ପୁରୀ ସମୁଦ୍ରରେ ବିପଦଜନକ ଜଳକ୍ରୀଡ଼ାକୁ ନେଇ ହଇଚଇ Photograph: (OTV)
ହୋଲି ଦିନ ପୁରୀ ସମୁଦ୍ରରେ ବିପଜ୍ଜନକ ଜଳକ୍ରୀଡ଼ାକୁ ନେଇ ହଇଚଇ। ତିନିଟି ଦେଶୀ ଡଙ୍ଗା କିଭଳି ସମୁଦ୍ର ଢେଉରେ ବିପଦପୂର୍ଣ୍ଣ ଖେଳରେ ମାତିଥିଲେ- ସେ ଦୃଶ୍ୟ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଛି। ଯାହାକି ଅସୁରକ୍ଷିତ ସମୁଦ୍ର କ୍ରୀଡ଼ାର ଚିତ୍ର ବଖାଣିଛି। ତେବେ ସେ ଡଙ୍ଗା ଗୁଡ଼ିକ କାହାର ଓ ବିନା ଲାଇଫ୍ ଜାକେଟରେ ବସିଥିବା ଲୋକ ପର୍ଯ୍ୟଟକ କି ନାହିଁ ତହା ସ୍ପଷ୍ଟ ହୋଇନଥିବାବେଳେ ଜିଲ୍ଲା ପ୍ରଶାସନ କହିଛି ତଦନ୍ତ ପରେ କଡ଼ା ଆକ୍ସନ ହେବ।
ଦେଶୀ ଡଙ୍ଗାରେ ଡେଞ୍ଜରସ୍ ଖେଳ। ପୁରୀ ସମୁଦ୍ରରେ ବିପଜ୍ଜନକ ଷ୍ଟଣ୍ଟ। ଗତକାଲି ହୋଲି ଖେଳ ସମୟରେ ସମୁଦ୍ର ଭିତରେ ସବୁ କଟକଣାକୁ ଫୁ କରି ଚାଲିଥିଲା ଏମିତି ବିପଦପୂର୍ଣ୍ଣ ଜଳ କ୍ରୀଡ଼ା। କୂଳରୁ ୨ଶହ ମିଟର ଦୂରରେ ସମୁଦ୍ର ଢେଉରେ ଚକ୍ରି ଭଳି ଚକ୍କର କାଟୁଥିଲେ ତିନିଟି ମୋଟର ଚାଳିତ ମାଛଧରା ଡଙ୍ଗା। ଏମିତିକି କିଛି ଯୁବକ ମାତାଲ ହୋଇ ଡଙ୍ଗାରେ ନାଚୁଥିବା ବେଳେ ଆଉ କିଛି ଜଣ ସିଧା ସମୁଦ୍ର ଢେଉକୁ ଡାଇଭ୍ ମାରୁଥିଲେ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ସବୁ ଡଙ୍ଗାରେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ଲୋକ ଅର୍ଥାତ୍ ୧୦ରୁ ଅଧିକ ଲୋକ ବସିଥିବାବେଳେ କିଛି ମହିଳା ମଧ୍ୟ ଥିଲେ। ହେଲେ କେହି ଜଣେ ହେଲେ ଲାଇଫ ଜ୍ୟାକେଟ୍ ପିନ୍ଧିନଥିଲେ କି ସାଙ୍ଗରେ ଲାଇଫ୍ ଗାର୍ଡଙ୍କୁ ବି ନେଇନଥିଲେ।
ତେବେ ସୋସିଆଲ୍ ମିଡିଆରେ ଏ ଦୃଶ୍ୟ ଭାଇରାଲ୍ ହେବା ପରେ ଆରମ୍ଭ ହୋଇଛି ତନାଘନା। ଏମାନେ କିଏ ତାଙ୍କୁ ଖୋଜିବା ଆରମ୍ଭ କରିଛି ପ୍ରଶାସନ। ତେଣେ ଜଣେ ସ୍ଥାନୀୟ ଲାଇଫ୍ ଗାର୍ଡଙ୍କ ମତରେ ଡଙ୍ଗା ଗୁଡ଼ିକ ପୁରୀ ପେଣ୍ଠକଟା ଅଞ୍ଚଳର ଓ ସେଥିରେ ଥିବା ଲୋକମାନେ ମତ୍ସଜୀବୀ ସଂପ୍ରଦାୟର।
ପ୍ରତିବର୍ଷ ପୋଙ୍ଗଲ ଓ ହୋଲିବେଳେ ନିଜ ବନ୍ଧୁବାନ୍ଧବଙ୍କୁ ଧରି ସେମାନେ ଏମିତି ବିପଦପୂର୍ଣ୍ଣ ଜଳକ୍ରୀଡ଼ା କରନ୍ତି। ସେପଟେ ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ସର୍ବଦା ସତର୍କ ଦୃଷ୍ଟି ରଖିଥିବା ଅଗ୍ନିଶମ ବିଭାଗ ଅଧିକାରୀ ବି କହିଛନ୍ତି- ସେମାନେ କିଏ ତାର ତଦନ୍ତ ହେବ।
ସୂଚନା ଅନୁସାରେ ପୁରୀ ସମୁଦ୍ରରେ ପର୍ଯ୍ୟଟକଙ୍କ ଜଳକ୍ରୀଡ଼ା ଲାଗି ସ୍ପିଡ୍ ବୋଟ୍ ବ୍ୟବସ୍ଥା ରହିଛି। ପୁରୀ ସିଫେରାର୍ସ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ପକ୍ଷରୁ ଜେଟସ୍କି ଓ ସ୍ପିଡ୍ ବୋଟ୍ ସୁବିଧା ମିଳୁଛି। ଯେଉଥିରେ ବସି ଟୁରିଷ୍ଟମାନେ ଭରପୁର ମଜା ନେଉଛନ୍ତି।
ତେବେ ସେଥିପାଇଁ ପ୍ରଶାସନ ଲଗାଇଛି ଅନେକ ଗୁରୁତ୍ବପୂର୍ଣ୍ଣ ନିୟମ। ଯେମିତିକି କେବଳ ଲାଇସେନସ୍ ପ୍ରାପ୍ତ ଡଙ୍ଗା ବା ବୋଟ୍ ରେ ପର୍ଯ୍ୟଟକ ବସିବେ। ସେଥିରେ ୬ରୁ ଅଧିକ ଜଣ ଯାଇ ପାରିବେ ନାହିଁ। ୧୦ ବର୍ଷରୁ କମ୍ ଛୋଟ ପିଲା, ଦିବ୍ୟାଙ୍ଗ ଓ ବୃଦ୍ଧଙ୍କୁ ଆଦୌ ଅନୁମତି ନାହିଁ। ଡଙ୍ଗାରେ ଥିବାବେଳେ ସମସ୍ତେ ଲାଇଫ୍ ଜ୍ୟାକେଟ୍ ପିନ୍ଧିବେ। ସାଙ୍ଗରେ ଜଣେ ଲାଇଫ ଗାର୍ଡ ନିଶ୍ଚିତ ଯିବେ।
ସମୁଦ୍ର କୂଳରୁ ଦେଢ଼ କିଲୋମିଟର ଭିତରେ ହିଁ ପର୍ଯ୍ୟଟକ ମଜା ନେଇ ପାରିବେ। କିନ୍ତୁ ଗତକାଲିର ଘଟଣା କେଉଁ ପରିସ୍ଥିତିରେ ଘଟିଲା ? ଡଙ୍ଗାରେ ଷ୍ଟଣ୍ଟ ଦେଖାଉଥିବା ଯୁବକମାନେ କିଏ ? ବିନା ଲାଇଫ୍ ଜାକେଟରେ ଗଭୀର ସମୁଦ୍ରକୁ ଯାଇଥିବା ଡଙ୍ଗା କାହାର ? ଏ ସବୁର ଗୋଟି ଗୋଟି ଖୋଳତାଡ଼ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।
ଏବେ ଦେଖିବାର କଥା ଦେଶୀ ଡଙ୍ଗାରେ ବିପଦପୂର୍ଣ୍ଣ ଜଳକ୍ରୀଡ଼ା କରିଥିବା ଡଙ୍ଗା ମାଲିକଙ୍କ ବିରୋଧରେ କି ଆକ୍ସନ ନେଉଛି ପୁରୀ ପ୍ରଶାସନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/05/reckless-boating-stunts-go-viral-2026-03-05-19-59-08.jpg)