GREEN-STICKER Photograph: (OTV)
ଦୂର ହେଲା ଗ୍ରୀନ୍ ଷ୍ଟିକର୍ ଦ୍ବନ୍ଦ୍ବ। ଯଦି ନିଜ ନିଜ ଯାନବାହନର ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ସହ ସମସ୍ତ କାଗଜପତ୍ର ଠିକଠାକ୍ କରିଛନ୍ତି ତା’ହେଲେ ଆପଣ ଗ୍ରୀନ ଷ୍ଟିକରର ହକଦାର୍। ଏଥିପାଇଁ ନା ଦେବାକୁ ପଡ଼ିବ କୌଣସି ମୂଲ୍ୟ ନା ଧାଡ଼ି ବାନ୍ଧିବାକୁ ପଡ଼ିବ କୌଣସି ସ୍ଥାନରେ। ସମ୍ପୂର୍ଣ୍ଣ ମାଗଣାରେ ଚଳିତ ମାସ ୧୦ ତାରିଖରୁ ଯେକୌଣସି ସମୟରେ ଆପଣ ନିଜ ଗାଡ଼ି ପାଇଁ ପାଇପାରିବେ ଗ୍ରୀନ୍ ଷ୍ଟିକର। ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ପରିବହନ ବିଭାଗ। କାରଣ ଯେକୌଣସି ଗାଡ଼ିର ପଞ୍ଜିକରଣର ବର୍ଷେ ପରେ ପ୍ରଦୂଷଣ ମୁକ୍ତ ସାର୍ଟିଫିକେଟ୍ ଜରୁରୀ। ତା’ଭିତରୁ ବିଏସ୍ ୱାନରୁ ବିଏସ୍-ଥ୍ରୀ ଯାଏଁ ପଞ୍ଜିକରଣର ଛଅ ମାସ ଭିତରେ PUCC କରାଇବା ବାଧ୍ୟତାମୂଳକ। ତେବେ ଗ୍ରୀନ୍ ଷ୍ଟିକର ଗାଡ଼ିର ବୈଧ ପ୍ରମାଣପତ୍ରର ବିକଳ୍ପ ନୁହେଁ। କାଗଜପତ୍ର ଅପଡେଟ୍ ଥିବା ଯାନବାହନ ଚିହ୍ନଟ ପ୍ରକ୍ରିୟାକୁ ସହଜ କରିବା ପାଇଁ ସାଙ୍କେତିକ ଭାବେ ଗାଡ଼ିରେ ମାଲିକ ଗ୍ରୀନ ଷ୍ଟିକର ଲଗାଇବେ ବୋଲି କହିଛନ୍ତି ଅତିରିକ୍ତ ପରିବହନ କମିଶନର।
ତେବେ କେଉଁଠି ଓ କେମିତି ପାଇବେ ଗ୍ରୀନ ଷ୍ଟିକର୍ ? ଚଳିତ ଜାନୁୟାରୀ ୧୦ରୁ ଆପଣ ନିଜେ ରହୁଥିବା ଅଞ୍ଚଳର RTO କିମ୍ବା ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ତଥା ଗାଡ଼ି ପାଖରୁ ଗ୍ରୀନ୍ ଷ୍ଟିକର ସଂଗ୍ରହ କରିପାରିବେ। ଯଦି ଜାନୁୟାରୀ ୧୦ ପୂର୍ବରୁ ଆପଣ ସମସ୍ତ କାଗଜପତ୍ର ସହ ପଲ୍ୟୁସନ୍ ପ୍ରମାଣପତ୍ର ପାଇସାରିଛନ୍ତି, ତା’ହେଲେ RTO ଅଫିସକୁ ଯିବେ। ନଚେତ ଜାନୁୟାରୀ ୧୦ରୁ କାଗଜପତ୍ର ଅପଡେଟ୍ କରୁଥିଲେ ସେଇ ଦିନଠୁ ହିଁ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରରୁ ବି FORM-59 ଦାଖଲ କରି ଗ୍ରୀନ ଷ୍ଟିକର ପାଇପାରିବେ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଯେକୌଣସି RTOରେ ପଞ୍ଜିକରଣ ହୋଇଥିଲେ ବି କିଛି ଅସୁବିଧା ନାହିଁ। ଯେଉଁ ଅଞ୍ଚଳରେ ଗାଡ଼ି ବ୍ୟବହାର କରାଯାଉଛି, ସେହି ଅଞ୍ଚଳର ପଲ୍ୟୁସନ ଟେଷ୍ଟିଂ ସେଣ୍ଟରରୁ PUCC କରାଇ ସେଠାରୁ ଗ୍ରୀନ ଷ୍ଟିକର ନେଇପାରିବେ। ଯଦି କିଏ ଗ୍ରୀନ୍ ଷ୍ଟିକରରେ ଜାଲିଆତି କରିଥିବେ, ତା’ହେଲେ ‘ବାହନ୍’ ଆପରୁ ହିଁ ସବୁ ତଥ୍ୟ ଧରାପଡ଼ିଯିବ ବୋଲି କହିଛନ୍ତି ଅତିରିକ୍ତ ପରିବହନ କମିଶନର। ଚାଲାଣ କଟିଥିବା ଗାଡ଼ି ପାଖରେ ଏବେ ୯୦ ଦିନର ମହଲତ ରହିଛି। ତାଭିତରେ ଯଦି ଚାଲାଣ ପୈଠ ନକରନ୍ତି କିମ୍ବା PUCC, INSURANCE, RC ଆଦି ଅପଡେଟ୍ ନକରନ୍ତି, ତା’ହେଲେ ମୋଟର ଯାନ ଆଇନର ଧାରା ୧୬୭ ଅନୁଯାୟୀ, ସଂପୃକ୍ତ ଗାଡ଼ି ଚାଳକ କିମ୍ବା ମାଲିକଙ୍କୁ କୌଣସି ପ୍ରକାର ସେବା ଯୋଗାଇ ଦିଆଯିବ ନାହିଁ।
ତେବେ ୯୦ ଦିନର ମହଲତ ଭିତରେ ଗ୍ରୀନ୍ ଷ୍ଟିକର୍ ପାଇଁ ସମସ୍ତ ଯାନବାହନ ଗୁଡ଼ିକ କାଗଜପତ୍ର ଅପଡେଟ୍ କରିପାରିବେ ତ ? କାରଣ PUCC ଗାଡ଼ି ଆଗରେ ଲମ୍ବି ଲମ୍ବି ଚାଲିଛି ଲାଇନ୍, ଚାଲାଣ ପୈଠ ପାଇଁ ଟ୍ରାଫିକ୍ ଥାନା ଏବଂ RTO ଅଫିସରେ ବଢ଼ିଚାଲିଛି ଭିଡ଼। ରାଜ୍ୟବ୍ୟାପି ଲକ୍ଷ ଲକ୍ଷ ଗାଡ଼ି ଭିତରୁ କାହାଣ ଚାଲାଣ ବାକି ତ ଆଉ କାହାର ଇନସ୍ୟୁରାନ୍ସ ନାହିଁ। ଏଭଳି ସ୍ଥିତିରେ ୯୦ ଦିନର ମହଲତ ସହ ଗ୍ରୀନ୍ ଷ୍ଟିକର୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗାଡ଼ି ମାଲିକ।
ପରିବହନ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୭ଶହଟି ପ୍ରଦୂଷଣ ଯାଞ୍ଚ ସେଣ୍ଟର ରହିଥିବାବେଳେ ଗାଡ଼ିରେ ଗ୍ରୀନ୍ ଷ୍ଟିକର୍ ଲଗାଇବାକୁ ବାଧ୍ୟ କରାଯାଇନାହିଁ। ଏଭଳି ସ୍ଥିତିରେ ମାର୍ଚ୍ଚ ୩୧ରୁ କେମିତି ଯାଞ୍ଚ ହେବ ଗ୍ରୀନ୍ ଷ୍ଟିକର ବ୍ୟବସ୍ଥା, ତାକୁ ନେଇ ବଢ଼ିଛି ଚର୍ଚ୍ଚା।.
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/02/green-sticker-2026-01-02-20-55-28.jpg)