Father Death Photograph: (OTV)
ଘରଦୂଆରେ ବେଦି ବନ୍ଧାଯିବା ଆଗରୁ ମଶାଣୀରେ ଜଳିଲା ବାପାଙ୍କ ଜୁଇ । ଝିଅ ମାଥରେ ସିନ୍ଦୂର ଲାଗିବା ପୂର୍ବରୁ ବାପା କପାଳରେ ଅବିର ନାଇ କୋକେଇରେ ଶୋଇଗଲେ । ଅଲିଅଳି ଗେହ୍ଲୀ ଝିଅର ବାହାଘରକୁ ଆଉ ମାତ୍ର ୪ ଦିନ ବାକି ଥିଲା ।
ପରିବାରର ହସ-ଖୁସିରେ ଫାଟପଡୁଥିଲା । ହେଲେ ସବୁ ସୁଖକୁ ନଷ୍ଟ କରିଦେଲା ସେଦିନର କାଳ ରାତି । ୨୦ ତାରିଖ ଅର୍ଥାତ ଶୁକ୍ରବାର ଥିଲା ଝିଅ ବାହାଘର । ସେଥିପାଇଁ ଝିଅର ବାପା ଓ ଭିଣୋଇ ଦୁହେଁ କାର୍ଡ ଓ ଗୁଆ ନେଇ ବନ୍ଧୁ ଘରକୁ ଯାଉଥିଲେ । ହେଲେ ମଙ୍ଗବାର ରାସ୍ତାରେ ଦୁର୍ଘଟଣା ଯୋଗୁ ଭିଣୋଇ ଗୁରୁତର ହେଲେ, ଆଉ ବାପା ସବୁଦିନ ପାଇଁ ଆଖି ବୁଜିଲେ ।
ଗଞ୍ଜାମ ଜିଲ୍ଳା ପାଟପୁର ଥାନା କଂସମାରି ଗାଁର ଏହି ଘଟଣା । ବାପା କେ.ହେମନ୍ତ ଦୋରା ସାନ ଝିଅର ବାହାଘର ପାଇଁ ସବୁ ବ୍ୟବସ୍ଥା କରିସାରିଥିଲେ । ହେଲେ ଡେଙ୍ଗାଉସ୍ତା-ସିଙ୍ଗପୁର ରାସ୍ତାର ଟର୍ଣ୍ଣଂ ନିକଟରେ ଏକ ବାଇକ୍ ସେମାନଙ୍କ ଲୁନାକୁ ଧକ୍କା ଦେଇଥିଲା ।
ଏନେଇ ଖବର ପାଇବାପରେ ପୋଲିସ ଦୁର୍ଘଟଣାସ୍ଥଳକୁ ଯାଇ ଗୁରୁତରମାନଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ହେମନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା ।
ହେମନ୍ତଙ୍କ ଅକାଳ ମୃତ୍ୟୁ ପରେ ଏବେ ଝିଅର ବାହାଘର ସ୍ଥଗିତ ରହିଛି । କେବଳ ପରିବାର ନୁହେଁ, ଏହି ଦୁଃଖ ଦେଖି ପଡ଼ୋଶୀ ବି ଲୁହ ଗଡ଼ାଉଛନ୍ତି । ଯେଉଁଠି ଆଜି ଖୁସି ଉଛୁଳି ଉଠୁଥାନ୍ତା ସେଠାରେ ଯେମିତି ଏବେ ଶ୍ମଶାନର ନିରବତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/20/father-death-2026-02-20-16-31-07.jpg)