Advertisment

ରାଜ୍ୟରେ ବି କରୋନା ରୋଗୀଙ୍କୁ ମିଳୁନାହିଁ ବେଡ୍‌, ଚେୟାରରେ ବସି ଅକ୍ସିଜେନ୍‌ ନେଉଛନ୍ତି କରୋନା ସଂକ୍ରମିତ

ଭାଗ୍ୟରେ ଥିଲେ ବେଡ୍, ବେଡ୍ ନଥିଲେ ଚଟାଣ, ଚଟାଣରେ ଜାଗା ନଥିଲେ ଚେୟାର୍, ଆଉ ଚେୟାର୍ ବି ନଥିଲେ ନିଜ ଗାଡ଼ି। ବଲାଙ୍ଗିର ଭୀମଭୋଇ ମେଡିକାଲ୍ କୋଭିଡ୍ ଆଇସୋଲେସନ୍ ଓ୍ୱାର୍ଡ ଭିତରେ ଓ ବାହାରେ ମର୍ମାହତ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ରାଜ୍ୟରେ ବି କରୋନା ରୋଗୀଙ୍କୁ ମିଳୁନାହିଁ ବେଡ୍‌, ଚେୟାରରେ ବସି ଅକ୍ସିଜେନ୍‌ ନେଉଛନ୍ତି କରୋନା ସଂକ୍ରମିତ

corona

Advertisment
  • ରାଜ୍ୟରେ ୪ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ
  • ରେଡ୍ ଜୋନରେ ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲା
  • ବଲାଙ୍ଗିର ଓ ସୁନ୍ଦରଗଡ଼ରୁ ଉଦବେଗଜନକ ଚିତ୍ର
  • ବେଡ୍ ନପାଇ ଚଟାଣରେ କଲବଲ ଗୁରୁତର ରୋଗୀ
  • ଚେୟାରରେ ବସି ଅକ୍ସିଜେନ୍ ନେଉଛନ୍ତି ଗୁରୁତର ଆକ୍ରାନ୍ତ
  • ଜଣଙ୍କ ଜୁଇ ନଲିଭୁଣୁ ଶ୍ମଶାନରେ ପହଞ୍ଚୁଛି ଆଉ ଜଣଙ୍କ ମୃତଦେହ
Advertisment

ଭୁବନେଶ୍ୱର: ରାଜ୍ୟରେ ଆଜି ବି ୩ ହଜାର ପାର୍ ଦୈନିକ କରୋନା ସଂକ୍ରମଣର ସଂଖ୍ୟା। ଗତ ୨୪ ଘଣ୍ଟାରେ ୩ ହଜାର ୬୬୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ୨ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଚିନ୍ତା ବଢ଼ାଇଛି ପଶ୍ଚିମ ଓଡ଼ିଶା, ବିଶେଷ କରି ଛତିଶଗଡ଼ ସୀମାନ୍ତ ଜିଲ୍ଲାର ସ୍ଥିତି କରୋନା ଅସୁସ୍ଥଙ୍କ ସଂଖ୍ୟା ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ, ଗତକାଲିଠୁ ୧୦ଟି ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି। ଏ ଭିତରେ ବିଭିନ୍ନ ମେଡିକାଲ୍ ଓ ଶ୍ମଶାନରୁ ଆସିବାରେ ଲାଗିଛି କରୋନା ଭୟାବହତାର ଉଦବେଗଜନକ ତଥା ଦାରୁଣ ଚିତ୍ର।

ଭାଗ୍ୟରେ ଥିଲେ ବେଡ୍, ବେଡ୍ ନଥିଲେ ଚଟାଣ, ଚଟାଣରେ ଜାଗା ନଥିଲେ ଚେୟାର୍, ଆଉ ଚେୟାର୍ ବି ନଥିଲେ ନିଜ ଗାଡ଼ି। ବଲାଙ୍ଗିର ଭୀମଭୋଇ ମେଡିକାଲ୍ କୋଭିଡ୍ ଆଇସୋଲେସନ୍ ଓ୍ୱାର୍ଡ ଭିତରେ ଓ ବାହାରେ ମର୍ମାହତ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅଭିଯୋଗ ହୋଇଛି, ଏଠାରେ ଶହେରୁ ବି କମ୍ ବେଡ୍ ଥିବା ବେଳେ, ଚିକିତ୍ସା ହେବାକୁ ଆସିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଅଧିକ। ବେଡ୍ ନପାଇ ଅନେକ ତଳେ ଶୋଇଥିବା ବେଳେ, ଓ୍ୱାର୍ଡ ବାହାରେ ଗୁରୁତର ରୋଗୀ ଚେୟାରରେ ବସି ଅକ୍ସିଜେନ୍ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। କେହି କେହି ଆମ୍ବୁଲାନ୍ସ ନପାଇ ନିଜ ଗାଡ଼ିରେ ଅକ୍ସିଜେନ୍ ସିଲିଣ୍ଡର୍ ଧରି ମେଡିକାଲରେ ପହଞ୍ଚିଥିଲେ ବି, ଅପେକ୍ଷାର ଅନ୍ତ ନାହିଁ। ଏଭଳି ଦୃଶ୍ୟ ଦେଖିବା ପରେ ମନରେ ସ୍ୱତଃ ସନ୍ଦେହ ଉପୁଜୁଛି, କରୋନା ଦ୍ୱିତୀୟ ଲହରରେ ଅତ୍ୟଧିକ ଚାପଗ୍ରସ୍ତ ହୋଇ ଆଣ୍ଠେଇବାରେ ଲାଗିଲାଣି କି ସ୍ୱାସ୍ଥ୍ୟ ବ୍ୟବସ୍ଥା? ତେବେ ମେଡିକାଲ୍ କଲେଜ୍ ଅଧୀକ୍ଷକ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିର ରଖି, ଦିନେ-୨ଦିନ ଭିତରେ ବେଡ୍ ସଂଖ୍ୟା ବଢ଼ାଇବାକୁ ଯୋଜନା ରହିଛି।

Advertisment

କରୋନା କାଳର ଆଉ ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସହର ରାଣୀବଗିଚା ବାଇପାସ୍ ନିକଟ ସ୍ୱର୍ଗଦ୍ୱାରରେ। ପ୍ରତିଦିନ ଏଠି ଜଣେ-୨ଜଣ କୋଭିଡ୍ ମୃତକଙ୍କ ଜୁଇ ଜଳୁଥିବା ବେଳେ, କିଛି ଦିନ ଏଭଳି ସ୍ଥିତି ଉପୁଜୁଛି ଯେ, ଜଣଙ୍କ ଚିତା ନଲିଭୁଣୁ ପହଞ୍ଚିଯାଉଛି ଆଉ ଏକ ମୃତଦେହ। ପିପିଇ କିଟ୍ ପିନ୍ଧି ମଶାଣି ବନ୍ଧୁମାନେ ମୃତକଙ୍କ ଦାହ ସଂସ୍କାର କରୁଛନ୍ତି। ହେଲେ ଏତେ ଅଧିକ ସଂଖ୍ୟାରେ ମୃତ୍ୟୁକୁ ଦେଖି ସେମାନେ ବି ବିଚଳିତ ବୋଲି କହିଛନ୍ତି। ମୃତ୍ୟୁସଂଖ୍ୟା ତାଳମେଳ ନରହିବା ପ୍ରସଙ୍ଗରେ ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି, କୋଭିଡ୍ ଅଡିଟରେ ସାମାନ୍ୟ ବିଳମ୍ବ ହେଉଥିଲେ ବି, ପ୍ରତ୍ୟେକ କରୋନା ଜନିତ ମୃତ୍ୟୁକୁ ନିଶ୍ଚିତ ରୂପେ ଘୋଷଣା କରାଯାଉଛି।

ରେଡ୍ ଜୋନରେ ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲା ରହିଛି। ସୁନ୍ଦରଗଡ଼ରେ ୩ ହଜାର ୮ଶହରୁ ଅଧିକ ସକ୍ରିୟ ସଂକ୍ରମିତ ଥିବା ବେଳେ, ସମ୍ବଲପୁର, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡିରେ ଏହି ସଂଖ୍ୟା ହଜାରେରୁ ଅଧିକ। ଚିନ୍ତା ବଢ଼ିବାର ଆଉ ଏକ କାରଣ, ପଡ଼ୋଶୀ ଛତିଶଗଡ଼ରେ ଏବେ ସଂକ୍ରମଣ ବିସ୍ଫୋରଣ ଭଳି ସ୍ଥିତିରେ ରହିଛି। ଗତ ୨୪ ଘଣ୍ଟାରେ ସେଠାରେ ୧୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସହ ୧୫୮ ଜଣଙ୍କ ଜୀବନ ଯାଇଛି। ଏଭଳି ସ୍ଥିତିରେ ଛତିଶଗଡ଼ ସୀମାନ୍ତ ଏବଂ ଅନ୍ୟ ପାଖ ଜିଲ୍ଲାଗୁଡ଼ିକରେ ଆଗକୁ ସ୍ଥିତି ଆହୁରି ବିଗଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି। ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବାକୁ ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍‌ ସହ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଏପଟେ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ଏବେ ସୁଦ୍ଧା ପଶ୍ଚିମ ଓଡ଼ିଶାର କୌଣସି ସ୍ଥାନରେ ରୋଗୀ ତଳେ ଶୋଇ ନାହାନ୍ତି। ଆଗକୁ ବେଡ୍ ସଂଖ୍ୟା ଆହୁରି ବଢ଼ାଇବାକୁ ଚେଷ୍ଟା କରାଯାଉଛି। ତେବେ କେବଳ ପଶ୍ଚିମ ଓଡ଼ିଶା ନୁହେଁ, ଆକ୍ଟିଭ୍ କେଶ୍ ଦୃଷ୍ଟିରୁ ଖୋର୍ଦ୍ଧା ଓ କଟକ ଜିଲ୍ଲାର ସ୍ଥିତି ବି ଉଦବେଗଜନକ ହେବାରେ ଲାଗିଛି।

Advertisment

ବଲାଙ୍ଗିରରୁ ମନରଞ୍ଜନ ଯୋଶୀ, ସୁନ୍ଦରଗଡ଼ରୁ ବିଜୟ ବରୁଆ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

Corona News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ