Bolangir-Mandi-Problem Photograph: (OTV)
କେତେବେଳେ ଅଦିନିଆ ବର୍ଷା, ତ ଆଉ କେତେବେଳେ ନିଅଣ୍ଟିଆ ବର୍ଷା । ଯଦି ଦୈବୀ ଦୁର୍ବିପାକରୁ ବଞ୍ଚିଯାଇ ଫସଲ ଅମଳ ହେଲା, ତା' ହେଲେ କିଣାବିକା ଚିନ୍ତା । ବର୍ଷ ସାରା ଟେନସନ୍ରେ ଚାଷୀ । ଆଉ ଏବେ ତ ମଣ୍ଡି ଟେନସନ । କାହିଁ କେବେଠୁ ଧାନ ଅମଳ ହେଲାଣି । କାଗଜ କଲମରେ ବି ମଣ୍ଡି ଖୋଲିଲାଣି । କିନ୍ତୁ ବାସ୍ତବ ଚିତ୍ର ଅଲଗା । ଖାଁ ଖାଁ ମଣ୍ଡି । ଆଉ ଖଳାରେ, ଖୋଲା ଆକାଶ ତଳେ ଶୀତ କାକର ସହି ଧାନ ଜଗିଛି ଚାଷୀ । ସେପଟେ ମଣ୍ଡିକୁ ନେଇ ବି ନେତା ଗରମ । ଆଗକୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି । ହେଲେ ଅଧିକାରୀଙ୍କ ହାଲୁକା ଉତ୍ତର, ଆଜିକାଲି ଖୋଲିଯିବ ।
ହାଡଭଙ୍ଗା ଜାଡରେ ଧାନ ଜଗିଥିବା ଚାଷୀଙ୍କର କୋହଭରା ପ୍ରତିକ୍ରିୟା । ଚାଷୀର ଜୀବନ ସବୁ ସହୁଛି । ଖରା ବର୍ଷା, ଶୀତ ସହିତ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଅମଳ କରୁଛି । କିନ୍ତୁ ଅମଳ ଧାନ ବିକ୍ରି ବେଳକୁ ବି ଟେନସନ ।
ଡିସେମ୍ବର ୫ ତାରିଖ, ଲୋଇସିଂହାରେ ଧାନମଣ୍ଡିର ଶୁଭାରମ୍ଭ କରିଥିଲେ ଜିଲ୍ଳାପାଳ । କିନ୍ତୁ ଆଜିଯାଏ ଜିଲ୍ଳାରେ ଖୋଲିନି ମଣ୍ଡି । ଆଉ କିଛି ଦିନ ପରେ, ପୌଷ ପୂର୍ଣ୍ଣିମା । ଧାନ ବିକି ପର୍ବ ପାଳିଥାଏ ଚାଷୀ । କିନ୍ତୁ ଖୋଲା ଆକାଶରେ, ଥୁରୁଥୁରୁ ଶୀତ ରାତିରେ ଧାନ ଜଗିଛି ଚାଷୀ । କାରଣ ଅମଳ ଧାନ ରଖିବା ପାଇଁ ଘରେ ଜାଗା ନାହିଁ । କିଏ ବିଲରେ ତ ଆଉ କିଏ ଖଳାରେ ଧାନ ଜଗିଛି । ଅଖାବସ୍ତାରେ ଭରି ଧାନ ସାଇତି ରଖିଥିବାରୁ, ଆଦ୍ରତା କମିଯାଉଥିବାରୁ ଓଜନ ବି କମିଯାଉଛି । ମୂଷା ଧାନ ଖାଇଯାଉଛି । କିଛି କିଛି ଜାଗାରେ ଖଳାରେ ନିଆଁ ଲାଗି ପୋଡିଯାଇଛି ବର୍ଷଟାକର ରୋଜଗାର । ପୁଣି ଧାନଖଳାରୁ ଚୋରି ହେଉଛି ଧାନ । ଏତେ ସବୁ ଦାଉ ପରେ ବି, ଜିଲ୍ଳାରେ ଖୋଲୁନି ମଣ୍ଡି ।
ମଣ୍ଡି ଖୋଲିବାକୁ ପାଖାପାଖି ଗୋଟିଏ ମାସ ବିଳମ୍ବ ହେଲାଣି । ଘରେ ଧାନ ଥିଲେ ବି ଚାଷୀର ପକେଟ ଖାଲି । ଧାନ ବିକିଲେ, ବାକି ସୁଝିବ । କିନ୍ତୁ ମଣ୍ଡି ଖୋଲୁନି କି ଧାନ ଉଠୁନି । ତେଣୁ ବଲାଙ୍ଗୀର ଜିଲ୍ଳାରେ ବଢୁଛି ଚାଷୀ ଅସନ୍ତୋଷ । ମଣ୍ଡିକୁ ମୁଦ୍ଦା କରି, ଆନ୍ଦୋଳନ ପାଇଁ ଆହ୍ବାନ କଲେଣି ଜିଲ୍ଳାର ବରିଷ୍ଠ ନେତା । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ, ଅଭିଯୋଗ ଏଥର ନୂଆ ସମସ୍ୟା, ମଣ୍ଡି ଖୋଲୁନାହିଁ, କି ଦଲାଲ ବି ଧାନ କିଣୁନାହିଁ । ତେଣୁ ଭଳ ଅମଲ ହୋଇଥିଲେ ବି ଅଭାବରେ ଚାଷୀ ।
ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ଗଣମାଧ୍ୟମ ସମ୍ମିଳନୀ ଡାକି, ପୂରା ପଶ୍ଚିମ ଓଡିଶାରେ ଚାଷୀ ଆନ୍ଦୋଳନ ପାଇଁ ଆହ୍ବାନ କରିଛନ୍ତି । କିନ୍ତୁ ସେପଟେ ସରକାରୀ ତଥ୍ୟ ରଖି, ଜିଲ୍ଳା ମୁଖ୍ୟ ଯୋଗଣ ଅଧିକାରୀଙ୍କ ପ୍ରତିକ୍ରିୟା, ୧ ଲକ୍ଷ ୫ ହଜାର ୩୧ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ, ୭୪ ହଜାର ୫ ଶହ ୯୪ ଟୋକନ ଆସିସାରିଛି । ୨୬ ଲକ୍ଷ ୪୦ ହଜାର କ୍ବିଣ୍ଟାଲ ଧାନ ଉଠାଣ ପାଇଁ ଜିଲ୍ଳାକୁ ଟାର୍ଗେଟ ମିଳିଥିବା ବେଳେ, ୬୦ ଜଣ ମିଲର୍ସଙ୍କୁ ୧୫ ଲକ୍ଷ କ୍ବିଣ୍ଟାଲ ଧାନ ଉଠାଇବା ପାଇଁ ଟାର୍ଗେଟ ଦିଆଯାଇଛି ।
ଏଥର କେନ୍ଦ୍ର ସରକାରଙ୍କ ଅନ୍ନଚକ୍ର ଆପ୍ସ ଅନୁଯାୟୀ, ମିଲର୍ସଙ୍କୁ ଧାନ ବଣ୍ଟନ ବ୍ୟବସ୍ଥା କରାଯାଇଥିବା ବେଳେ, ୧୪ ଟି ଏସ.ଏଚ.ଜି ଓ ୧୬୬ଟି ପେକ୍ସ ମାଧ୍ୟମରେ ଜିଲ୍ଳାରେ ଧାନ କିଣାଯିବ ବୋଲି ଅଧିକାରୀଙ୍କ ପ୍ରତିକ୍ରିୟା । ଦିନେ ଦି' ଦିନରେ ସମସ୍ୟାର ସମାଧାନର ପ୍ରତିଶୃତି ଦେଇଛନ୍ତି ଯୋଗାଣ ଅଧିକାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/17/bolangir-mandi-problem-2025-12-17-16-04-07.jpg)