟମୋଟ ଦୋକାନୀ। ୪୦ରୁ ଅଧିକ ଦୋକାନ ପାଉଁଶ ହୋଇଯିବା ପରେ ଅସହାୟ ସମସ୍ତେ। 

ସମୟ ରାତି ଗୋଟାଏରୁ ସାଢ଼େ ଗୋଟାଏ। ୟୁନିଟ୍-୧ ସ୍ଥିତ ଏକ ପ୍ଲାଷ୍ଟିକ୍ ଦୋକାନରେ ପ୍ରଥମେ ଲାଗିଥିଲା ନିଆଁ। ତା’ପରେ ନିଆଁ ବ୍ୟାପିବା ସହ ପାଖରେ ଥିବା ଗ୍ୟାସ୍ ସିଲିଣ୍ଡର ବିସ୍ପୋରଣ ହୋଇଥିଲା। ଆଉ ଚାହୁଁ ଚାହୁଁ ଗୋଟିଏ ପରେ ଗୋଟିଏ ଦୋକାନକୁ ମାଡ଼ିଗଲା ନିଆଁ। ଖବର ପାଇ ତୁରନ୍ତ ପହଞ୍ଚିଥିଲେ ୧୩ଟି ଦମକଳ ବାହିନୀ ସହ ୭୦ ଅଗ୍ନିଶମ କର୍ମଚାରୀ, ୧୦ ଅଗ୍ନିଶମ ଅଧିକାରୀ, ରୋବୋଟିକ୍ ମନିଟର ଏବଂ ଷ୍ଟ୍ରାଇକିଂ ଫାୟାର ଫୋର୍ସ। 

Advertisment

ଦୀର୍ଘ ୩ ଘଣ୍ଟା ଧରି ଚାଲିଥିଲା ଅପରେସନ୍। ଗୋଟିଏ ଲିଭାଇଲେ ଆଉ ଗୋଟିଏ ଦୋକାନକୁ ମାଡ଼ି ଯାଉଥିଲା। ଶେଷରେ ନିଆଁକୁ ଆୟତ୍ତ କରାଯାଇଥିଲା ସତ, କିନ୍ତୁ ରାତି ପାହିଲା ବେଳକୁ ଚାରିଆଡ଼େ କଳା ପାଉଁଶ ପାଲଟିଯାଇଥିଲା ସବୁକିଛି। ଅଗ୍ନିକାଣ୍ଡର ପ୍ରକୋପରେ ହାଟକୁ ସଂଲଗ୍ନ କ୍ୟାପିଟାଲ ଥାନାର AC କମ୍ପ୍ରେସର ଓ ଝରକା ମଧ୍ୟ ଫାଟିଛି। 

ତେବେ ନିଆଁ କେମିତି ଲାଗିଲା ତା’ର ତ ତଦନ୍ତ ଚାଲିଛି। କିନ୍ତୁ ନିଆଁ କାହିଁକି ଲାଗିଲା, ତାକୁ ନେଇ ବଢ଼ିଛି ଚର୍ଚ୍ଚା। ୨୦୨୫, ଅକଟୋବର ୨୨। ସେଦିନ ବି ଏଭଳି ନିଆଁ ଲାଗି ପ୍ରାୟ ୧୪ଟି ଦୋକାନ ପାଉଁଶ ହୋଇଯାଇଥିଲା। ତାର ମୁଖ୍ୟ କାରଣ ହେଉଛି ହାଟ ଭିତରେ ଖୁନ୍ଦା ଖୁନ୍ଦି ହୋଇରହିଛି ଛୋଟମୋଟ ଦୋକାନ। ବେଧଡ଼କ ଭାବେ ପ୍ଲାଷ୍ଟିକ ପାଲଠାରୁ ଆରମ୍ଭ କରି ଅପର୍ଯ୍ୟାପ୍ତ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର କରାଯାଉଛି। 

ଏଠି ନା କୌଣସି ନିରାପତ୍ତା ବ୍ୟବସ୍ଥା ରହିଛି, ନା ରହିଛି SOP। କିଛି ବ୍ୟବସାୟୀ, ବେଆଇନ ଭାବେ ତାର ଟାଣି ବିଦ୍ୟୁତ ସଂଯୋଗ କରୁଥିବା ବି ଅଭିଯୋଗ ହୋଇଛି। ଯଦି କୌଣସି ଅଗ୍ନିକାଣ୍ଡ ହୁଏ, ତେବେ ଭିତରକୁ ଅଗ୍ନିଶମ ଗାଡ଼ି କିମ୍ବା ଅଗ୍ନିଶମ ବାହିନୀ ଯିବା ସମ୍ଭବ ହେଉନି। ନିଆଁକୁ ଆୟତ୍ତ ପାଇଁ ପାଣିଟାଙ୍କିର ଆବଶ୍ୟକତା ଥିବା ମଧ୍ୟ କହିଛନ୍ତି ଅଗ୍ନିଶମ ଡିଜି। 

ଅଘଟଣ ପରେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ଭୁବନେଶ୍ବର ଏକାମ୍ର ବିଧାୟକଙ୍କ ସମେତ ବିଏମସି ମେୟର ଓ କମିଶନର। ଅଗ୍ନିକାଣ୍ଡ ପାଇଁ ବ୍ୟବସାୟୀଙ୍କୁ ମେୟର ଦୋଷ ଦେଇଛନ୍ତି। ସେପଟେ କମିଶନର କହିଛନ୍ତି, ଆସନ୍ତା ମାସକ ମଧ୍ୟରେ ୟୁନିଟ୍-୧ ହାଟରେ ୨୦ କୋଟି ଟଙ୍କାର ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଟେଣ୍ଡର କରାଯିବ। ଖୁବଶୀଘ୍ର ଭଗବାନପୁରକୁ ସବୁ ହୋଲସେଲ୍ ଗୋଦାମକୁ ସ୍ଥାନାନ୍ତର କରି ଖୁଚୁରା ବ୍ୟବସାୟୀଙ୍କୁ ବ୍ୟବସ୍ଥିତ କରାଯିବ। 

ତେବେ ସେ ବ୍ୟବସାୟୀଙ୍କ ଦାୟିତ୍ୱହୀନତା ହେଉ କିମ୍ବା ବିଏମ୍‌ସିର ଢିଲା ପଣ। ବାରମ୍ବାର ନିଆଁ ଲାଗୁଛି, ଜୀବିକା ବୁଡୁଛି। ତେବେ ଏହାର ସ୍ଥାୟୀ ସମାଧାନ କେବେ, ତାକୁ ଅପେକ୍ଷା। 

Odisha News Accident In Bhubaneswar unit 1 market fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ