Bridge Photograph: (OTV)
ପୋଲ ନିର୍ମାଣରେ ମହାଦୁର୍ନୀତି । ୯ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଭେଡେନ୍ ନଦୀ ଉପରେ ନିର୍ମାଣ ହେଉଥିବା ଏ ପୋଲକୁ ଟିକେ ଦେଖନ୍ତୁ । କେମିତି ବଙ୍କା ହୋଇ ଝୁଲିପଡିଛି । ପୋଲର ଗୋଟିଏ ସ୍ଲାବ ପୂରାପୂରି ବଙ୍କା ହୋଇଯାଇଛି । ଆପଣ ଭାବୁଥିବେ, ହୁଏତ କିଛି ନୂଆ ଷ୍ଟାଇଲରେ ପୋଲ ନିର୍ମାଣ ଚାଲିଛି । କିନ୍ତୁ ନା ! ଠିକାଦାରଙ୍କ ନିମ୍ନମାନର କାମ ଯୋଗୁଁ ନିର୍ମାଣ ନସୁରୁଣୁ ଏମିତି ଝୁଲିପଡିଛି ପୋଲ ।
ବିଜୁ ସେତୁ ଯୋଜନାରେ କୁଚିଣ୍ଡା ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ୱାରା ଜୟପୁରଗଡରୁ ରାଜବନ୍ଧକୁ ନିର୍ମାଣ ହେଉଛି ଏହି ପୋଲ । ଏଥିପାଇଁ ୯ କୋଟି ୩ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଛି । କିନ୍ତୁ ନିମ୍ନମାନର କାମ ଓ ଠିକାଦାରଙ୍କ ଖାମଖିଆଲି ଯୋଗୁଁ ପାଣିରେ ପଡିଛି କୋଟି କୋଟି ଟଙ୍କା । ଅଧାରୁ ଅଧା ବିଲ୍ ହୋଇସାରିଲାଣି । ହେଲେ ନିର୍ମାଣ ନ ସରୁଣୁ ପୋଲର ଏକ ସ୍ଲାବ ଧନୁ ଭଳି ବଙ୍କା ହୋଇ ଝୁଲିପଡିଛି ।
ଏଭଳି ନିମ୍ନମାନର କାମକୁ ନେଇ ଆଗରୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଛନ୍ତି । କିନ୍ତୁ ବେଫିକର ଠିକାଦାର ଓ ବେଫିକର ଗ୍ରାମ୍ୟ ଉନ୍ନୟନ ବିଭାଗ । ଏଠି ସରକାର ନୁହେଁ, ଠିକାଦାରଙ୍କ ମର୍ଜିରେ ଚାଲିଛି କାମ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।
୨୦୨୨ ମସିହାରୁ ଆରମ୍ଭ ହୋଇ ୨୦୨୪ ସୁଦ୍ଧା ଏହି ବିଜୁ ସେତୁ ନିର୍ମାଣ ସରିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏ ପର୍ଯ୍ୟନ୍ତ ପୋଲ ନିର୍ମାଣ ଅସମ୍ପୂର୍ଣ୍ଣ ରହିଥିବା ବେଳେ ଅନଭିଜ୍ଞ ଠିକାଦାର ଦ୍ୱାରା ନିମ୍ନମାନର କାମ ହେବା ଯୋଗୁଁ ପୋଲ ଧସିଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ବିନା ବିଭାଗୀୟ ତଦାରଖରେ ମଧ୍ୟ କାମ ହେଉଥିବାର ହୋଇଛି ଅଭିଯୋଗ ।
ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ, ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ପାଣି ମାଡ଼ିଯିବାରୁ ପୋଲ ଧସିଥିବା କଥା ସ୍ବୀକାର କରିଛନ୍ତି । ଅନ୍ୟ ପଟେ ଠିକାଦାର ନିଜ ଖର୍ଚ୍ଚରେ ବଙ୍କା ହୋଇଥିବା ପୋଲକୁ ଭାଙ୍ଗି ପୁଣି ନିର୍ମାଣ କରିବା ନେଇ କହିବା ସହିତ ମାର୍ଚ୍ଚ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ।
କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିମ୍ନମାନର କାମ, ଖୋଦ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ହେଉଥିବା ବେଳେ, ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/14/bridge-2025-10-14-18-39-01.jpg)