Dilip-Tirkey-
ଭୁବନେଶ୍ୱର: ବଦଳିଲେ ଓଡ଼ିଶା ହକି ଆଡହକ କମିଟି ଚେୟାରମ୍ୟାନ । ଦିଲ୍ଲୀପ ତିର୍କି ହେଲେ ଆଡହକ କମିଟିର ନୂଆ ଚେୟାରମ୍ୟାନ । ସେହିଭଳି କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା ହେଲେ ସଦସ୍ୟ ଆବାହକ । ଅନ୍ୟପଟେ ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର.କେ ଶ୍ରୀବାସ୍ତବ, ଅଧିପ ଦାସ ଆଡହକ କମିଟି ସଦସ୍ୟ ହୋଇଥିବା ବେଳେ ପୂର୍ବରୁ ଭୋଳାନାଥ ସିଂହଙ୍କୁ କମିଟି ଚେୟାରମ୍ୟାନ କରାଯାଇଥିଲା ।
ପୂର୍ବରୁ ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ଏହି ପ୍ରସଙ୍ଗରେ ନବୀନଙ୍କୁ ସମର୍ଥନ ଜଣାଇଥିଲେ ଏହି ପୂର୍ବତନ ହକି ତାରକା ଦିଲ୍ଲୀପ ତିର୍କି । ସେ କହିଥିଲେ ଅଲିମ୍ପିକ୍ସରେ ଭାରତର ସବୁଠୁ ଅଧିକ ସ୍ୱର୍ଣ୍ଣ ପଦକ ହକିରୁ ଆସିଛି । ଏହା ଭାରତକୁ ବିଶ୍ୱରେ ନୂଆ ପରିଚୟ ଦେଇଛି । ତେଣୁ ସରକାର ହକିକୁ ଗୁରୁତ୍ୱ ଦେବା ସହ ଜାତୀୟ ଖେଳର ମାନ୍ୟତା ଦିଅନ୍ତୁ ବୋଲି ସେ ଦାବି କରିଥିଲେ ।
ଅନ୍ୟପଟେ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶା ଆୟୋଜନ କରିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ କହିସାରିଛନ୍ତି । ୨୦୧୮ ବିଶ୍ୱକପ୍ ହକି ଉଦଘାଟନର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଅନ୍ତର୍ଜାତୀୟ ହକି ମହାସଂଘ FIH ସଭାପତି ନରିନ୍ଦର ବାତ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ତେବେ କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ହକି ଏନ୍ତୁଡ଼ିଶାଳ ସୁନ୍ଦରଗଡ଼କୁ ବ୍ୟାପିବ ବିଶ୍ୱକପ୍ ହକି ଫ୍ଲେବର ବୋଲି ଆଶା କରାଯାଇଥିଲା । କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲାରେ ମଧ୍ୟ ବିଶ୍ୱକପ୍ ଖେଳାଯିବ ବୋଲି ଯୋଜନା ଚାଲିଛି ।
ଅନ୍ୟପଟେ ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି । ଏଥିରେ ଦୁଇଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ୧୬ ଜଣିଆ ଦଳରେ ଓଡିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି । ମନପ୍ରୀତ ସିଂଙ୍କୁ ଦଳର ଅଧିନାୟକ ଭାବେ ଘୋଷଣା କରାଯାଇଛି । ପି. ଆର୍. ଶ୍ରୀଜେସ ଦଳର ଗୋଲକିପର ଦାୟିତ୍ୱ ତୁଲାଇବେ । ସମସେର ସିଂ, ଦିଲପ୍ରିତ ସିଂ, ଗୁରଜନ୍ତ ସିଂ, ଲଲିତ କୁମାର ଉପାଧ୍ୟାୟ, ମନଦୀପ ସିଂଙ୍କୁ ଫରୱାଡ୍ ଖେଳାଳି ଭାବେ ଚୟନ କରାଯାଇଛି । ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ନୀଳକଣ୍ଠ ଶର୍ମା ଓ ସୁମିତ ମିଡ୍ଫିଲ୍ଡ ସମ୍ଭାଳିବେ । ଓଡିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ସହ ହରମନପ୍ରୀତ ସିଂ, ରୁପିନ୍ଦର ପାଲ ସିଂ ଓ ସୁରେନ୍ଦ୍ର କୁମାର ଡିଫେଣ୍ଡର ଭୂମିକା ତୁଲାଇବେ। ଗତକାଲି ଭାରତୀୟ ମହିଳା ହକି ଟିମରେ ଓଡିଶାର ଦୀପଗ୍ରେସ ଏକ୍କା ସ୍ଥାନ ପାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Dilip-Tirkey-_1624016485.jpg)