Koraput Photograph: (OTV)
କୋରାପୁଟ ଜିଲ୍ଲାର ଶୀତ ଆଣିଦିଏ ଭିନ୍ନ ଏକ ରୋମାଞ୍ଚ । ଶୀତଦିନେ ପ୍ରକୃତି ବିଛାଇ ଦିଏ ଅସୁମାରୀ ସୌନ୍ଦର୍ଯ୍ୟର ପାହାଡ । ପର୍ଯ୍ୟଟକ କୁହନ୍ତି ଯଦି କାଶ୍ମୀର ଯାଇପାରୁନାହାଁନ୍ତି ତେବେ ଶୀତ ଋତୁରେ କୋରାପୁଟ ଆସିଲେ ଲାଗେ କାଶ୍ମୀରର ଭ୍ରମ ।
ଫେରିଛି ବର୍ଷା, ଆସିଛି ଶୀତ। ସକାଳର କୁହୁଡ଼ିର ପତଳା ଚାଦରରେ ଘୋଡାଇ ହୋଇ ରହିଛି ପ୍ରକୃତି। ଆଉ ପହିଲି ଶୀତରେ ସୁନ୍ଦର ହେଉଛି କୋରାପୁଟ। ମାଳଭୂମିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼। ସକାଳୁଆ କୁହୁଡ଼ି ସାଙ୍ଗକୁ ଅଳସୀ କ୍ଷେତର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି। ସେହିପରି ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରୁ ସୂର୍ଯ୍ୟୋଦୟ ଓ ଜଳପ୍ରପାତ ଗୁଡିକରୁ ସୂର୍ଯ୍ୟାସ୍ତ ଦେଖିବା ପାଇଁ ମଧ୍ୟ ଭିଡ଼ ଜମୁଛି ।
ସବୁଜ ବନାନୀ, ବଣ ଜଙ୍ଗଲର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆମୋଦିତ କରୁଛି। ବିଶେଷ କରି ଦେଓମାଳି, ତଳମାଳି ପାହାଡ଼ ଓ ଘାଟି ଉପରୁ ସକାଳର ମନୋରମ ଦୃଶ୍ୟରେ ମତୁଆଲା ହେଉଛନ୍ତି ପର୍ଯ୍ୟଟକ| ଧୀରେ ଧୀରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢ଼ିବାରେ ଲାଗିଛି। ସେମାନେ ବିଭିନ୍ନ ପାହାଡ଼ର ପାଦଦେଶ ସମେତ ନାଇଟ୍ କ୍ୟାମ୍ପ କରି ରହୁଛନ୍ତି।
ଜଳପ୍ରପାତର ମନଲୋଭା ଦୃଶ୍ୟ
ତଳମାଳିରେ ମଧ୍ୟ ବହୁ ମାତ୍ରାରେ ପର୍ଯ୍ୟଟକ ନାଇଟ୍ କ୍ୟାମ୍ପ କରି ଥଣ୍ଡା ପାଗର ମଜା ଉଠାଉଛନ୍ତି। ଡୁଡୁମା,ପୁଞ୍ଜିସିଲ ଜଳପ୍ରପାତର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ପାଲଟିଛି। ସୁଉଚ୍ଚ ଜଳପ୍ରପାତର ମନଲୋଭା ସହିତ ସବୁଜିମା କାଶ୍ମୀରର ଅନୁଭୂତି ଦେଉଥିବା ପର୍ଯ୍ୟଟକ ପ୍ରକାଶ କରିଛନ୍ତି ।
ବୁଲି ଆସିଥିବା ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷ ପାଲଟିଛି କୋରାପୁଟର ଅଳସୀ କ୍ଷେତ। ହଳଦିଆ ଫୁଲର ସମ୍ଭାରରେ ରାସ୍ତା ପାର୍ଶ୍ଵ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିବାରୁ ଫଟୋ ଉଠାଇବା ଲାଗି ଲାଗୁଛି ଭିଡ଼। ଘନ କୁହୁଡି ସାଙ୍ଗକୁ କାକର ବିନ୍ଦୁରେ ଝଲସୁଛି ପ୍ରକୃତି ରାଣୀ। ଏହି ମନଲୋଭା ନୈସର୍ଗିକ ସୌନ୍ଦର୍ଯ୍ୟକୁ ଦେଖି କବି ଓ ପ୍ରକୃତିପ୍ରେମୀର ମନ ଆନମନା ହୋଇପଡୁଛି । ଶୀତୁଆ ସକାଳର ପ୍ରଥମ ପରଶରେ ହସିଉଠୁଛି କୋରାପୁଟ ଶସ୍ୟ ଶ୍ୟାମଳା ବସୁଧା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/15/koraput-2025-11-15-15-43-33.jpg)